କୋକଲୁଣ୍ଡାରୁ ଚୋରି ହୋଇଥିବା ରୁପା ଉଦ୍ଧାର, ମାଷ୍ଟର ମାଇଣ୍ଡ ଭିନ୍ନକ୍ଷମ ଗିରଫ

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍) : ଗତ ୧୪ ତାରିଖ ଶନିବାର ଦିନ ବେଲଗୁଣ୍ଠା ନିକଟସ୍ଥ କୋକଲୁଣ୍ଡା ଗ୍ରାମରେ ଜୈନିକ ରୂପା ବ୍ୟବସାୟୀଙ୍କ ଠାରୁ ଅଜଣା ଦୁବୃର୍ତ୍ତ ଲୁନା ଗାଡିରୁ ବିଭିନ୍ନ ଅଳଙ୍କାର ଥିବା ରୂପା ବ୍ୟାଗ୍ କୁ କୌଶଳ କ୍ରମେ ଲୁଟି ନେଇ ଫେରାର ହୋଇଯାଇଥିଲେ ।ଏନେଇ ବେଲଗୁଣ୍ଠା ଫାଣ୍ଡି ରେ ଅଭିଯୋଗ ହେବା ପରେ ୨୯୦/୧୯ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ।ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଖବର ପାଇ ଚୋରି କରିଥିବା ଦୁବୃର୍ତ୍ତ ଜଣେ ଭିନ୍ନକ୍ଷମ ଥିଲାବୋଲି ପୋଲିସ ଖବର ପାଇଥିଲା ।ଏହାକୁ ଭିତ୍ତି କରି ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଓ ଭଞ୍ଜନଗର ଥାନାଧିକାରୀ ସୁଦିପ୍ତ କୁମାର ସାହୁ ଜିଲ୍ଲାର ସମସ୍ତ ସମସ୍ତ ଭିନ୍ନକ୍ଷମ ଚୋର ଡକାୟତଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ ଫଟୋ ସାର୍ବଜନୀନ କରଥିଲା ।କିଛି ପ୍ରତ୍ୟକ୍ଷଦର୍ଶୀ ଆସ୍କା ଥାନା ବରଗାଁ ର ଏ.ଶେଖର ନାମୀ ଜଣେ ଭିନ୍ନକ୍ଷମକୁ ଚିହ୍ନଟ କରିଥିଲେ ।ଏହାପରେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଏକ ନାଟକୀୟ ଢଙ୍ଗରେ ରୁପା ବ୍ୟବସାୟ କରିବା ବାହାନାରେ ବରଗାଁ ରେ ପହଞ୍ଚି ଥିଲେ ।ଭିନ୍ନକ୍ଷମ ଏ.ଶେଖରଙ୍କ ଠାରୁ ପୁରୁଣା ଦରରେ ରୂପା କିଣିବା ପାଇଁ ଚୁକ୍ତି କରିଥିଲେ ।ଗତକାଲି ରାତିରେ ସାତ କିଲୋ ଦୁଇ ଶହ ଓଜନର ରୂପା ଅଳଙ୍କାର ଧରି ରୂପା ଚୋରି ଘଟଣାର ମାଷ୍ଟର ମାଇଣ୍ଡ ଭିନ୍ନକ୍ଷମ ଏ .ଶେଖର ଏକ ବଜାଜ ପଲ୍ ସର ରେ ବରଗାଁ ଛକକୁ ଆସି ପୁର୍ବରୁ ଚୁକ୍ତି ହୋଇଥିବା ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ଙ୍କୁ ଦେଇଥିଲା ।ଶ୍ରୀ ସାହୁ ତାକୁ ପୋଲିସ ର ପରିଚୟ ଦେଇ ରୁପା ଜବତ କରି ଗିରଫ କରିଥିବା ବେଳେ ତାର ସହଯୋଗୀ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା ।ତାକୁ ଫାଣ୍ଡିକୁ ଆଣି ଜେରା କରିବା ପରେ ରୁପା ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଥିଲା ।ଖବରରୁ ପ୍ରକାଶ ଯେ,ଉଢୁରା ଗ୍ରାମର ରୁପା ବ୍ୟବସାୟୀ ସିତାରାମ ଦାସଙ୍କ ପୁଅ ଲକ୍ଷ୍ମଣ ଦାସ, ଗତ ୧୪ ତାରିଖ ଦିନ ଦିନ ୧୦ଟା ସମୟରେ ନିଜ ଟିଭିଏସ୍ ଲୁନା ଗାଡ଼ିରେ ୧୦ କିଲୋ ଓଜନର ବିଭିନ୍ନ ରୂପା ଅଳଙ୍କାର ବ୍ୟବସାୟ କରିବା ପାଇଁ ନିକଟସ୍ଥ କୋକଲୁଣ୍ଡା ଗ୍ରାମକୁ ଯାଇଥିଲେ ।ଫେରିବା ବେଳେ ଗ୍ରାମର ଗଙ୍ଗା ମହାରଣାଙ୍କ ଘରକୁ ବାକି ଅର୍ଥ ରାଶି ମାଗିବା ପାଇଁ ଯାଇଥିଲେ ।ସେ ସମୟରେ ପୁର୍ବରୁ ପିଛା କରୁଥିବା ବରଗାଁର ଏ.ଶେଖର ଓ ତାର ଗ୍ୟାଙ୍ଗ ଲୁନା ଗାଡିରେ ହ୍ୟାଣ୍ଡଲ ରେ ଲାଗିଥିବା ରୂପା ଅଳଙ୍କାର ବ୍ୟାଗ କୁ କୌଶଳ କ୍ରମେ ଚୋରି କରି ଏକ ପଲସର ଗାଡ଼ିରେ ଫେରାର ହୋଇଯାଇଥିଲେ ।ଫାଣ୍ଡିରେ ଅଭିଯୋଗ ହେବା ପରେ ବେଲଗୁଣ୍ଠା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ଏହାର ସୁରାକ୍ ପାଇପାରିନଥିଲେ ।ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ରୂପା ଅଳଙ୍କାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଏହାକୁ ସହଜରେ ଗ୍ରହଣ କରିପାରିନଥିଲା ।କିନ୍ତୁ ଏକ ଭିନ୍ନକ୍ଷମ ବ୍ୟକ୍ତି ସପୃକ୍ତ ଥିବା ଖବର ପାଇବାପରେ ପୋଲିସ ଏହାକୁ ଗୁରୁତର ସହ ନେଇ ଗିରଫ କରିବା ପାଇଁ ଜାଲ ବିଛାଇଥିଲା ।ରୁପା ବ୍ୟବସାୟୀଙ୍କ ଠାରୁ ଲୁଟିବା ପାଇଁ ୯ ତାରିଖରୁ ପିଛା କରି କରି ୧୪ତାରିଖରେ ସଫଳ ହୋଇଥିଲା ।ଶେଖରର ଚାରି ଜଣିଆ ଗ୍ୟାଙ୍ଗ ମଧ୍ୟରୁ ଦୁଇ ଜଣ ଘଟଣା ସ୍ଥଳକୁ ଆସିଥିବା ବେଳେ ଆଉ ଦୁଇ ଜଣ ବେଲଗୁଣ୍ଠାରେ ରହି ପୋଲିସ ର ଗତିବିଧି ଉପରେ ନଜର ରଖିଥିଲେ ।ରୂପା ଅଳଙ୍କାରକୁ ଭାଗ ନ ବାଣ୍ଟି ମାଷ୍ଟର ମାଇଣ୍ଡ ଶେଖର ଅଳଙ୍କାର ପେଢିଟିକୁ ତା ବାଡ଼ି ପଟେ ଗାତ ଖୋଳି ପୋତି ତା ଉପରେ ପାଳ ଗଦା କରିଦେଇଥିବା ପୋଲିସ ଆଗର ପ୍ରକାଶ କରିଛି । ପୋଲିସ ଆଜି ଶେଖରକୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ସହଯୋଗୀ ଙ୍କୁ ଅତି ଶିଘ୍ର ଗିରଫ କରାଯିବ ବୋଲି ପ୍ରକାଶ କରିଛି ।ପ୍ରକାଶ ଥାଉ କି ଶେଖର ଗ୍ୟାଙ୍ଗ ନା ରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚୋରି ଓ ଡକାୟତି ମାମଲା ରହିଛି ।ରମ୍ଭା ଥାନା କେସ୍ ନଂ ୧୭୭/୧୯ ରେ ଏକ ଡକାୟତି, ଛତ୍ରପୁର ଥାନା କେସ୍ ନଂ ୪୦/୧୯,ଓ ୨୦୬/୧୯ରେ ରବେରୀ କେସ୍ ,ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଏକ ରୂପା ବ୍ୟବସାୟୀ ଙ୍କ ଠାରୁ ଲୁଟ ମାମଲା ରହିଥିବା ଜଣାପଡିଛି ।