କେନ୍ଦ୍ର ଓ ରାଜ୍ୟ ସରକାର ଜନ ବିରୋଧୀ : ବ୍ରଜ ତ୍ରିପାଠୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଗୟାଧର ମଲ୍ଲିକଙ୍କ ସଭାପତିତ୍ୱରେ ସମତା କ୍ରାନ୍ତି ଦଳର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ଉଦ୍‌ଘାଟନ କରି ଦଳର ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବ୍ରଜକିଶୋର ତ୍ରିପାଠୀ କହିଲେ ଯେ, ବର୍ତ୍ତମାନ ଦେଶରେ ବିଜେପି ନେତୃତ୍ୱରେ ଚାଲିଥିବା ୮ ବର୍ଷର କେନ୍ଦ୍ର ସରକାର ସବୁ ଦିଗରେ ବିଫଳ ହୋଇଛନ୍ତି । ବର୍ତ୍ତମାନ ଅତ୍ୟଧିକ ଦରଦାମ ବୃଦ୍ଧିରେ ସାଧାରଣ ଜନତା ବ୍ୟତିବ୍ୟସ୍ତ । ଶିିକ୍ଷିତ ବେକାରୀ ସମସ୍ୟା, ଉତ୍କଟ, ଚାଷୀ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ଦର ନିର୍ଦ୍ଧାରଣକୁ ଆଇଗତ ଦରଜା ଦେବା ପାଇଁ ରାଜରାସ୍ତାରେ, ଶ୍ରମିକ ବେକାର କିମ୍ବା ଦାଦନ ଶ୍ରମିକ ଭାବରେ ଅଧାପେଟରେ ବିଦେଶରେ, ସର୍ବୋପରି ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବାବେଳେ କେନ୍ଦ୍ର ସରକାର ଧର୍ମ ନାମରେ ଦେଶକୁ ବିଭାଜିତ କରିବା ପାଇଁ କାର୍ଯ୍ୟରତ । ଦେଶର ସ୍ୱାଧୀନତା ଆନ୍ଦୋଳନକୁ ବିରୋଧ କରୁଥିବା ଓ ସ୍ୱାଧୀନତାକୁ ସ୍ୱୀକାର କରୁନଥିବା ଗୋଷ୍ଠୀ ଓ ସଂଗଠନର ଆଜି ରାଷ୍ଟ୍ରବାଦୀ । ସେହିପରି ଶ୍ରୀ ତ୍ରିପାଠୀ କହିଥିଲେ ଯେ, ରାଜ୍ୟରେ ବିଜେଡ଼ି ସରକାର ଭାରତର ସବୁଠାରୁ ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟ ସରକାର ଅଟନ୍ତି । ସିଏଜି ତାଙ୍କ ରିପୋର୍ଟରେ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣି ରାଜ୍ୟ ରସକାରଙ୍କୁ ଉଲଗ୍ନ କରି ଦେଇଛନ୍ତି । ଲୁହାପଥର ଲୁଟ୍ ଓ କୋଇଲା ଲୁଟ ମହାଦୁର୍ନୀତି, ବକ୍ସାଇଟ ଦୁର୍ନୀତିରେ ରାଜ୍ୟ ବିଜେଡ଼ି ସରକାର ମୁଖ୍ୟ ଭାଗିଦାରୀ ରହିଛନ୍ତି । ଏହା ସାଙ୍ଗକୁ ରାଜ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନାରେ ଦୁର୍ନୀତି, ଖାଦ୍ୟ ଅନୁପଯୋଗୀ ଚାଉଳ ଯୋଗଣ ସାଙ୍ଗକୁ ଶିଶୁ ଖାଦ୍ୟ ଓ ଡ଼ାଲି ଦୁର୍ନୀତି, ଭେଜାଲ ଔଷଧ, ଜଳସେଚନ, ସମବାୟ ବିଭାଗ ସମେତ ରାଜ୍ୟ ଶାସନର ପ୍ରତ୍ୟେକ ବିଭାଗରେ ଚାଲିଥିବା ଦୁର୍ନୀତିର ଦୁର୍ଗନ୍ଧରେ ଜନସାଧାରଣ ବିବ୍ରତ । ଚିଟ୍‌ଫଣ୍ଡ ଦୁର୍ନୀତିରେ ଶାସକ ଦଳର ସହାୟତାରେ ଓ ପୃଷ୍ଠପୋଷକତାରେ ସାଧାରଣ ନିବେଶଙ୍କ ହଜାର ହଜାର କୋଟି ଟଙ୍କା ବୁଡ଼ି ଯାଉଥିବା ଓ ସରକାରୀ ଦଳର ବହୁ ମନ୍ତ୍ରୀ, ସାଂସଦ, ବିଧାୟକ, ନେତାମାନେ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗର ତଦନ୍ତ ଆବଶ୍ୟକ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ । ଖଣି ଦୁର୍ନୀତିରେ ଜଷ୍ଟିସ ଶାହା କମିଶନ ରିପୋର୍ଟରେ ସିବିଆଇ ତଦନ୍ତ ସୁପାରିଶ ଉପରେ ରାଜ୍ୟ ସରକାରଙ୍କ ଇଚ୍ଛା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନକରାଯିବା ଉଭୟ କେନ୍ଦ୍ରର ଏନ୍‌ଡ଼ିଏ ଓ ରାଜ୍ୟରେ ବିଜେଡ଼ି ସରକାରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାର ଭିତ୍ତିରି ସମ୍ପର୍କକୁ ପ୍ରମାଣିତ କରୁଛି । ଚିଟ୍‌ଫଣ୍ଡ ଦୁର୍ନୀତିରେ ସିବିଆଇ ତଦନ୍ତରେ ମନ୍ଥନରତା ଜନସାଧାରଣଙ୍କୁ ବିବ୍ରତ କରୁଛି । ରାଜ୍ୟ ସରକାରଙ୍କର ‘ଲୋକାୟୁକ୍ତ’ ବିଧେୟକୁ ସମାଲୋଚନା କରି ଶ୍ରୀ ତ୍ରିପାଠୀ କହିଥିଲେ ଯେ, ଦନ୍ତ ବିହୀନ ଏହି ଆଇନରେ ଭିଜିଲାନ୍ସକୁ ଲୋକାୟୁକ୍ତଙ୍କ ଅଧୀନ ନକରିବା ଓ ନାଗରିକ ଅଧିକାରକୁ ସ୍ୱୀକୃତି ନଦେବା ଦ୍ୱାରା ଏହା ସଶକ୍ତ ତଥା ଉଚ୍ଚସ୍ତରରେ ଭ୍ରଷ୍ଟାଚାର ରୋକିବାରେ ସକ୍ଷମ ହେବନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଦିଗହରା ଓ ଚିରାଚରିତ ବଜେଟ ଓ ଚାଷୀ, ବେକାରୀ ସମସ୍ୟା ସମାଧାନରେ ବିଫଳ ବଜେଟ ବୋଲି ଶ୍ରୀ ତ୍ରିପାଠୀ କହିଥିବା ବେଳେ ଆଗାମୀ ଦିନରେ ଦେଶର ଅତ୍ୟଧିକ ଦରଦାମ ବୃଦ୍ଧି ଓ ମୁଦ୍ରାସ୍ଫୀତି ଘଟିବ ବୋଲି ସେ କହିଥିଲେ ।
ଶ୍ରୀ ତ୍ରିପାଠୀ ଆହୁରି ମଧ୍ୟ କହିଥିଲେ ଯେ, ସମତା କ୍ରାନ୍ତି ଦଳ ଅନୁଭବ କରେ ଯେ, ରାଜ୍ୟରେ ଦିଗହରା, ପରସ୍ପର କନ୍ଦଳରେ ଲିପ୍ତ କଂଗ୍ରେସ ଦଳ ଦକ୍ଷ ବିରୋଧୀ ଦଳର ଭୂମିକା ତୁଲାଇବାରେ ଅସମର୍ଥ ହୋଇଛି । ଏଣୁ ଚରମ ଦୁର୍ଦ୍ଦଶା ଭିତରେ ଗତି କରୁଥିବା ଓଡ଼ିଶାର ଜନସାଧାରଣଙ୍କ ପାଇଁ ପରିବର୍ତ୍ତନ ଅବଶ୍ୟମ୍ଭାବୀ ହୋଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଜନମୋର୍ଚ୍ଚା ଓ ତାର ଐତିହାସିକ, ସମୟ ଉପଯୋଗୀ, ସଠିକ୍ ନିଷ୍ପତ୍ତି ନେଇ ସମତାକ୍ରାନ୍ତି ଦଳରେ ନିଜକୁ ବିଲୀନ କରିଦେଇଛି । ଓଡ଼ିଶାର ଅନ୍ୟ ଛୋଟ ଛୋଟ ଦଳ, ମିଳିତ ହୋଇପାରିଲେ ରାଜ୍ୟକୁ ସୁସ୍ଥ, ଦୁର୍ନୀତିମୁକ୍ତ କାର୍ଯ୍ୟକ୍ଷମ ଶାସନ ଦେବାରେ ସଫଳ ହୋଇପାରିବ ଓ ଦେଶରେ ସମତା ଭିତ୍ତିକ ଶାସନ ଓ ଆର୍ଥିକ ବ୍ୟବସ୍ଥା ପାଇଁ ଆଶା ସୃଷ୍ଟି ହେବ । ଶ୍ରୀ ତ୍ରିପାଠୀ ଓଡ଼ିଶାର ସମସ୍ତ ବାମପନ୍ଥୀ ଦଳ, ପ୍ରଗତିଶୀଳ ଦଳ, ଗଣ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ଜନବିରୋଧୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ମିଳିତ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଦଳର ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାସ ସାମନ୍ତରାୟ ବାର୍ଷିକ ବିବରଣୀ ଓ ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ ଓ ଯୁବନେତା ଇଂ ସାରଦା ପ୍ରସନ୍ନ ସ୍ୱାଇଁ ସ୍ୱାଗତ ଭାଷଣ ଦେଇ ଯୁବକମାନଙ୍କୁ ଆଗାମୀ ଲଢେଇ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇଥିଲେ । ସଭାରେ ରାଜନୈତିକ ପ୍ରସ୍ତାବ, କୃଷି ଓ କୃଷକ ସମସ୍ୟା ସମ୍ପର୍କିତ ପ୍ରସ୍ତାବ, ବେକାରୀ ସମସ୍ୟା ସମ୍ପର୍କିତ ପ୍ରସ୍ତାବ, ଶ୍ରମିକମାନଙ୍କ ନ୍ୟାର୍ଯ୍ୟଦାବି ସମ୍ପର୍କିତ ପ୍ରସ୍ତାବ ଆଦି ଆଲୋଚନା ହୋଇ ଗୃହିତ ହୋଇଥିଲା । ଏହିସବୁ ପ୍ରସ୍ତାବ ମଦନ ନନ୍ଦ, ମନୋରଞ୍ଜନ ପଟ୍ଟନାୟକ, ସରୋଜ ଶତପଥୀ, ଅରେନ ପାଣି ଆଗତ କରିଥିଲେ । ଏହାପରେ ସର୍ବସମ୍ମତି ଅନୁମୋଦନ କ୍ରମେ ଗୟାଧର ମଲ୍ଲିକ ସଭାପତି, ପ୍ରଭାସ ସାମନ୍ତରାୟ ସାଧାରଣ ସମ୍ପାଦକ, ଆଡ଼ଭୋକେଟ ଦିଗନ୍ତ ଦେ ଉପସଭାପତି, ଘେନୁ ମୁଦୁଲି ଉପସଭାପତି, ଆରେନ ପାଣି ଉପସଭାପତି, ପ୍ରଦୀପ୍ତ କୁମାର ସାହୁ ସମ୍ପାଦକ, ସୁରୋଜ କୁମାର ଶତପଥୀ ସମ୍ପାଦକ, ମଦନ ନନ୍ଦ ଉପସଭାପତି, ମାଧବ ବିଡ଼ିକାଙ୍କୁ ସମ୍ପାଦକ ଭବେ ମନୋନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଚାଷୀନେତା ନାରାୟଣ ରାଉତଙ୍କ ସମେତ ସର୍ବଶ୍ରୀ ଚନ୍ଦ୍ରଶେଖର ସ୍ୱାଇଁ, ହେମନ୍ତ କୁମାର ମୁଦୁଲି, ପ୍ରଫୁଲ୍ଲ ମହାପାତ୍ର, ଅରକ୍ଷିତ ଜେନା, ସ୍ୱପ୍ନା ଅଗ୍ରୱାଲ ପ୍ରମୁଖ ଉଦ୍‌ବୋଧ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ