କେନ୍ଦ୍ରୀୟ ପ୍ରତିନିଧି ଦଳ ଦ୍ୱାରା ବାତ୍ୟା କ୍ଷତିଗ୍ରସ୍ତ ଅଚଂଳ ପରିଦର୍ଶନ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ଅମ୍ଫାନ ବାତ୍ୟାର ବିଭିନ୍ନ କ୍ଷତିଗ୍ରସ୍ତ ଅଚଂଳ ଗ୍ରସ୍ତ ପରିଦର୍ଶନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରାଯାଇଛି । ଗୁରୁବାର ପୂର୍ବାହ୍ନରେ କେନ୍ଦ୍ରୀୟ ପ୍ରତିନିଧି ଦଳରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟର ଅଧିକ୍ଷଣ ଯନ୍ତ୍ରୀ ଅମରିଶପାଲ ସିଂଙ୍କ ନେତୃତ୍ୱରେ ଶକ୍ତି ମନ୍ତ୍ରଣାଳୟର ନିର୍ଦେଶକ ଏନ. ଆର. ଏଲ. କେ. ପ୍ରସାଦ ଓ ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦେଶକ ସୁରଜ କୁମାର ପ୍ରଧାନ ପ୍ରମୁଖ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରାଥମିକ କ୍ଷୟକ୍ଷତି ଆକଳନର ବୀବରଣୀ ରିପୋର୍ଟ ପ୍ରଦାନ କରିଥିଲେ । ଜିଲ୍ଲାର ୯ଟି ବ୍ଲକ କେନ୍ଦ୍ରାପଡା, ଡେରାବିଶି, ମାର୍ଶାଘାଇ, ଗରଦପୁର, ମହାକାଳପଡା, ପଟ୍ଟାମୁଣ୍ଡାଇ, ରାଜନଗର, ଆଳି ଓ ରାଜକନିକା ବ୍ଲକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜିଲ୍ଲାର ୧୫୯୨ଟି ଗ୍ରାମର ୧୫ଲକ୍ଷ ୨୨ହଜାର ୯୦୧ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାଦ୍ୱାରା ୨.୬୪୪ଲକ୍ଷ ହେକ୍ଟର ଅଚଂଳ କ୍ଷତିଗ୍ରସ୍ତ ହୋଇଛି । ଅମ୍ଫନ ବାତ୍ୟାରେ ୪୭୮ହେକ୍ଟର ଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ଆନୁମାନିକ କ୍ଷତି ୫.୯୯୩୧ଲକ୍ଷ ହୋଇଛି ଏବଂ ଏହା ଚାଷଜମିର ଶତକଡା ୩୩ଭାଗରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ୧୪୫୧ଗୃହ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨ଟି କଚ୍ଚାଘର ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଛି ଓ ୨୦ଟି ପକ୍କାଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ୧୧୧୨ଟି କଚ୍ଚାଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ସମୁଦାୟ ୪୭.୭୮ଲକ୍ଷ ମୂଲ୍ୟର ଗୃହ କ୍ଷତିଗ୍ରସ୍ତ ହୋଇଥିବା ଅଟ୍ଟକଳ କରାଯାଇଛି । ଏହି ବାତ୍ୟାରେ କୈାଣସି ଲୋକ ମୃତ୍ୟୁ ବରଣ କରିନାହାନ୍ତି । ବାତ୍ୟାରେ ୮ଲକ୍ଷ ୭୧ହଜାର ୯୪୩ ପ୍ରାଣୀସଂପଦ କ୍ଷତିଗ୍ରସ୍ତ ହୋଇଛି ଏବଂ ସେଥି ମଧ୍ୟରୁ ୭୦ଟି ପ୍ରାଣୀ ମୃତ୍ୟୁ ବରଣ କରିଛନ୍ତି । ବାତ୍ୟାରେ ୧୨ଟି ମତ୍ସ୍ୟଡଙ୍ଗା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୦.୪୯୨ଲକ୍ଷ ମୂଲ୍ୟର ମତ୍ସ୍ୟସମ୍ପଦ କ୍ଷତିଗ୍ରସ୍ତ ହୋଇଛି । ସାଧାରଣ ସମ୍ପଦରେ ୬୬ଟି ରାସ୍ତା,୧୫୨ଟି କୋଠା,୫ଟି କଲଭଟ କ୍ଷତିଗ୍ରସ୍ତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୯୧୭.୯ଲକ୍ଷ ଟଙ୍କା ହୋଇଛି । ଏହି ବାତ୍ୟାରେ ୪୬୩ . ୬୭୩ଲକ୍ଷ ଟଙ୍କାର ବେସରକାରୀ ଓ ସରକାରୀ ସଂପଦ କ୍ଷତିଗ୍ରସ୍ତ ହୋଇଛି । ବିଦ୍ୟୁତ ବିଭାଗର କ୍ଷତି ଆକଳନ ଅନୁଯାଇ ୪୫୫ଟି ଏଚଟି ବିଦ୍ୟୁତ ଖୁଂଟ କ୍ଷତିଗ୍ରସ୍ତ ହୋଇଛି । ୧୬୨. ୬୬ କିଲୋମିଟର ଏଚଟି କଣ୍ଡକ୍ଟର କ୍ଷତିଗ୍ରସ୍ତ ହୋଇଛି ଏବଂ ଏଥିସହିତ ଅନ୍ୟାନ୍ୟ ଯନ୍ତ୍ରାଂଶ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ଅମ୍ଫନରେ ଜିଲ୍ଲା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ୩୩ଟି ପାଇପ ଲାଇନ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି । ଏହାର ଆନୁମାନିକ କ୍ଷତିର ପରିମାଣ ୪୯.୫୦ଲକ୍ଷ ଟଙ୍କା ହେବ । ବାତ୍ୟା ଅମ୍ଫନ ସମୟରେ ଜିଲ୍ଲାର ୯ଟି ବ୍ଲକରେ ୫୩୪ଟି ବହୁମୂଖି ବାତ୍ୟା ଆଶ୍ରୟସ୍ଥଳି,ନିର୍ଦ୍ଧାରିତ ସ୍କୁଲ ଓ ପକ୍କାଘରକୁ ୩୯ହଜାର ୮୬୪ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ଚୂଡା, ଚିନି, ବିସ୍କୁଟ ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୯୨ଲକ୍ଷ ୬୭ହଜାର ୭୦୫.୦୦ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ଜିଲ୍ଲା କୃଷି ଓ ଉଦ୍ୟାନକୃଷି ବିଭାଗର ପ୍ରାରମ୍ଭିକ ଅଟ୍ଟକଳ ଅନୁଯାଇ ୯ଟି ବ୍ଲକରେ ୪୭୮ହେକ୍ଟର ଚାଷ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳଙ୍କୁ ତଥ୍ୟ ଓ ରିପୋର୍ଟ ପ୍ରଦାନ କରିଛନ୍ତି । କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଜିଲ୍ଲାର ବିଭିନ୍ନ କ୍ଷତିଗ୍ରସ୍ତ ଅଚଂଳ ପରିଦର୍ଶନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରି ସେଠୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।