କୈଳାସ ଘଡେଇଙ୍କ ନାମରେ ଜାତୀୟ ନିରାପତ୍ତା ଆଇନ ଲାଗୁ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲା ର ଅନ୍ୟତମ ଦୁର୍ଦ୍ଦାନ୍ତ ଅପରାଧି ତଥା ବଡବଜାର ଥାନା ଅନ୍ତର୍ଗତ ସିତାଢ଼ିମ୍ବିରା ସାହିର କୈଳାସ ଘଡେଇଙ୍କ ନାମରେ ଜାତୀୟ ନିରାପତ୍ତା ଆଇନ( ଏନ୍ଏସ୍ଏ) ଲାଗିଛି। କୈଳାସଙ୍କ ନାମରେ ୨୦ ରୁ ଊର୍ଦ୍ଧ୍ୱ ହତ୍ୟା,ଡକାୟତି ଭଳି ସଙ୍ଗୀନ ମାମଲା ରହିଛି। ସେହିପରି ହତ୍ୟା ଭଳି ୩ ଟି ମାମଲାରେ ସେ ସଜା କାଟିଛନ୍ତି। କିଛିଦିନ ତଳେ ସୀତାଡିମ୍ବିରା ସାହିରେ ଏକ ବୋମାମାଡ ଘଟଣାରେ ଗିରଫ ହୋଇ ସେ ଜେଲ ଯାଇଛନ୍ତି । ଏଣୁ ପୋଲିସ ପକ୍ଷରୁ କୈଳାସଙ୍କ ବିରୋଧରେ ଏନ୍ଏସ୍ଏ ଲଗାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରାଯାଇଥିଲା। ବୁଧବାର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତାହାକୁ ମଞ୍ଜୁର କରିଛନ୍ତି ବୋଲି ଅତିରିକ୍ତ ଏସ୍ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ମଞ୍ଜୁରୀ ମିଳିବା ପରେ ପୋଲିସ ଏନେଇ ବ୍ରହ୍ମପୁର ମଣ୍ଡଳ କାରାଗାରର କାରାପାଳଙ୍କୁ ଚିଠି କରି ଜଣାଇଛନ୍ତି।ସୂଚନାଯୋଗ୍ୟ, ୧୯୯୨ ମସିହାରୁ କୈଳାସ ତାଙ୍କର ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଥିଲେ। ସେ ଏକାଧିକ ସଙ୍ଗୀନ ମାମଲାରେ ସମ୍ପୃକ୍ତ ଥିବା ବେଳେ ଗତ ମେ’ ମାସରେ ସୀତାଡିମ୍ବିରା ସାହିରେ ବୋମାମାଡ କରିବା ସହ ଆତଙ୍କରାଜ ଖେଳାଇଥିଲେ। ବଡବଜାର ପୋଲିସ ମାମଲା ୧୧୪/୨୦ ଅନୁସାରେ ଗତ ମେ’ ୨୦ ତାରିଖରେ କୈଳାସଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । କୈଳାସ ସେହିଦିନଠାରୁ ମଣ୍ଡଳକାରାଗାରରେ ରହିଥିବା ବେଳେ ଏବେ ତା ବିରୋଧରେ ଏନ୍ଏସ୍ଏ ଲାଗିଛି । ଯାହାଫଳରେ ସେ ଜେଲରୁ ମୁକୁଳିବା ଏବେ ସମ୍ଭବ ନୁହେଁ ବୋଲି କୁହାଯାଉଛି।