କେନ୍ଦ୍ର ସରକାରଙ୍କର ଏକଛତ୍ରବାଦ ବିରୁଦ୍ଧରେ ଦୁଇ ବାମଦଳର ପ୍ରତିବାଦ

ବାଲେଶ୍ୱର,:(ଯୁଗାବ୍ଦ ନ୍ୟୁଜ୍)- ସଂବିଧାନର ୩୭୦ଧାରା ଓ ୩୫(କ) ଉଚ୍ଛେଦପରେ କେନ୍ଦ୍ର ସରକାରଙ୍କ ତରଫରୁ ସେଠାରେ ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇନଥିବାର କୁହାଯାଉଥିବାବେଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜାତୀୟ ସଂପାଦକ ଡି. ରାଜା ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ଏମ୍.)ର ଜାତୀୟ ସଂପାଦକ ସୀତାରାମ ୟେଚ୍ୟୁରୀ ଗତ ଦୁଇଦିନ ତଳେ ଜାମୁକାଶ୍ମୀରକୁ ଗସ୍ତ କରିବା ସମୟରେ ଏହି ଦୁଇଜଣଙ୍କୁ ଶ୍ରୀନଗର ବିମାନ ବନ୍ଦରରେ ସ୍ଥାନୀୟ ସୁରକ୍ଷାକର୍ମୀ ଅଟକ ରଖି ଦିଲ୍ଲୀକୁ ଫେରାଇଦେବା ଘଟଣାକୁ ବାମପନ୍ଥୀ ଦଳମାନେ ଦୃଢ଼ ବିରୋଧ କରିଛନ୍ତି । ବାଲେଶ୍ୱର ସହରର ବିଚାରଗଞ୍ଜ ଛକ ପାଶ୍ୱର୍ରେ ସି.ପି.ଆଇ. ଏବଂ ସି.ପି.ଆଇ (ଏମ.)ର କର୍ମୀ ଓ ସମର୍ଥକମାନେ ଏକ ଅଭିନବ ଉପାୟରେ ମୁହଁରେ କଳାକପଡ଼ା ବାନ୍ଧି ଶନିବାର ଦିନ ନିରବ ପ୍ରତିବାଦ ଜଣାଇଥିଲେ । ସ୍ୱାଧୀନ ଭାରତରେ ଜଣେ ନାଗରିକ ମୁକ୍ତଭାବେ ବିଚରଣ କରିବାର ସାଂବିଧାନିକ ଅଧିକାରକୁ କେନ୍ଦ୍ର ସରକାର ହତ୍ୟା କରୁଛି ବୋଲି ଉଭୟ କମ୍ୟୁନିଷ୍ଟ ପାର୍ଟି ତରଫରୁ କୁହାଯାଇଛି । ସଂବିଧାନର ୩୭୦ ଧାରା ଓ ୩୫(କ) ଉଚ୍ଛେଦ ପାଇଁ ସମସ୍ତ ସାଂବିଧାନିକ ପ୍ରକ୍ରିୟାକୁ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଓ ତାଙ୍କ ସହ ଅସାଧୁ ମେଣ୍ଟରେ ସାମିଲ ଥିବା କେତେକ ଆଞ୍ଚଳିକ ରାଜନୈତିକ ଦଳ ସଂଖ୍ୟା ଗରିଷ୍ଠତାର ବଳ ପ୍ରୟୋଗ କରି ଉଚ୍ଛେଦ କରିଥିବାରୁ ବାମଦଳମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଥିବା ବରିଷ୍ଠ କଂଗ୍ରେସ ନେତା ଗୁଲାମନବି ଆଜାଦଙ୍କୁ ମଧ୍ୟ ଶ୍ରୀନଗର ବିମାନ ବନ୍ଦରରୁ ଫେରାଇ ଦିଆଯାଇଥିଲା । ଏହି ଘଟଣା କେନ୍ଦ୍ର ସରକାରଙ୍କର ଏକଛତ୍ରବାଦ ଚରିତ୍ର ପ୍ରତିପାଦିତ କରୁଥିବାର ପ୍ରମାଣ ବୋଲି ଉଭୟ ପାର୍ଟି ଅଭିଯୋଗ କରିଛନ୍ତି । ଦୁଇ ବାମପନ୍ଥୀ ଦଳ ତରଫରୁ ସର୍ବଶ୍ରୀ ନିର୍ମଳ ନାୟକ, ଭାଗବତ ପ୍ରତିହାରୀ, ପ୍ରେମରଞ୍ଜନ ପାତ୍ର, ଗୌରାଙ୍ଗ ପାଣିଗ୍ରାହୀ, ନିକୁଞ୍ଜ ବସନ୍ତ ରାୟ, ଶ୍ୟାମସୁନ୍ଦର ଜେନା, ରାଜକିଶୋର ଲେଙ୍କା, ଏମ୍.କେ.ଡି. ମଜୁମଦାର, ଉମାକାନ୍ତ ପାତ୍ର, ସନ୍ଧ୍ୟା ଦାସମଜୁମଦାର, ରତ୍ନାକର ବେହେରା, ରାମ ବେହେରା, ରାଜେଶ ନାୟକ ଓ ଶରତ ଦଳାଇ ପ୍ରମୁଖ ଏହି ନିରବ ପ୍ରତିବାଦରେ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ