କେ.ରାଇସିଙ୍ଗପୁର ବାଉରୀବନ୍ଧୁ ହାଇସ୍କୁଲରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ଦାବୀ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅନ୍ତର୍ଗତ ଚଢେୟାପଲ୍ଲୀ ଗ୍ରାମ ପଞ୍ଚାୟତର କେ.ରାଇସିଙ୍ଗପୁର ଗ୍ରାମରେ ଥିବା ବାଉରୀବନ୍ଧୁ ଉଚ୍ଚବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟିରେ ଅନ୍ତର୍ଭୁକ୍ତ କରାଯାଇ ଗତ ୨୦୨୪ ମସିହା ଜାନୁୟାରୀ ମାସ ୧୧ ତାରିଖରେ ଉଦ୍ଘାଟନ କରାଯାଇଥିଲା । ଗୁଣାତ୍ମକ ଶିକ୍ଷାର ବାତାବରଣ ସୃଷ୍ଟି ପାଇଁ ଏହି ପୁରାତନ ଶିକ୍ଷାନୁଷ୍ଠାନକୁ ସ୍ମାର୍ଟ ହାଇସ୍କୁଲରେ ରୂପାନ୍ତରଣ କରାଯାଇଥିଲା । ଯେଉଁଠି ଇ. ପାଠାଗାର ସମେତ ସ୍ମାର୍ଟ କ୍ଳାସ୍ରୁମ୍, କ୍ରୀଡା, କମ୍ପ୍ୟୁଟର୍ ରୁମ୍, ଅତ୍ୟାଧୁନିକ ବିଜ୍ଞାନାଗାର, ରିଡିଙ୍ଗ ରୁମ୍, ପାନୀୟ ଜଳ, ସ୍ମାର୍ଟ ଶୌଚାଳୟ ସମେତ ବିଭିନ୍ନ ଆଧୁନିକ ସୁବିଧା ଉପଲବ୍ଧ ହୋଇଛି । ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ବିଦ୍ୟାଳୟର ଆଧୁନିକୀକରଣ ହୋଇସାରିଛି । ୧୯୯୩ମସିହାରେ ସ୍ଥାପିତ ହୋଇଥିବା ଆସିକା ବ୍ଳକ ଅନ୍ତର୍ଗତ ଚଢେୟାପଲ୍ଲୀ ଗ୍ରାମ ପଞ୍ଚାୟତର କେ.ରାଇସିଙ୍ଗପୁର ଗ୍ରାମରେ ଥିବା ବାଉରୀବନ୍ଧୁ ଉଚ୍ଚବିଦ୍ୟାଳୟରେ ନବମରୁ ଦଶମ ଶ୍ରେଣୀରେ ପ୍ରାୟ ୮୩ଜଣ ବିଦ୍ୟାର୍ଥୀ ପାଠପଢୁଥିବା ବେଳେ ଏହି ପୁରାତନ ଶିକ୍ଷାନୁଷ୍ଟାନରେ ବିଜ୍ଞାନ, ହିନ୍ଦୀ ଓ ଖେଳ ଶିକ୍ଷକ ପଦବୀ ଖାଲି ପଡିଥିଲା ବେଳେ ସେ ଗୁଡିକ ପୂରଣ କରିବା ଦିଗରେ ଶିକ୍ଷାବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଏହି ପୁରାତନ ଶିକ୍ଷାନୁଷ୍ଟାନରେ ଆବଶ୍ୟକୀୟ ଶିକ୍ଷକ ନଥିବା ଯୋଗୁଁ ବିଦ୍ୟାର୍ଥୀ ମାନେ ଯୁଗପୋଯୋଗୀ ଓ ଅଧୁନିକ ଶିକ୍ଷା କିପରି ପାଇବେ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ସରକାର ଶିକ୍ଷାବିଭାଗ ପାଇଁ ଆଣୁଥିବା ବହୁ ପ୍ରକାର ପ୍ରୟାସକୁ ଏହି ପୁରାତନ ଶିକ୍ଷାନୁଷ୍ଟାନରେ ଅଣଦେଖା କରାଯାଉଥିବା ଅଭିଯୋଗ ରହିଛି । ଶିକ୍ଷାର ଗୁଣାତ୍ମକ ମାନ ଓ ଭିତ୍ତି ଭୂମି ବୃଦ୍ଧି କରିବା ସହ ଉତ୍ତମ ଜ୍ଞାନ କୌଶଳରେ ପିଲାଙ୍କୁ ପାଠ ପଢାଇବାର ମହତ୍ ଉଦ୍ଦେଶ୍ୟ ରଖି ତତ୍କାଳୀନ ସରକାର ପ୍ରଚଳନ କରିଥିଲେ ରୂପାନ୍ତରିତ ୫-ଟି ବିଦ୍ୟାଳୟ । ଆସିକା ବ୍ଳକ ଓ ଏନଏସି ଅନ୍ତର୍ଗତ ସମସ୍ତ ୩୪ଟି ଉଭୟ ସରକାରୀ ଓ ବ୍ଳକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଥିଲା । ସରକାର ୫-ଟି ଅଧିନରେ ଉଚ୍ଚ ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରି ସ୍ମାର୍ଟ କରିବା ସହ ରୂପରେଖ ବଦଳାଇଲେ । ହେଲେ ବହୁ ସ୍ମାର୍ଟ ସ୍କୁଲ ବିଗତ କିଛି ଦିନ ହେଲା ନାନା ସମସ୍ୟା ଦେଇ ଗତି କରୁଥିବା ଦେଖିବାକୁ ମିଳିଛି । ସରକାର ସିନା ସ୍କୁଲ ଗୁଡିକୁ ସ୍ମାର୍ଟ କରିଦେଲେ କିନ୍ତୁ ଭିତ୍ତିଭୂମୀକୁ ସଜାଡିବାକୁ ଭୁଲିଗଲେ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଆସନ୍ତା ଫେବୃୟାରୀ ମାସ ୨୧ ତାରିଖରୁ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଆସିକା ବ୍ଳକ ଅନ୍ତର୍ଗତ କେ.ରାଇସିଙ୍ଗପୁର ଗ୍ରାମ ସ୍ଥିତ ବାଉରୀବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆବଶ୍ୟକୀୟ ଶିକ୍ଷକ ଅଭାବରୁ ବିଜ୍ଞାନ ଓ ହିନ୍ଦୀ ପାଠ୍ୟକ୍ରମରେ ଜ୍ଞାନ ଆହରଣ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଯାହାରି ଫଳରେ ବିଜ୍ଞାନ ଓ ହିନ୍ଦୀ ବିଷୟରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀମାନେ ସାଂପ୍ରତିକ ପରିସ୍ଥିତିରେ କୋଚିଂ ସେଣ୍ଟର କିମ୍ବା ଟ୍ୟୁସନ୍ ଉପରେ ଭରସା କରୁଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ଚଢେୟାପଲ୍ଲୀ ଗ୍ରାମ ପଞ୍ଚାୟତ ଅଧୀନସ୍ଥ କେ.ରାଇସିଙ୍ଗପୁର ଗ୍ରାମରେ ଥିବା ବାଉରୀବନ୍ଧୁ ଉଚ୍ଚବିଦ୍ୟାଳୟରେ ଲାଗି ରହିଥିବା ବହୁବିଧ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


