କେନ୍ଦ୍ରାପଡ଼ାରେ ପୌର ନିର୍ବାଚନ ହେବା ନେଇ ଆଶଙ୍କା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ାରେ ପୌର ନିର୍ବାଚନ ହେବା ନେଇ ଆଶଙ୍କ ପ୍ରକାଶ ପାଇଛି । କାରଣ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ଗେଜେଟ୍ରେ କେନ୍ଦ୍ରାପଡ଼ା ପୌରପାଳିକା ନାମ ସ୍ଥାନ ପାଇନାହିଁ । ତେଣୁ କେନ୍ଦ୍ରାପଡ଼ାରେ ପୌର ନିର୍ବାଚନ ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି । କେନ୍ଦ୍ରାପଡ଼ା ପୌରପାଳିକା ନିର୍ବାଚନ ନେଇ ୨୦୧୭ ମସିହାରେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ସେହି ମାମଲାର ବିଚାର ଶେଷ ହୋଇନାହିଁ । ତେଣୁ ଯେ ପର୍ଯ୍ୟନ୍ତ ହାଇକୋର୍ଟରେ ମାମଲାର ବିଚାର ଶେଷ ହୋଇନାହିଁ ସେ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୌରପାଳିକା ନିର୍ବାଚନ ଝୁଲିକି ରହିଲା । ଏହାକୁ ନେଇ ଆଶାୟୀ କାଉନ୍ସିଲର ଓ ନଗରପାଳ ପ୍ରାର୍ଥୀମାନେ ଚିନ୍ତାରେ ପଡି ଯାଇଛନ୍ତି । କାରଣ କିଛିଦିନ ହେବ ଆଶାୟୀମାନେ ବେଶ ଉତ୍ସାହିତ ହୋଇ ପଡିଥିଲେ । ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ହେବ ବୋଲି ସେମାନେ ନିର୍ବାଚନ ମୈଦାନକୁ ଯିବା ପାଇଁ ପାଗ ଭିଡିଥିଲେ । ଏ ନେଇ ନିଜ ନିଜ ଦଳର ନେତାମାନଙ୍କ ସହ ଘନ ଘନ ବୈଠକର ଆୟୋଜନ କରୁଥିଲେ । ନେତାମାନେ ମଧ୍ୟ ସେମାନଙ୍କୁ ପ୍ରତିଶ୍ରୁତି ଦେଉଥିଲେ ଯେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କାହାକୁ ଟିକଟ ଦିଆଯିବ ତାହା ଚୁଡ଼ାନ୍ତ ହେବ । ହେଲେ ଏବେ ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସେଥିରେ କେନ୍ଦ୍ରାପଡ଼ାର ନାମ ନଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ଗତ ୨୦୧୭ ମସିହାରେ ପୂର୍ବତନ କାଉନ୍ସିଲର ମୁକ୍ତାର ଖାଁ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାୟର କରିଥିଲେ । ସେ କୋର୍ଟଙ୍କୁ ନିବେଦନ କରିଥିଲେ ଯେ ଗୋଟିଏ ୱାର୍ଡରୁ ଦୁଇଥର ଜଣେ ପ୍ରାର୍ଥୀ ଲଢିବାର ସୁଯୋଗ ପାଆନ୍ତୁ ଓ ଏଥିସହ ସୀମା ନିର୍ଦ୍ଧାରଣ କରାଯାଉ । କାରଣ ସୀମା ନିର୍ଦ୍ଧାରଣ ନ ହେବାରୁ ଗୋଟିଏ ସ୍ଥାନର ଲୋକ ଭୋଟ ଦେବା ପାଇଁ ୩ରୁ ୪ କିଲୋମିଟର ଯିବାକୁ ପଡୁଛି । ଏହାଦ୍ୱାରା ସମସ୍ୟା ସୃଷ୍ଟି ହେଉଛି । ଏହି ଆବେଦନ ଉପରେ ଉଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ ଜାରି କରିଥିଲେ । ନିର୍ବାଚନ ସଂକ୍ରାନ୍ତୀୟ ମାମଲା କୋର୍ଟରେ ବିଚାରାଧିନ ଥିବାରୁ ନୂଆ ଗେଜେଟ୍ରେ କେନ୍ଦ୍ରାପଡ଼ା ପୌରପାଳିକାର ନାମ ସ୍ଥାନ ପାଇ ନାହିଁ । ମାମଲାର ଚୁଡାନ୍ତ ଫଇସଲା ହୋଇ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେବା ପରେ ପୌର ନିର୍ବାଚନ ହେବ କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ଜଣାପଡିଛି । କେନ୍ଦ୍ରାପଡ଼ା ପୌରପାଳିକାର ପ୍ରଶାସକ ଭାବେ ପୂର୍ବରୁ ଉପ ଜିଲାପାଳ ଥିବା ବେଳେ ଏବେ ଜିଲାପାଳଙ୍କୁ ପୌର ପ୍ରଶାସକ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଉପ ଜିଲାପାଳଙ୍କୁ ପଟ୍ଟାମୁଣ୍ଡାଇ ପୌରପାଳିକାର ପ୍ରଶାସକ ଭାବେ ସରକାର ନିଯୁକ୍ତି ଦେଇଛନ୍ତି ।