କୋଣାର୍କ କୋର୍ଟ ନିର୍ମାଣ ବିରୁଦ୍ଧରେ ମାମଲା ସୁପ୍ରିମ କୋର୍ଟରେ ଖାରଜ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ମାଧିପୁର ଛକ ନିକଟରେ କୋଣାର୍କ କୋର୍ଟ କମ୍ପ୍ଲେକ୍ସ ର ନୂତନ ଗୃହ ନିର୍ମାଣ ଲାଗି ଗତ ଫେବୃଆରୀ ୪ ତାରିଖରେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ୍ ମୁରଲୀଧରନ ଓ ଜଷ୍ଟିସ ଡକ୍ଟର ବି ଆର୍ ଷଡ଼ଙ୍ଗୀ ଙ୍କ ଦ୍ଵାରା ଶିଳାନ୍ୟାସ କରାଯାଇଥିଲା। ଉକ୍ତ ଦିବସରୁ ମାଧିପୁର୍ ମୌଜାର ୪ଏକର ପରିମିତ ଜମିରେ ପ୍ରାୟ ଆଠ କୋଟି ଟଙ୍କା ବ୍ୟୟରେ କୋର୍ଟ କମ୍ପ୍ଲେକ୍ସ ର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ଏବଂ ପ୍ରାୟ ୮୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ସରିଆସିଲାଣି। ଉକ୍ତ ଜମି କୋର୍ଟକୁ ହସ୍ତାନ୍ତର ଦିନଠାରୁ କିଛି ବ୍ୟକ୍ତି ଏହାକୁ ବିରୋଧ କରିଆସୁଥିଲେ। ସୂଚନା ଯୋଗ୍ୟ ଯେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଏହି ଜମିଟି ମାଘମେଳା ଓ କୋଣାର୍କ ଉତ୍ସବ ସମୟରେ ଗାଡ଼ି ପାର୍କିଂ ପାଇଁ ବ୍ୟବହୃତ ହେଉଅଛି। ଉକ୍ତ ଜମିରେ କୋର୍ଟ ନ କରାଇ ଦେବା ପାଇଁ କୋଣାର୍କ ସରସ୍ଵତୀ ଶିଶୁ ମନ୍ଦିର ପରିଚାଳନା କମିଟି ସଦସ୍ୟ ଭାଗିରଥି ସ୍ୱାଇଁ, ରଘୁନାଥ ମହାପାତ୍ର ଙ୍କ ସମେତ ମାଧିପୂର ଗ୍ରାମର ପ୍ରଭାତ ପାଢ଼ୀ,ରବୀନ୍ଦ୍ର ପାଢ଼ୀ, ପ୍ରସନ୍ନ ପାଢ଼ୀ, ସୁଶାନ୍ତ ପାଢ଼ୀ, ବିଭୁତି ପାଢ଼ୀ ପ୍ରମୁଖ ଉଚ୍ଚ ନ୍ୟାୟାଳୟରେ ବିଭିନ୍ନ କାରଣ ଦର୍ଶାଇ ଚାରିଗୋଟି କେସ ଯଥା WP(C) No 33774/21, WP(C) No 10809/23, CONTC No 3843/23, WP(C) No 21030/23 ଦାୟାର କରିଥଲେ। ଏଥିରୁ ତିନିଗୋଟି କେସ ଖାରଜ ହେବାପରେ ,ଏହି ଆଦେଶ ବିରୁଦ୍ଧରେ ସୁପ୍ରିମ କୋର୍ଟରେ SLP No 21994/ 2023 ରୁଜ୍ଜୁ କରିଥଲେ। ସୁପ୍ରିମ କୋର୍ଟରେ ମାନ୍ୟବର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଦୀପଙ୍କର ଦତ୍ତ ଆଜି ଏହି କେସ ବିଚାର କରି ଏହାକୁ ଖାରଜ କରିଥଲେ। ପ୍ରକାଶ ଥାଉକି , ହାଇକୋର୍ଟ ଓ ସୁପ୍ରିମ କୋର୍ଟ ରେ ଆବେଦନକାରୀ କରିଥିବା ପ୍ରତ୍ୟେକ କେସରେ, କୋଣାର୍କ ବାର ଆସୋସିଏସନ ପକ୍ଷରୁ ସଭାପତି ଶ୍ରୀଜୟ ବରାଳ ପକ୍ଷଭୁକ୍ତ ହୋଇ କୋର୍ଟ ହେବା ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥଲେ। ମାନ୍ୟବର ହାଇକୋର୍ଟ ରେ କୋଣାର୍କ ବାର ଆସୋସିଏସନର ପାଇଁ ଶିବ ଶଙ୍କର ମହାନ୍ତି ଓ ସୁପ୍ରିମ କୋର୍ଟ ରେ ବରିଷ୍ଠ ଆଇନଜିବୀ ସୁରେନ୍ଦ୍ର କୁମାର ପତ୍ରୀ ମାମଲା ପରିଚାଳନା କରିଥିଲେ।ଏହି ମାମଲା ଖାରଜ ହେବା ଫଳରେ କୋର୍ଟ ନିର୍ମାଣ ରେ ଆଉ କୌଣସି ବାଧାବିଘ୍ନ ହେବନାହିଁ ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଛି । କୋଣାର୍କ ଅଂଚଳରେ ବୁଦ୍ଧିଜୀବିଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖିବାକୁ ମିଳିଛି।