କୋଣାର୍କ ଜଗନ୍ନାଥ ମନ୍ଦିର ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପରିଚାଳିତ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ଶ୍ରୀଜିଉମାନଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ନୀତି ଓ ସ୍ନାନ ଯାତ୍ରା ଦେବ ନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟକ୍ଷରୁ କୋଣାର୍କ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ପହୁଡ ଖୋଲା, ମଙ୍ଗଳ ଆଳତି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡି ମାଧ୍ୟମରେ ଅଣାଯାଇ ରାଜାରାମ ମଠ ସ୍ଥିତ ସ୍ନାନ ମଣ୍ଡପ ଠାରେ ଉପବେଶନ କରାଯାଇଥିଲା। ସ୍ନାନ ମଣ୍ଡପ ଠାରେ କୋଣାର୍କ ଶ୍ରୀ ଜଗନ୍ନାଥ ମନ୍ଦିରର ପୂଜକ ମୁକୁନ୍ଦ ଦାଶ, ଅଜୟ ଦାଶ ଓ ପ୍ରଦୀପ ଦାଶ ପ୍ରମୁଖ ଦେବ ନୀତି ଓ ଶ୍ରୀଜିଉମାନଙ୍କ ପୂଜାର୍ଚ୍ଚନା କରିବା ସହ ସ୍ନାନ କାର୍ଯ୍ୟ ସଂପାଦନ କରିଥିଲେ। ପରେ ପରେ କୋଣାର୍କ ଶ୍ରୀ ଜଗନ୍ନାଥ ମନ୍ଦିର ସ୍ଥିତ ରାଜାରାମ ମଠ ପରିସରରେ ଥିବା ସ୍ନାନ ମଣ୍ଡପ ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ହାତୀ ବେଶରେ ସୁସଜ୍ଜିତ କରାଯାଇଥିଲା। କୋଣାର୍କରେ ଶ୍ରୀଜିଉମାନଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ହାତୀ ବେଶ ଦେଖିବାପାଇଁ କୋଣାର୍କ ପରିଭ୍ରମଣରେ ଆସିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଅଂଚଳର ଜନସାଧାରଣ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ କୋଣାର୍କ ଜଗନ୍ନାଥ ମନ୍ଦିର ଠାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଚତୁର୍ଦ୍ଧାମୂର୍ତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ନିକଟରେ ଅଧରପଣା ଭୋଗ ଲାଗି କରାଯିବା ପରେ ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ଅଣସର ଘରକୁ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ କୋଣାର୍କ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ବୋର୍ଡର ମୁଖ୍ୟ ଟ୍ରଷ୍ଟି ଇଂ ଅମରେଶ୍ବର ନାୟକ ଓ ପରିଚାଳକ ନିରଜଂନ ବାରିକଙ୍କ ସମେତ ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।