କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲିଆ, ନୂଆସାହି, ଭାସ୍କରଗଞ୍ଜ, ଗୋଡ଼ିପଦା ଓ ଶୋଭାରାମପୁର ଅଞ୍ଚଳର ବାସିନ୍ଦାଙ୍କୁ ନେଇ ଗତ ୫ବର୍ଷ ତଳେ ଗଠିତ ‘ଜଳ ନିଷ୍କାସନ କମିଟି’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ରୟାଲ କୁଇନ କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନିର୍ମଳ ଚନ୍ଦ୍ର ଧଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସ୍ଥାନୀୟ ଅଞ୍ଚଳବାସୀ ଯୋଗଦେଇ ସାମ୍ନା କରୁଥିବା ବର୍ଷାଜଳ ନିଷ୍କାସନ ଜନିତ ସମସ୍ୟା ଓ ତା’ର ନିରାକରଣ ଉପରେ ଆଲୋଚନା କରିଥିଲେ । ତାମୁଳିଆଠାରୁ ଓ ରେଳଧାରଣା ପାଶ୍ୱର୍ରୁ ବର୍ଷାଜଳ ସ୍ଥାନୀୟ ଅଞ୍ଚଳ ବାସିନ୍ଦାମାନଙ୍କ ଘରକୁ ପ୍ରବେଶ କରିବା ଫଳରେ ପ୍ରତିବର୍ଷ ଦୁଇତିନିଥର ବ୍ୟାପକ କ୍ଷତି ହେଉଛି । ବିଶେଷ କରି ସହଦେବଖୁଣ୍ଟା ବସଷ୍ଟାଣ୍ଡରୁ ରେମୁଣାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହୋଇ ନୂଆସାହି ଛକ ନିକଟରେ ଯାତାୟାତରେ ବାଧାସୃଷ୍ଟି କରୁଛି । ଏହାର ପ୍ରତିକାର ପାଇଁ କମିଟି ତରଫରୁ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଜିଲା ପ୍ରଶାସନ ଓ ରେଳ ବିଭାଗକୁ ବହୁ ଆବେଦନ ନିବେଦନ କଲେ ମଧ୍ୟ ସମସ୍ୟାର ସ୍ଥାୟୀ ପ୍ରତିକାର ହୋଇପାରୁନାହିଁ । ତେଣୁ ଆସନ୍ତା ୭ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ଅବସରରେ କମିଟି ତରଫରୁ ତାଙ୍କୁ ଏକ ଦାବିପତ୍ର ଦେବାକୁ ବୈଠକରେ ନିଷ୍ପତ୍ତିି ଗ୍ରହଣ କରାଯାଇଛି । ପଦାରବିନ୍ଦ ମହାପାତ୍ର, ସନ୍ତୋଷ କୁମାର ସିଂହ, ବିନୋଦ କୁମାର ଦାସ, ଗିରିଧର ବିନ୍ଧାଣୀ, ପୂର୍ବତନ କାଉନସିଲର ଚିତ୍ତରଂଜନ ପଣ୍ଡା, ଆଇନଜୀବୀ ନିରଞ୍ଜନ ପରିଡ଼ା ଓ ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଏହି ବୈଠକରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆବାହକ ଶ୍ୟାମାନନ୍ଦ ରାଉଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ