କେବଳ ନବୀନଙ୍କ ଶାସନରେ ସୁରା ଓ ସାକିର ସାମ୍ରାଜ୍ୟ ନିର୍ବିଘ୍ନରେ ଚାଲିପାରେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନିରବିଚ୍ଛିନ୍ନ ଭାବେ ବିଜୁ ଜନତା ଦଳ ଶାସନ ଚାଲିଛି। ବି.ଜେ.ଡ଼ି ଶାସନରେ ବିଜୁଙ୍କ ସ୍ବପ୍ନ ସାକାର ଆମର ବଡ଼ ଆଦର୍ଶ ବୋଲି ବିଜେଡ଼ି ଦଳର ନେତାମାନେ ବିଭିନ୍ନ ସଭା ସମିତିରେ ତୁହାକୁ ତୁହା ପ୍ରଚାର ଚଳେଇ ଆସୁଛନ୍ତି। ହେଲେ, ବଲାଙ୍ଗୀରର ସୁଦପଡ଼ା ଦେଶୀ ମଦ ଭାଟିରୁ ୪୦୦ କୋଟିର ବିପୁଳ ଅର୍ଥ ଓ ସେଥିରେ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ସଂପୃକ୍ତି ନବୀନଙ୍କ ଶାସନର ଛବିକୁ ପଦାରେ ପକାଇ ଦେଇଛି। ନବୀନଙ୍କ ବାପା ବିଜୁ ପଟ୍ଟନାୟକ ତାଙ୍କ ଶାସନ ସମୟରେ ଦେଶୀ ମଦ ବିକ୍ରି ବନ୍ଦ କରିବା ସହ ସୁମନ ଝୋଡ଼ିଆଙ୍କ ଭଳି ନେତ୍ରୀଙ୍କ ଆନ୍ଦୋଳନ ଓ ନେତୃତ୍ବକୁ ସ୍ବୀକୃତି ଦେଇଥିଲେ। ହେଲେ ନବୀନଙ୍କ ଶାସନରେ କିଭଳି ଅବାଧ ସୁରା ସାମ୍ରାଜ୍ୟର ଅବୈଧ ଅର୍ଥ ପାହାଡ଼ ଭଳି ଜମା ହୋଇପାରେ ତାହାର ପ୍ରମାଣ ବଲାଙ୍ଗୀରର ସୁଦପଡ଼ା କଳା ଟଙ୍କା ଧରା ପଡ଼ିବାରୁ ମିଳିଗଲା। ନବୀନ ପଟ୍ଟନାୟକ ଦୀର୍ଘ ଦିନ କାଳ ଜଳ ସେଚନ ମନ୍ତ୍ରୀ ହୋଇ ବଲାଙ୍ଗୀରକୁ ଜଳ ସେଚିତ ସିନା କରି ପାରିଲେନି କିନ୍ତୁ କଳା ଟଙ୍କା ଗଚ୍ଛିତ କରିବାରେ ସ୍ବିଡ଼େନ୍ ଓ ମରିସସ୍ ଭଳି ଦେଶ ଯେଉଁଠି କଳା ଟଙ୍କା ନିର୍ବିଘ୍ନରେ ରଖାଯାଇପାରେ ସେହି ଭଳି ମାନ୍ୟତା ଦେଇଦେଲେ। ସବୁଠାରୁ ବଡ଼ କଥା ହେଲା ବଲାଙ୍ଗୀରରେ ବିଜେପି ଓ କଂଗ୍ରେସର ସୁଦୃଢ଼ ଉପସ୍ଥିତ ଓ ପୂର୍ବତନ ବିଜେପି ରାଜ୍ୟ ସଭାପତି ଓ ଏବେର କଂଗ୍ରେସ ସଭାପତିଙ୍କ ଜିଲ୍ଲା ହୋଇଥିଲା ବେଳେ କଂଗ୍ରେସ ଓ ବିଜେପି ନେତୃବୃନ୍ଦ ଅବାଧ ଓ ଅବୈଧ ଦେଶୀ ମଦ କାରବାରକୁ ବିରୋଧ ନ କରିବା ବିସ୍ମୟ ଜନକ। ତେଣୁ ବିଜେଡ଼ି ଯେ କେବଳ ଦେଶୀ ମଦ ମାଫିଆଙ୍କୁ ଭୂସ୍ବର୍ଗ ଭାବେ ପଶ୍ଚିମ ଓଡ଼ିଶା ଓ ଆଦିବାସୀ ଅଞ୍ଚଳକୁ ପରିଣତ କରିଛି। ଏହା ନୁହେଁ ଏହା ପଛରେ ବିଜେପି ଓ କଂଗ୍ରେସର ନୀରବ ସମର୍ଥନ ରହିଛି। ଅତଏବ୍ ଓଡ଼ିଶାକୁ ନିଶାମୁକ୍ତି ଓ ଦୁର୍ନିତୀ ମୁକ୍ତ ନ କରିବାରେ କଂଗ୍ରେସ ଓ ବିଜେପି ବିଜେଡ଼ିର ଭୂମିକା ପ୍ରାୟତଃ ସମାନ। ବର୍ଷ ବର୍ଷ ଧରି ବିଜେପି ଓ କଂଗ୍ରେସ ନେତୃବୃନ୍ଦ ଏହି ବ୍ୟବସାୟକୁ ବର୍ଷ ବର୍ଷ ଧରି କାହିଁକି ବିରୋଧ କରୁ ନଥିଲେ, ଏହା ମଧ୍ୟ ପ୍ରଶ୍ନବାଚୀ? ନବୀନଙ୍କ ଶାସନରେ ସୁରା ଓ ସାକିର ସାମ୍ରାଜ୍ୟ ନିର୍ବିଘ୍ନରେ ଚାଲିବାର ପ୍ରମାଣ ବଲାଙ୍ଗୀର ଘଟଣାରୁ ଅଧିକ ସ୍ପଷ୍ଟ ହୋଇଛି। ଅର୍ଚନା ନାଗ ବିଜେଡ଼ିର ଅଧିକାଂଶ ବିଧାୟକଙ୍କୁ ପକେଟରେ ବୁଲିବା ନବୀନ ଶାସନର ଅନ୍ୟତମ ଭ୍ରଷ୍ଟାଚାରର ନଗ୍ନ ଉଦାହରଣ। ଆମେ ଏହି ଘଟଣାରେ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍ଆଇଟି ଟିମ୍ ତଦନ୍ତ ଦାବୀ କରୁଛି ବୋଲି ମୋ ଦଳର ମହା-ସଚିବ ଶ୍ରୀ ପ୍ରଦିପ ପ୍ରଧାନ ଓ ପ୍ରଚାର କମିଟି ଅଧ୍ୟକ୍ଷ ଶେଷଦେବ ନନ୍ଦ ଜଣାଇଛନ୍ତି।


