କେରଳରେ ଦୁର୍ଦ୍ଦଶାରେ ରହିଛନ୍ତି ୧୧ ଓଡ଼ିଆ ଦାଦନ ଶ୍ରମିକ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ୮ ଜଣ ଓ ଆସିକା ବ୍ଲକର ୩ ଜଣ ଏହିପରି ମୋଟ ୧୧ ଜଣ ଦାଦନ ଶ୍ରମିକ କେରଳରେ ଭୋକ ଉପାସରେ ରହି ଦୁର୍ଦ୍ଦଶା ଭୋଗୁଥିବା ଜଣାପଡିଛି। ଗତ ୪ ମାସ ପୂର୍ବେ ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ କଲମ୍ବ ଗ୍ରାମର ଅନିଲ କୁମାର ରାଉତ, ରାଜ କୁମାର ରାଉତ, ଚିତ୍ରସେନ ରାଉତ, ଟୁଲୁ ଗୌଡ଼, ମୁନା ଗୌଡ଼, ଟୁକୁନା ଗୌଡ଼ ଓ ମିଥୁନ ପ୍ରଧାନ ଏବଂ ପାଙ୍ଗିଡ଼ି ଗ୍ରାମର ଅନିଲ କୁମାର ସାହୁ ୮ ଜଣଙ୍କ ସହ ଆସିକା ବ୍ଲକର ଖଣ୍ଡରାଳି ଗ୍ରାମର ବୁଲୁ ବିଷୋୟୀ, ପ୍ରଦୀପ ବିଷୋୟୀ, ଓ କୈଳାଶ ସ୍ବାଇଁ ୩ ଜଣ, ଏହିପରି ମୋଟ ୧୧ ଜଣ କେରଳ ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥିଲେ।ଏହି ୧୧ ଜଣ ଶ୍ରମିକ କେରଳର କୋଚି ଅଞ୍ଚଳରେ ଥିବା ଟିସି-ୱାନ ପ୍ରପେର୍ଟିସ ଏଣ୍ଡ ପ୍ରୋଜେକ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ପ୍ରଥମେ କମ୍ପାନୀ ଠିକ ଭାବେ ମଜୁରୀ ଟଙ୍କା ଦେଉଥିବା ବେଳେ ବର୍ତ୍ତମାନ କମ୍ପାନୀ ମଜୁରୀ ଟଙ୍କା ଦେଉ ନଥିବା ଯୋଗୁଁ ଓ ବିଭିନ୍ନ ହଇରାଣ କରିବା ଯୋଗୁଁ ଶ୍ରମିକ ୧୧ ଜଣ ଗ୍ରାମକୁ ଫେରିଆସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ହେଲେ ସେମାନଙ୍କ ପାଖରେ ଅର୍ଥ ନଥିବା ଯୋଗୁଁ ଗ୍ରାମକୁ ଆସି ପାରୁନାହାଁନ୍ତି। କମ୍ପାନୀର ମ୍ୟାନେଜରଙ୍କୁ ସେମାନଙ୍କ ମଜୁରୀ ଟଙ୍କା ମାଗିଲେ ବିଭିନ୍ନ ଆଳ ଦେଖାଇ ଦେଉନଥିବା ଯୋଗୁଁ ସେମାନେ ବର୍ତ୍ତମାନ ସେଠାରେ ଭୋକ ଉପାସରେ ରହିଛନ୍ତି। ପେଟକୁ ଦାନା ପାଇଁ ସେମାନଙ୍କ ନିକଟରେ ଟଙ୍କା ନଥିବା ବେଳେ ଗ୍ରାମକୁ ଫେରିବା ଅସମ୍ଭବ ହୋଇପଡ଼ିଛି। ସେମାନଙ୍କ ବକେୟା ମଜୁରୀ ଟଙ୍କା ଆଦାୟ ସହ ସେମାନଙ୍କୁ ଗ୍ରାମକୁ ଫେରିଯିବାର ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ସମେତ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ଓ ଗଞ୍ଜାମ ଜିଲ୍ଲାପାଳ ମହୋଦୟ ହସ୍ତକ୍ଷେପ କରିବାକୁ ଦାଦନ ଶ୍ରମିକ ବୃନ୍ଦ ଆକୁଳ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ