କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଜମି ଲିଜ୍ରେ ପ୍ରଦାନ କରିବ ଜିଲ୍ଲା ପ୍ରଶାସନ
ଛତ୍ରପୁର (ଓ୍ବାଇଏନ୍ଏସ୍) : ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଆବଶ୍ୟକୀୟ ହେଉଥିବା ଜମି ଲିଜ୍ ରେ ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛନ୍ତି । ଏବାବଦରେ ଅତିରିକ୍ତ ଜିଲ୍ଲାପାଳ ଛତ୍ରପୁର ତହସିଲଦାରଙ୍କୁ ଏକ ଚିଠି ଲେଖି ଆର୍ଯ୍ୟପଲ୍ଲୀ ମୌଜାରେ ୧୦ ଏକର ଜମି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନୂଆଦିଲ୍ଲୀକୁ ଲିଜ୍ ଆକାରରେ ଦେବା ପାଇଁ ଜଣାଇଛନ୍ତି । ଏଣୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଅତିରିକ୍ତ ଜିଲ୍ଲାପାଳ ତହସିଲଦାରଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏଥିରେ ଛତ୍ରପୁର ମିଳିତ ନାଗରିକ ମଂଚ ପକ୍ଷରୁ ପୂର୍ବତନ ଛତ୍ରପୁର ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡି, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ତଥା ଯୁବ ଆଇନଜୀବୀ ବି.ଶ୍ରୀନିବାସ, ଆଇନଜୀବୀ ପ୍ରଦୀପ କୁମାର ପାଢ଼ୀ, ଗୋକୁଳ ଚନ୍ଦ୍ର ପଣ୍ଡା, ସତ୍ୟନାରାୟଣ ପାତ୍ର, ପ୍ରଫୁଲ କୁମାର ସେନାପତି, କିଶୋର ଚନ୍ଦ୍ର ସେନାପତି, ସୟଦ ମୁକ୍ତାର , ପ୍ରଫୁଲ କୁମାର ପଟ୍ଟନାୟକ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ରାଜେନ୍ଦ୍ର ଦାସ ବି.ରାଜି ବାବୁ, ଲକ୍ଷ୍ମୀନାରାୟଣ ପଣ୍ଡା, ରାମଚନ୍ଦ୍ର ବେହେରା, ସୁଧିର କୁମାର ସାହୁଙ୍କ ସମେତ ମଂଚର ସମସ୍ତ ସଭ୍ୟ ଓ ସହରବାସୀଙ୍କ ପକ୍ଷରୁ ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ବିଭିନ୍ନ ସମୟରେ ଦାବି ଜଣାଇ ଆସୁଥିଲେ । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଲିଜ ସୂତ୍ରରେ ୧୦ ଏକର ସରକାରୀ ଜାଗାକୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନକୁ ପ୍ରଦାନ କରାଯାଇଥିବାରୁ ଛତ୍ରପୁର ମିଳିତ ମଂଚ ପକ୍ଷରୁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ସାଂସଦ ଓ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ ଖୁବ ଶୀଘ୍ର ଅସ୍ଥାୟୀ ଭାବେ ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲୁ କରିବା ନିମନ୍ତେ ମିଳିତ ମଂଚ ପକ୍ଷରୁ ଅନୁରୋଧ କରାଯାଇଛି ।