କୋଟିଆ ଉପରେ ନିର୍ମିତ ତେଲୁଗୁ ଚଳଚ୍ଚିତ୍ର ‘ଏକ୍ସଟ୍ରା ଅର୍ଡିନାରୀ ମ୍ୟାନ’କୁ ନିଷିଦ୍ଧ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ସୁପ୍ରିମକୋର୍ଟିରେ ମକଦ୍ଦମା ଚାଲିଥିବା ସମୟରେ ଆନ୍ଧ୍ର ସରକାର, ଏହାର ରାଜନେତା ଓ ଚଳଚ୍ଚିତ୍ର ନିର୍ମାତାମାନେ ଓଡ଼ିଶା ତଥା ଓଡ଼ିଶାର ସଂସ୍କୃତିକ ନ୍ୟୁନ କରି ଦେଖାଇବାର ଅପଚେଷ୍ଟା କରିଚାଲିଛନ୍ତି । ଗତ ଡିସେମ୍ବର ୮ ତାରିଖ ଦିନ ଆନ୍ଧ୍ରପ୍ରଦେଶର ବିଭିନ୍ନ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିବା ତେଲୁଗୁ ଭାଷାରେ ନିର୍ମିତ ଚଳଚ୍ଚିତ୍ର ‘ଏକ୍ସଟ୍ରା ଅର୍ଡିନାରୀ ମ୍ୟାନ’ ଏହାର ଏକ ଜ୍ୱଳନ୍ତ ଉଦାହରଣ । ଭେଙ୍କଟମ ଭାମ୍‌ସିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏବଂ ଷ୍ଟାର ଅଭିନେତା ନିତିନ ଓ ଅଭିନେତ୍ରୀ ଶ୍ରୀଲିଲା ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । କୋଟିଆ ଅଞ୍ଚଳର ଛବିକୁ ଏହି ଚଳଚ୍ଚିତ୍ରରେ ନିଶା ବେପାରର ଏକ ପେଣ୍ଠସ୍ଥଳୀ ଭାବରେ ଦର୍ଶାଯିବା ସହିତ ଖଳନାୟକ ଏହି ଅଞ୍ଚଳର ଲୋକଙ୍କ ଉପରେ ଯେଉଁ ଅକଥନୀୟ ଅତ୍ୟାଚାର ଓ ନିର୍ଯ୍ୟାତନା ଦେଉଛନ୍ତି ତାହାକୁ ଅତି ପ୍ରାଞ୍ଜଳ ଭାବରେ ଦର୍ଶାଯାଇଛି । ଏହା ‘କୋଟିଆ’ ଅଞ୍ଚଳର ସଂସ୍କୃତି ଓ ଏହାର ଜନସାଧାରଣଙ୍କ ଜୀବନଯାପନକୁ ନ୍ୟୁନ ତଥା ଗୌଣ କରିବା ସହିତ ଓଡ଼ିଶାର ସଂସ୍କୃତି ପ୍ରତି ଉପହାସ ସୃଷ୍ଟି କରୁଛି । ତେଣୁ ଏହି ଚଳଚ୍ଚିତ୍ରକୁ ତୁରନ୍ତ ସିନେମା ହଲ୍‌ରୁ ଓ ଓଟିଟି ପ୍ଲାଟଫର୍ମରୁ ନିଷିଦ୍ଧ କରିବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି ।
ପାର୍ଟିର ରାଜ୍ୟ ସଭାପତି ରବି ବେହେରା ମଙ୍ଗଳବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ମର୍ମରେ ଏକ ପତ୍ର ଲେଖି ତୁରନ୍ତ ଏହି ଚଳଚ୍ଚିତ୍ରକୁ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଏହାକୁ ନିଷିଦ୍ଧ କରିବାକୁ ଦାବି କରଛନ୍ତି । ଚଳିତମାସ ୩୧ ତାରିଖରୁ ଆରମ୍ଭ ହେଉଥିବା ପାର୍ଲାମେଣ୍ଟର ଶୀତ ଅଧିବେଶନରେ ଓଡ଼ିଶାର ସାଂସଦମାନେ ଏହି ପ୍ରସଙ୍ଗକୁ ଉପସ୍ଥାପିତ କରି କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ଶ୍ରୀ ବେହେରା ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ଯଦି ତୁରନ୍ତ ଏହି ଚଳଚ୍ଚିତ୍ରକୁ ସିନେମା ହଲ ଓ ଓଟିଟି ପ୍ଲାଟଫର୍ମରୁ ହଟାଇ ଦିଆନଯାଏ, ତେବେ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଥିବା ଭାଇଚାରା ଓ ସାଂସ୍କୃତିକ ସହିଷ୍ଣୁତାକୁ ଏହି ଚଳଚ୍ଚିତ୍ରର ବିଷୟବସ୍ତୁ କ୍ଷତି ପହଞ୍ଚାଇବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଏହି ପତ୍ରରେ ଉଲ୍ଲେଖ କରାଯାଇଛି । ତେଣୁ ଦୁଇ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଉଭୟ ମୁଖ୍ୟମନ୍ତ୍ରୀ ଆପୋଷ ଆଲୋଚନା ଜରିଆରେ କୋଟିଆ ବିବାଦକୁ ତୁଟାଇବାକୁ ସମାଜବାଦୀ ପାର୍ଟି ପୁଣି ଥରେ ଦୋହରାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ