କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ସ୍ମାରକ ପତ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):‘ବନ୍ଦେ ଭାରତ ଏକ୍ସପ୍ରେସ’ ଉଦ୍‌ଘାଟନ ଅବସରରେ ଓଡ଼ିଶାଗସ୍ତରେ ଆସିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଭେଟି ଏକ ସ୍ମାରକ ପତ୍ର ଦେବା ପାଇଁ ଅନୁମତି ମଗାଯାଇଥିଲା । କିନ୍ତୁ ଦୁଃଖର କଥା ମନ୍ତ୍ରୀଙ୍କ ପକ୍ଷରୁ ପ୍ରତିନିଧି ଦଳଙ୍କୁ ଭେଟିବା ପାଇଁ କୌଣସି ଅନୁମଳତି ନ ମିଳିବାରୁ ଦଳ ପକ୍ଷରୁ ଏକ ୫ ଦଫା ସମ୍ବଳିତ ଦାବିପତ୍ର ରେଳମନ୍ତ୍ରୀଙ୍କୁ ଇ-ମେଲ ଯୋଗେ ପଠାଯାଇଛି । ଏହି ସ୍ମାରକପତ୍ରରେ ଦଳ ପକ୍ଷରୁ (୧) ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିକଟ ଶୀତଳପଲ୍ଲୀଠାରେ ଏକ ରେଳ ୱାଗନ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିବା (୨) ପାରାଦ୍ୱୀପ ହରିଦାସପୁର ରେଳ ଲାଇନରେ କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମା ଦେଇ ଯାତ୍ରୀବାହୀ ରେଳ ଚଳାଚଳ କରିବା (୩) ଭୁବନେଶ୍ୱର-ହାଇଦ୍ରାବାଦ ଓ ଭୁବନେଶ୍ୱର-ରାୟପୁର ଭାୟା ଝାରସୁଗୁଡ଼ା, ରାଉରକେଲା ଦେଇ ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବା (୪) ଭୁବନେଶ୍ୱର ମୁମ୍ବାଇ ଦେଇ ଏକ ଏକ୍ସପ୍ରେସ୍ ଟ୍ରେନ ଚଳାଇବା ଏବଂ (୫) ଭୁବନେଶ୍ୱର-ନୂଆଦିଲ୍ଲୀ ଭାୟା ସମ୍ବଲପୁର ଦେଇ ଏକ ସପୁରଫାଷ୍ଟ ଟ୍ରେନ ଚଳାଇବା ପାଇଁ ଏହି ସ୍ମାରକ ପତ୍ରରେ ଦାବି କରାଯାଇଛି ।ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଯୁବନେତା ସୁବ୍ରତ ଲେଙ୍କା, କୋଷାଧ୍ୟକ୍ଷ ସଞ୍ଜୟ ନାୟକ ଓ ଆଡ଼ଭୋକେଟ ଶରତ ଚନ୍ଦ୍ର ବେହେରା ପ୍ରମୁଖଙ୍କ ଦସ୍ତଖତ ସମ୍ବଳିତ ଏହି ଦାବିପତ୍ରଟି ରେଳମନ୍ତ୍ରୀଙ୍କ ସମେତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପଠାଯାଇଛି । ତୁରନ୍ତ ଓଡ଼ିଶାର ସ୍ୱାର୍ଥକୁ ଆଖି ଆଗରେ ରଖି ପାରାଦ୍ୱୀପ ହରିଦାସପୁର ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଇବା, ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ତୁରନ୍ତ ଓଡ଼ିଶା ମଧ୍ୟ ଦେଇ ଚଳାଇବା ଏବଂ ଗଞ୍ଜାମର ଶୀତଳପଲ୍ଲୀଠାରେ ରେଳ ୱାଗନ ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆନଗଲେ ସମାଜବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳର ସଭାପତି ରବି ବେହେରା ପ୍ରକାଶ କରିଛନ୍ତି । ନିର୍ବାଚନ ପୂର୍ବରୁ ରେଳ ବିଭାଗ ତୁରନ୍ତ ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରକଳ୍ପ ପୂର୍ଣ୍ଣ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ