କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ପ୍ରମୁଖ ଶ୍ରମ ସଚିବଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଅନଲାଇନ୍ ଜରିଆରେ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକରଣ ଓ ସହାୟତା ପ୍ରଦାନକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ୮ ଦଫା ସମ୍ବଳିତ ଦାବି ପତ୍ର ଶ୍ରମ ବିଭାଗର ପ୍ରମୁଖ ସଚିବଙ୍କୁ ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ତରଫରୁ କୁହାଯାଇଛି ଯେ ଅନଲାଇନ ମାଧ୍ୟମରେ ଅଧିକାଂଶ ନିର୍ମାଣ ଶ୍ରମିକମାନଙ୍କୁ ସେମାନଙ୍କ ସହୟତା ରାଶିରୁ ବଂଚିତ କରିବାକୁ ରାଜ୍ୟ ସାରକାରଙ୍କ ଏହା ଏକ ହୀନ ପ୍ରୟାସ । ପ୍ରଯୁକ୍ତି ବିଦ୍ୟା ନାମରେ ଶ୍ରମିକମାନଙ୍କ ଉପରେ ଏ ପ୍ରକାର ଅତ୍ୟାଚାରରୁ ନିବୃତ୍ତ ରହିବା ପାଇଁ ସରକାରଙ୍କୁ ଦାବି କରାଯାଇଛି । ବୋର୍ଡ଼ର ତୃଟିପୂର୍ଣ୍ଣ ନିତି ଓ ସ୍ଥାନୀୟ ଜିଲ୍ଲା ଦପ୍ତରରେ ଆବଶ୍ୟକୀୟ କର୍ମଚାରୀ ଓ ଭିତ୍ତିଭୂମି ଅଭାବରୁ ହଜାର ହଜାର ଶ୍ରମିକ ସହାୟତା ପାଇବାରୁ ବଂଚିତ ହେଉଛନ୍ତି ବୋଲି କ୍ଷୋଭ ପ୍ରକାଶ କରାଯାଇଛି । ମୃତ୍ୟୁ ସହାୟତାକୁ ୬ ମାସ ମଧ୍ୟରେ ଦେବାକୁ ବ୍ୟବସ୍ଥା ଥିଲେ ସୁଦ୍ଧା ତାହା ଠିକ୍ ସମୟରେ ମିଳିପାରୁ ନାହିଁ । ସରକାର ଏହି ଅନଲାଇନ୍ ପଦ୍ଧତି ଆପଣାଇଲେ ଶ୍ରମିକ ସଂଗଠନଗୁଡ଼ିକର ମାନ୍ୟତା ହରାଇବେ ଓ ଶ୍ରମିକ ସଂଗଠନମାନଙ୍କର ଅଧିକାର ଛଡ଼ାଇ ନେବା ଲାଗି ସରକାରଙ୍କ ଏହା ଏକ ଷଡ଼ଯନ୍ତ୍ର ବୋଲି କୁହାଯାଇଛି । ସରକାର ଅନଲାଇନ ବ୍ୟବସ୍ଥା ସହିତ ଅଫ୍‌ଲାଇନ ବ୍ୟବସ୍ଥା କରିବା, କରୋନା ଯୋଗୁ ବିଦ୍ୟାଳୟ ବନ୍ଦ ଥିବା ଯୋଗୁ ମାର୍କସିଟି ଆସିନାହିଁ ଓ ସେଥିଲାଗି ନୂତନ ନିର୍ଦ୍ଦେଶ ଦେବା ସହ ପଞ୍ଚାୟତ ଅଫିସ୍ ଓ ମୁନ୍ୟିସିପାଲିଟିରେ ପଡ଼ିରହିଥିବା ୧୬୦ କୋଟି ଟଙ୍କାର କରୋନା ସହାୟତା ରାଶିକୁ ତୁରନ୍ତ ଫେରାଇ ଆଣିବାକୁ ଗୁରୁତ୍ୱ ଦିଆଯାଇଛି । ସରକାର ପ୍ରଯୁକ୍ତି ବିଦ୍ୟା ନାମରେ ସାଧାରଣ, ଅର୍ଦ୍ଧଶିକ୍ଷିତ ଓ ମୋବାଇଲ ବ୍ୟବହାର କରୁନଥିବା ଶ୍ରମିକମାନଙ୍କ ଉପରେ ଅନଲାଇନ ବ୍ୟବସ୍ଥାକୁ ବୋଝ ନକରିବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଦାବି କରିଛନ୍ତି । ଏହି ପ୍ରତିନିଧି ଦଳରେ ଆଇଏନ୍‌ଟିୟୁସି ନେତା କିଶୋର ଜେନା, ଏଚ୍‌ଏମ୍‌ଏସ୍‌ର ସଂଯୁକ୍ତା ମହଲ, ସିଆଇଟିୟୁର ସୁର ରାଉତରାୟ, ଏଆଇସିସିଟିୟୁର ମନ୍ଦ୍ରେ ପରିଡ଼ା, ଏଆଇୟୁଟିୟୁସିର ନିରଞ୍ଜନ ମହାନ୍ତି, ଟିୟୁସିସିର ଜ୍ୟୋତି ରଞ୍ଜନ ମହାପାତ୍ର, ବୋର୍ଡ଼ ସଦସ୍ୟ ପ୍ରଣତି ମିଶ୍ର, ଏଲ୍‌ପିଏଫ୍‌ର ମନୋରଞ୍ଜନ ମହାରଣା ପ୍ରମୁଖ ଯୋଗଦେଇ ସରକାରଙ୍କ ଅନଲାଇନ ବ୍ୟବସ୍ଥାକୁ ତୀବ୍ର ବିରୋଧ କରିଥିଲେ । କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଦାବିକୁ ହୃଦୟଙ୍ଗ କରି ଏକ ମାସ ମଧ୍ୟରେ ନିର୍ମାଣ ଶ୍ରମିକମାନଙ୍କ ସ୍ଥିତିକୁ ସୁଧାରିବା ଲାଗି ପ୍ରମୁଖ ଶ୍ରମ ସଚିବ ଓ ଶ୍ରମ ଆୟୁକ୍ତ ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ