କୋଠାବାଡ଼ି ନିର୍ମାଣ ପାଇଁ ବେଲଗୁଣ୍ଠା ଏନ୍ଏସି ପକ୍ଷରୁ ସ୍ୱତନ୍ତ୍ର ନୋଟିସ୍
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସହରରେ କୋଠାବାଡ଼ି ନିର୍ମାଣ ପୂର୍ବରୁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରୁ ଅନୁମତି ପତ୍ର ନେବା ବାଧ୍ୟତାମୂଳକ ବୋଲି ଏନ୍ଏସି କାର୍ଯ୍ୟାଳୟରୁ ଏକ ନୋଟିସ୍ ପ୍ରକାଶ ପାଇଛି Iଏହା ସହିତ ସହରର ପ୍ରଗତିଧାରାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ବର୍ଜ୍ୟବସ୍ତୁ ପୃଥକୀକରଣ ତଥା ମଳ ଶୋଧନ କୁଣ୍ଡ (septic Tank) ନିର୍ମାଣ ଓ ବ୍ୟବହାର, ସାମାଜିକ ଏକତ୍ରିକରଣ ଯଥା ଭୋଜି କାର୍ଯ୍ୟରୁ ସଂଗୃହିତ ବର୍ଜ୍ୟବସ୍ତୁ ର ପୃଥକୀକରଣ, ନିର୍ମିତ ଓ ନିର୍ମାଣଧୀନ କୋଠାବାଡିରୁ ବାହାରୁଥିବା ବର୍ଜ୍ୟବସ୍ତୁର ପରିଚାଳନା କ୍ଷେତ୍ରରେ ମଧ୍ୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି | ଏହି ଅବସରରେ ପରିଷଦ ତରଫରୁ ଡାକବାଜି ଯନ୍ତ୍ର ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନୋଟିସ ବୋର୍ଡରେ ସର୍ବସାଧାରଣ ନୋଟିସ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯାଇଛି | ପରିଷଦ ଦ୍ୱାରା ଗଠିତ ଏନ୍ଫୋର୍ସମେଣ୍ଟ ଟିମ ଦ୍ୱାରା ସହରର ପ୍ରତ୍ୟେକ ଘର ଘର ବୁଲି ସର୍ବେକ୍ଷଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି | ବେଲଗୁଣ୍ଠାକୁ ଏକ ଆଦର୍ଶ ସହର ରୂପେ ବିଶ୍ଵସ୍ତରରେ ପରିଚିତ କରିବା ପାଇଁ ସରକାରୀ ନିୟମ ଅନୁଯାୟୀ ଆଗାମୀ ଦିନରେ ଜନ ସଚେତନତା ଓ କାର୍ଯ୍ୟକାରିତା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ଏସ ରାକେଶ କୁମାର ପାତ୍ର ପ୍ରକାଶ କରିଛନ୍ତି |