କେରଳରେ ଯୁବକଙ୍କ ମୃତ୍ୟୁ:ପୁଅର ଶବ ଆଣିବାକୁ ଉପଜିଲ୍ଲାପାଳ ଙ୍କ ନିକଟରେ ପରିବାର ପକ୍ଷରୁ ଗୁହାରି
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସରୁନି ଦାଦନ ଦୁଃଖ। ଗାଁରେ କାମଧନ୍ଦା ନପାଇ ଦାଦନ ଖଟିବାକୁ କନ୍ଧମାଳ ବାଲିଗୁଡ଼ା ଅଞ୍ଚଳରୁ କେରଳ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ପୁଅର ଶବ କେରଳରୁ ବାଲିଗୁଡ଼ା ଘରକୁ ଫେରାଇ ଆଣିବାକୁ ପରିବାର ଲୋକ ପ୍ରଶାସନ ପାଖରେ ଗୁହାରି କରିଛନ୍ତି । ମିଳିଥିବା ସୂଚନା ପ୍ରକାରେ, ବାଲିଗୁଡ଼ା ସୁନାପାଙ୍ଗା ସାହିର ଅନିଲ ବିଷୋୟୀଙ୍କ ପୁଅ ଶ୍ରୀଧର ବିଷୋୟୀ(୨୧)ଙ୍କ ଗତ ତିନିଦିନ ତଳେ କେରଳରେ ମୃତ୍ୟୁ ହୋଇଯାଇଛି । ପୁଅର ମୃତ୍ୟୁ ଖବର ପାଇ ଦୁଃଖରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ତିନିଦିନ ହେବ ପୁଅର ଶବ ଗାଁକୁ ଆସିପାରୁ ନଥିବା ହେତୁ ପରିବାର ଲୋକେ ପ୍ରଶାସନ ପାଖରେ ନିବେଦନ କରିଛନ୍ତି । ପ୍ରକାଶ ଯେ,ଗତ ଦୁଇବର୍ଷ ହେଲା ଶ୍ରୀଧର କେରଳରେ ଏର୍ଣ୍ଣାକୁଲମ ଜିଲ୍ଲା ଜର୍ଜକାର୍ଟୁନ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ । ସେ ଘରର ଏକମାତ୍ର ରୋଜଗାରିଆ ପୁଅ। ବୁଧବାର ସକାଳୁ କେରଳ ପୁଲିସ ଶ୍ରୀଧରଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର କରି ବାଲିଗୁଡ଼ା ଥାନାକୁ ଖବର ଦେଇଥିଲେ। ବାଲିଗୁଡ଼ା ପୁଲିସ ଖବର ପାଇବା ପରେ ଶ୍ରୀଧରଙ୍କ ପରିବାର ଲୋକଙ୍କୁ ଏହି ଦୁଃଖଦ ଖବର ଦେଇଥିଲେ । କେହି ଦୁର୍ବୃତ୍ତ ଶ୍ରୀଧରକୁ ହତ୍ୟା କରି ଟ୍ରେନ୍ ଲାଇନ୍ରେ ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଶ୍ରୀଧରଙ୍କ ବାପା ଅତ୍ୟନ୍ତ ଗରିବ ଓ କେରଳରୁ ଶବ ଆଣିବାକୁ ସମର୍ଥ ନୁହନ୍ତି । ତେଣୁ ସେ ପୁଅର ଶବ ଗାଁକୁ ଆଣିବାକୁ ଉପଜିଲ୍ଲାପାଳଙ୍କୁ ଲିଖତ ଭାବେ ନିବେଦନ କରିଛନ୍ତି ।