କେଶ ଝଡ଼ିବାର କାରଣ ପ୍ରୋଟିନ୍ର ଅଭାବ
ଉତ୍ତମ ଶାମ୍ପୁ ଓ ହେୟାର ସ୍ପା ବ୍ୟବହାର କରିବା ସତ୍ତ୍ବେ ଆପଣଙ୍କ କେଶ ଝଡ଼ିବାରେ ଲାଗୁଥିଲେ ଥରେ ପରୀକ୍ଷା କରି ନିଅନ୍ତୁ। କାରଣ ଆପଣଙ୍କ ଶରୀରରେ ପ୍ରୋଟିନ୍ର ଅଭାବ ହୋଇପାରେ। ଦିଲ୍ଲୀରେ କ୍ଷୀର ଯୋଗାଣ କରୁଥିବା ଏକ କମ୍ପାନୀର ସର୍ଭେରୁ ଏହା ଜଣାପଡ଼ିଛି। ପ୍ରୋଟିନ୍ ଅଭାବରୁ ଦିଲ୍ଲୀବାସୀମାନେ ଲାଇଫ୍ଷ୍ଟାଇଲ୍ ସହିତ ଜଡ଼ିତ ଅନେକ ରୋଗର ଶିକାର ହେଉଥିବା ଜଣାପଡ଼ିଛି।
ଦୁଗ୍ଧ ବିକ୍ରୟ କରୁଥିବା ଏକ କମ୍ପାନୀର ସର୍ଭେରେ ସ୍ପଷ୍ଟ ହୋଇଛି ଯେ ୬୪ ପ୍ରତିଶତ ଦିଲ୍ଲୀବାସିନ୍ଦାଙ୍କ ଡାଏଟ୍ରେ ପ୍ରୋଟିନ୍ର ଅଭାବ ରହିଛି। ଯାହା ଫଳରେ ସେମାନଙ୍କଠାରେ କେଶ ଝଡ଼ିବା ସମସ୍ୟା ଦେଖାଯାଇଥାଏ। ଏହାବ୍ୟତୀତ ଏନିମିଆ ଅର୍ଥାତ୍ ରକ୍ତାଭାବ, ଭୋକ ନ ଲାଗିବା, ଚର୍ମ ହଳଦିଆ ପଡ଼ିଯିବା, ନଖ ରଫ୍ ହୋଇଯିବା, ଏକାଗ୍ରତାର ଅଭାବ ଭଳି ଲାଇଫ୍ଷ୍ଟାଇଲ୍ ସହିତ ଜଡ଼ିତ ରୋଗର କାରଣ ପ୍ରୋଟିନ୍ର ଅଭାବ ବୋଲି କୁହାଯାଉଛି।
ମୁମ୍ବାଇର ସ୍ଥିତି ଉତ୍ତମ
୧୮ରୁ ୫୫ ବର୍ଷ ବୟସର ୧୨୨୬ ଜଣ ଲୋକଙ୍କ ଉପରେ ଏହି ସର୍ଭେ କରାଯାଇଥିଲା। ଏହି ସର୍ଭେରେ କୋଲକାତା, ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ ଭଳି ୪ଟି ସହରର ଲୋକ ସାମିଲ୍ ଥିଲେ। ହାଇଦ୍ରାବାଦ ସବୁଠାରୁ ଖରାପ ସ୍ଥିତିରେ ଥିବାବେଳେ ସବୁଠାରୁ ଭଲ ଅବସ୍ଥାରେ ମୁମ୍ବାଇ ଲୋକଙ୍କ ରହିଛି। ୭୬ ପ୍ରତିଶତ ହାଇଦ୍ରାବାଦବାସୀଙ୍କଠାରେ ପ୍ରୋଟିନ୍ର ଅଭାବ ରହିଛି। ପ୍ରୋଟିନ୍ ଅଭାବ କ୍ଷେତ୍ରରେ କୋଲକାତା ଓ ଦିଲ୍ଲାବାସୀଙ୍କ ଅବସ୍ଥା ମଧ୍ୟ ଖରାପ ରହିଛି। ୬୩ ପ୍ରତିଶତ କୋଲକତାବାସୀ ଓ ୬୪ ପ୍ରତିଶତ ଦିଲ୍ଲୀବାସୀଙ୍କଠାରେ ପ୍ରୋଟିନ୍ର ଅଭାବ ରହିଛି। ଯଦିଓ ମୁମ୍ବାଇର ସ୍ଥିତି ବହୁତ ଭଲ ରହିଛି। ମୁମ୍ବାଇରେ ୪୭ ପ୍ରତିଶତ ଲୋକଙ୍କଠାରେ ପ୍ରୋଟିନ୍ର ଅଭାବ ଦେଖାଯାଇଛି।
ଶାକାହାରୀଙ୍କୁ କିଭଳି ମିଳିବ ପ୍ରୋଟିନ୍
ମାଛ, ଅଣ୍ଡା ଓ ଚିକେନ୍ ଭଳି ମାଂସାହାରୀ ଖାଦ୍ୟରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ରହିଛି। ଶାକାହାରୀ ବ୍ୟକ୍ତିମାନଙ୍କୁ ଦୁଗ୍ଧ ଜାତୀୟ ପଦାର୍ଥ ଅର୍ଥାତ କ୍ଷୀର, ଦହି, ପନୀର ବ୍ୟତୀତ ବାଦାମ, ଓଟ୍ସ, ବ୍ରୋକୋଲି, ବିନ୍ସ ଓ ଚିନା ବାଦାମ ଭଳି ଖାଦ୍ୟରୁ ମଧ୍ୟ ପ୍ରୋଟିନ୍ ମିଳିଥାଏ। ତଥାପି ଶାକାହାରୀ ବ୍ୟକ୍ତିଙ୍କଠାରେ ପ୍ରୋଟିନ୍ର ଅଭାବ ରହିଯାଏ। ଏପରିସ୍ଥଳେ ଡାକ୍ତରଙ୍କ ପରାମର୍ଶରେ ପ୍ରୋଟିନ୍ର ସପ୍ଲିମେଣ୍ଟସ୍ କିଛି ଦିନ ପାଇଁ ସେବନ କରିପାରିବେ।
ସର୍ଭେ ସହିତ ଜଡ଼ିତ କେତେକ ତଥ୍ୟ
୬୪ ପ୍ରତିଶତ ଦିଲ୍ଲୀବାସୀଙ୍କଠାରେ ପ୍ରୋଟିନ୍ର ଅଭାବ। କେବଳ ୩ ପ୍ରତିଶତ ଲୋକଙ୍କୁ ଜଣାଅଛି ପଲି ସିଷ୍ଟିକ୍ ଓଭାରିଅନ୍ ଡିଜଅର୍ଡର ବା ପିସିଓଡି। ପ୍ରୋଟିନ୍ ଅଭାବ ସହିତ ଲଢ଼ୁଥିବା ୬୭ ପ୍ରତିଶତ ଭାରତୀୟ ଠିକ୍ ସମୟରେ ଖାଦ୍ୟ ଖାଇ ନ ଥାନ୍ତି। ପ୍ରୋଟିନ୍ ଅଭାବରେ ଏକାଗ୍ରତା ହ୍ରାସ ପାଇଥାଏ। ୫୫ ବର୍ଷରୁ କମ୍ ବୟସର ୬୩ ପ୍ରତିଶତ ଦିଲ୍ଲୀବାସୀ ଥକାପଣର ଶିକାର। ପ୍ରୋଟିନ୍ ଅଭାବ ଥିବା ୮୦ ପ୍ରତିଶତ ଲୋକ ଶାକାହାରୀ ଅଟନ୍ତି ବୋଲି ଏହି ସର୍ଭେରୁ ଜଣାପଡ଼ିଛି।