କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ମଞ୍ଚ ଆହ୍ୱାନରେ ବାଲେଶ୍ୱରରେ କଳା ଦିବସ ପାଳନ

ବାଲେଶ୍ୱର, (ସରୋଜ ପଣ୍ଡା):କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଜାତୀୟ ଫେଡେରେସନ୍‌ମାନଙ୍କ ମିଳିତ ମଞ୍ଚ ଆହ୍ୱାନରେ ସୋମବାର ପୂର୍ବାହ୍ନରେ ଏକ ବିଶାଳ ଶୋଭାଯାତ୍ରା ବାଲେଶ୍ୱର ରେଳଷ୍ଟେସନ୍‌ରୁ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଫାଟକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ସମାବେଶରେ ମିଳିତ ମଞ୍ଚର ଆବାହକ ତଥା ଟିୟୁଏସିସିର ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିଜୟ ପାତ୍ର, ଭାଗବତ ପ୍ରତିହାରୀ, ସୁରେଶ ଚନ୍ଦ୍ର ବେହେରା, ନିରାକାର ପାଣ୍ଡବ, ପୀତାମ୍ବର ମାଝୀ, ଲକ୍ଷ୍ମୀଧର ଗିରି, ଶାନ୍ତନୁ ଦାସ, କୃଷକ ନେତା ଅରୁଣ ଜେନା, ପ୍ରେମ ରଂଜନ ପାତ୍ର, ବିକାଶ ଦାସ, ଶ୍ୟାମସୁନ୍ଦର ଜେନା, ବାସନ୍ତୀ ସାମଲ, ରାଜକିଶୋର ଲେଙ୍କା, ଗୌତମ ଦାସ, ବେଣୁଧର ବାରିକ ଓ ଉମାକାନ୍ତ ଦାସ ପ୍ରମୁଖ ବର୍ତ୍ତମାନର କେନ୍ଦ୍ର ସରକାର ପ୍ରଚଳିତ ୪୪ ଟି ଶ୍ରମ ଆଇନକୁ ପୁଞ୍ଜିପତି ମାଲିକମାନଙ୍କ ସପକ୍ଷରେ ସଂଶୋଧନ କରି ୪ଟି କୋର୍ଡ଼ରେ ପରିଣତ କରିଥିବା ଆଇନକୁ ପ୍ରତ୍ୟାହାର ସହ ସଂବିଧାନ ବିରୋଧି ଭାରତୀୟ ନ୍ୟାୟ ସଂହିତା ଓ ନାଗରିକ ସୁରକ୍ଷା ସଂହିତା ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧି ନୀତିକୁ ଦୃଢ଼ ସମାଲୋଚନା କରିଥିଲେ । ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ୍ ବୃଦ୍ଧି ବନ୍ଦ କରିବା, ଖାଲିଥିବା ସରକାରୀ ପଦବୀ ପୂରଣ କରିବା, ସ୍କିମ୍ ୱାର୍କରଙ୍କୁ ସର୍ବନିମ୍ନ ମାସିକ ବେତନ ୩୦ ହଜାର ଓ ଇପିଏଫ୍ ପେନ୍‌ସନ୍‌ଭୋଗୀଙ୍କୁ ମାସିକ ସର୍ବନିମ୍ନ ନଅହଜାର ଟଙ୍କା ପେନ୍‌ସନ୍ ସହ ମହଙ୍ଗାଭତ୍ତା, ଅସଂଗଠିତ ନିର୍ମାଣ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସହ ଜାତୀୟ ସଂପତ୍ତିକୁ ବିକ୍ରି ବନ୍ଦ କରିବା କରିବା ପ୍ରଭୃତି ଦାବି ପୂରଣ କରିବାକୁ ଓ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କ ସୁରକ୍ଷା ପାଇଁ ସେମାନେ ଦାବି କରିଥିଲେ । ଏହି ଦାବିରେ ସମଗ୍ର ଦେଶରେ କଳାଦିବସ ପାଳନ ହେଉଥିବାର ବକ୍ତାମାନେ ପ୍ରକାଶ କରିଥିଲେ । ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରତିନିଧିମାନେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକଙ୍କୁ ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।ଏହି ଶୋଭାଯାତ୍ରା ଓ ବିକ୍ଷୋଭ ସମାବେଶରେ ପରିବହନ, ବିଦ୍ୟୁତ୍‌, ରିକ୍ସାଚାଳକ, ଉଠା ଜଳସେଚନ, ରୁପ୍ସାଝୋଟ କାରଖାନା ଶ୍ରମିକ, ନିର୍ମାଣ ଶ୍ରମିକ, ରେଲୱେ ହକର, ଅଟୋ ଚାଳକ, ସ୍କିମ୍ ୱାର୍କର, ଡାକ, ବ୍ୟାଙ୍କ୍‌, ବୀମା, ପ୍ରତିରକ୍ଷା ଓ ବିଭିନ୍ନ କଳକାରଖାନାର ଶ୍ରମିକମାନେ ଯୋଗ ଦେଇଥିଲେ । ସୁହାଗୀ ମାଝୀ, ଜତିନ୍ ପାତ୍ର, ପ୍ରଶାନ୍ତ ପରିଡ଼ା, ଶରତ ଚନ୍ଦ୍ର ଦଳାଇ, ରବିନ୍ଦ୍ର ବେରା, ଭରତ ଚନ୍ଦ୍ର ସେଠୀ, ଆଶୁତୋଷ ପରିଡ଼ା, ସେକ୍ ସଲାଉଦ୍ଦିନ୍‌, ପ୍ରଶାନ୍ତ ଦାସ, ସୁଶାନ୍ତ ସାହୁ, ରଜତ ବେହେରା, ଜୀବନ ବାରିକ, ଅଜିତ୍ ଦାସ ମହାପାତ୍ର, ରମେଶ ଦାସ, ଅରୁଣ ମିଶ୍ର, ରାଜୀବ ମହାପାତ୍ର ଓ ମିନତୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳାନାରେ ନେତୃତ୍ୱ ନେଇଥିଲେ । ମୃତ୍ୟୁଞ୍ଜୟ ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ