କେବେ ଖୋଲିବ ଆହାରକେନ୍ଦ୍ର ଚାହିଁ ବସିଛନ୍ତି ଦିନମଜୁରିଆ
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ରେ ଥିବା ଆହାର କେନ୍ଦ୍ର କେବେ ଖୋଲିବ ଅନେଇ ବସିଛନ୍ତି ଶ୍ରମିକ ଏବଂ ନିହାତି ଗରିବ, ଅସହାୟ ଶ୍ରେଣୀ ଲୋକମାନେ, ମାର୍ଚ୍ଚ ମାସରୁ ଆହାର କେନ୍ଦ୍ରରେ ତାଲା ଝୁଲୁଛି । ୬ ମାସରୁ ଅଧିକ ସମୟ ହେବ ବନ୍ଦ ରହିଛି ଭୋକିଲାଙ୍କୁ ଖାଦ୍ୟ ଯୋଗାଉଥିବା ଆହାରକେନ୍ଦ୍ର । ଆହାର ଯୋଜନା ଆରମ୍ଭ ହେବା ଦିନଠୁ ଏହା ଗରିବ, ଶ୍ରମିକ ଓ ଭୋକିଲାଙ୍କ ପାଇଁ ବରଦାନ ସଦୃଶ ହୋଇଆସିଛି । ୫ଟଙ୍କା ଦେଇ ପେଟକୁ ଦିମୁଠା ଭାତ ଡାଲମା ଖାଉଥିଲେ ଅସହାୟ ଲୋକେ । ଅଭାବୀ ଖଟିଖିଆ ଓ ଅନାହାରରେ ରହୁଥିବା ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ଏହି ଯୋଜନାକୁ ଆରମ୍ଭ କରିଥିଲେ ରାଜ୍ୟ ସରକାର । ମହାମାରୀ କରୋନା ଦେଶ ତଥା ରାଜ୍ୟର ଆର୍ଥିକ ସ୍ଥିତିକୁ ବିଗାଡିଦେଇଛି । ଏଥିରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଖଟିଖିଆ ଦିନମଜୁରିଆ । ସରକାରୀ ରିଲିଫ୍ ସହାୟତା ପାଇ କଷ୍ଟେମଷ୍ଟେ କିଛିଦିନ କାଟିଲେ । ଏବେ ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି । ଦିନେଅଧେ କାମଧନ୍ଦା ମିଳୁଛି, ହେଲେ ପରିବାର ଚଳାଇବା ମୁସ୍କିଲ ହୋଇପଡିଛି । ଅନ୍ୟପଟେ ବଢୁଥିବା ପରିବା ଦର ସେମାନଙ୍କ ନିଦ ହଜାଇ ଦେଇଛି । ୫ଟଙ୍କିଆ ଆହାର ଖାଇ ଦିନେଅଧେ ସେମାନଙ୍କ କାମ ଚଳିଯାଉଥିଲା । କିନ୍ତୁ ବହୁଦିନ ଧରି ଖୋଲୁନାହିଁ ଆହାରକେନ୍ଦ୍ର । ଦୋକାନବଜାର, ସପିଂମଲ ଖୋଲୁଥିବା ବେଳେ ଆହାରକେନ୍ଦ୍ର କାହିଁକି ଖୋଲାଯାଇପାରିବନି ବୋଲି ପ୍ରଶ୍ନ କରୁଛନ୍ତି ଗରିବ ଲୋକେ । ଜୀବନଜୀବିକା ସ୍ୱାଭାବିକ ହେଉଥିବା ବେଳେ ଏହାକୁ ବାଦ ଦିଆଯିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦିନ ମଜୁରିଆ । ଅନଲକ-୫ରେ ସବୁ ଖୋଲିଥିବା ବେଳେ ଆହାରକେନ୍ଦ୍ରକୁ ଭୁଲିଯାଇଛନ୍ତି ରାଜ୍ୟ ସରକାର । ଅପରପକ୍ଷରେ ଛତ୍ରପୁର ରେ ଆହାର କେନ୍ଦ୍ର ତୁରନ୍ତ ଖୋଲିବାକୁ ଦାବୀ କରିଛନ୍ତି ସିପିଆଇପାର୍ଟି ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ ସେ କହିଛନ୍ତି ଜିଲ୍ଲାର ସଦରମହକୁମା ଛତ୍ରପୁର ହୋଇଥିବା ରୁ ଏଠାରେ ଜିଲ୍ଲାପାଳ ଙ୍କ ଅଫିସ ଆରମ୍ଭ କରି ସମସ୍ତ ଅଫିସ ରହିଛି, ତେଣୁ ନିହାତି ଗରିବ ଶ୍ରେଣୀ ର ଲୋକମାନେ କିଛି ନା କିଛି କାମ ନିମନ୍ତେ ଛତ୍ରପୁର ଆସିଥାନ୍ତି, ଭୋକ ହେଲେ ପାଞ୍ଚ ଟଙ୍କା ଆହାର କେନ୍ଦ୍ର ରେ ଖାଉଥିଲେ, ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ବହୁ ମାସ ଧରି ବନ୍ଦ ରହିଛି କ୍ଷ ତେଣୁ ରିକ୍ସା ଚାଳକ ଠାରୁ ଆରମ୍ଭ କରି ଶ୍ରମିକ ଏବଂ ନିହାତି ଗରିବ ଲୋକମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ରାଜ୍ୟ ସରକାର ଏବଂ ଜିଲ୍ଲାପ୍ରଶାସନ ଏହି କେନ୍ଦ୍ର ର ତୁରନ୍ତ ଖୋଲିବା ବ୍ୟବସ୍ଥା କରିଲେ ଲୋକେ ସୁବିଧା ପାଇପାରିବେ, ସେହିପରି ଚାଷୀ ନେତା ସିମାଞ୍ଚଳ ନାହାକ ମଧ୍ୟ ଅନୁରୂପ ଦାବୀ କରିଛନ୍ତି, ତୁରନ୍ତ ଆହାର କେନ୍ଦ୍ର ଖୋଲା ନ କଲେ ଆଗାମୀ ଦିନରେ ଗରିବ, ଅସହାୟ ଲୋକଙ୍କ ସ୍ୱାର୍ଥ ପାଇଁ ଜିଲ୍ଲାପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯିବ,