କୋଣାର୍କ ଠାରେ ଉତ୍କଳ ପାଲା ମହୋତ୍ସବ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଓଡ଼ିଶାର ପାଲା କଳା ଏକ ଶସ୍ତା ମନୋରଞ୍ଜନ ନୁହେଁ। ସଂସ୍କୃତ ଭାଷାରେ ରଚିତ ଭାରତୀୟ ଵାଙ୍ମୟ ଵେଦ, ଉପନିଷଦ, କାବ୍ୟ, ଶାସ୍ତ୍ର ସହିତ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ପାଲା କଳାର ଏକ ସୁଦୀର୍ଘ ଇତିହାସ ରହିଛି। ସୁମଧୁର ସଂଗୀତ ଓ କଥା ଵାଚନ ମାଧ୍ୟମରେ ରାଜକୀୟ ମନୋରଞ୍ଜନ ସହିତ ସମାଜକୁ ନୀତିଶିକ୍ଷା ଦେଵା ପାଲାର ମୌଳିକ ବୈଶିଷ୍ଟ୍ୟ। ତେବେ ଆଜିକାଲି ପାଲା ପ୍ରତି ବିମୁଖ ଯୁଵପିଢିଙ୍କୁ ଆକୃଷ୍ଟ କରିଵା ପାଇଁ ଦ୍ୱେର୍ଥଵୋଧକ ଅଶ୍ଳୀଳ ଗୀତ ଓ ସଂଗୀତ ପରିଵେଷଣକୁ କେତେକ ପାଲାକାର ଆପଣେଇଵା କ୍ଷୋଭର ଵିଷୟ ବୋଲି କୋଣାର୍କରେ ଆୟୋଜିତ ଉତ୍କଳ ପାଲା ମହୋତ୍ସବ-୨୦୨୪ ଅଵସରରେ ବିଶିଷ୍ଟ ଵିଦ୍ୱାନମାନେ ମତବ୍ୟକ୍ତ କରିଛନ୍ତି। ପାଲା କଳାର ସୁରକ୍ଷା ନିମନ୍ତେ ଅଧିକରୁ ଅଧିକ ଗବେଷଣା ଓ ତାଲିମର ଆବଶ୍ୟକତା ଉପରେ ବିଦ୍ୱାନମାନେ ଗୁରୁତ୍ୱାରୋପ କରିଛନ୍ତି। କୋଣାର୍କର ଶ୍ରୀଜଗନ୍ନାଥ ରାଜ୍ୟ ପାଲା ଗଵେଷଣା ଓ ତାଲିମ କେନ୍ଦ୍ର ଏବଂ ଅର୍କମଣ୍ଡଳ ପାଲା ଗାୟକ ପରିଷଦର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପ୍ରେମ୍ କନଭେନସନ ପରିସରରେ ଉତ୍କଳ ପାଲା ମହୋତ୍ସବ-୨୦୨୪ ଏବଂ ଗାୟକ ଆନନ୍ଦ ବସନ୍ତ କୁମାର ରାଉତଙ୍କ ୬୮ତମ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗାୟକ ଵ୍ୟାସ ଲକ୍ଷ୍ମୀଧର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିରୂପେ ଗାୟକ କଳାନିଧି ମନୋଜ ମିଶ୍ର, ଗାୟକ କୌସ୍ତୁଭ ରବୀନ୍ଦ୍ର ସାମନ୍ତରାୟ, ଡଃ ରାଜକିଶୋର ନାୟକ, ଚନ୍ଦ୍ରଶେଖର ପାଢ଼ୀ, ଗାୟକ ଅଧ୍ୟାପକ ବିଜୟ ଘୋଷ, ଆଡଭୋକେଟ୍ ପ୍ରତାପ ଚନ୍ଦ୍ର ପ୍ରଧାନ, ଗାୟକ ସାରସ ସୁଦର୍ଶନ ମହାପାତ୍ର, ପରିବେଶବିତ୍ ପିତାମ୍ବର ରାଉତ, ଡଃ ମିହିର ପଟ୍ଟନାୟକ, ଲମ୍ବୋଦର ବେହେରା, ଉପେନ୍ଦ୍ର ବେହେରା, ପଣ୍ଡିତ ପଦ୍ମନାଭ ତ୍ରିପାଠୀ, ପଦ୍ମନାଭ ସେଠୀ, ଶରତଚନ୍ଦ୍ର ଦାଶ ଓ ବଂଶୀଧର ଦାଶ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଶ୍ରୀଜଗନ୍ନାଥ ରାଜ୍ୟ ପାଲା ଗଵେଷଣା ଓ ତାଲିମ କେନ୍ଦ୍ରର ମୁଖପତ୍ର ‘ଵସନ୍ତାୟନ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅଵସରରେ ପଣ୍ଡିତ ରମାକାନ୍ତ ମିଶ୍ର ଶର୍ମାଙ୍କୁ ଗୁରୁ ପ୍ରଣାମ ସମ୍ମାନ; ଅଧ୍ୟାପକ ବିଜୟ ଘୋଷ, ଶିକ୍ଷାବିତ୍ ବିରଞ୍ଚି ପ୍ରସାଦ ରାଉତରାୟ ଓ ମିହିର ଆଚାର୍ଯ୍ୟଙ୍କୁ ଗୁରୁପୂଜନ ସମ୍ମାନ; ଖଗେଶ୍ବର ମାର୍ଥା, ଜୟଚନ୍ଦ୍ର ଵଡଦଳେଇ ଓ ମଙ୍ଗରାଜ ଵିଶ୍ୱାଳଙ୍କୁ ଉତ୍କଳ ପାଲା ମହୋତ୍ସବ ସମ୍ମାନ; ତ୍ରିଲୋଚନ ନାୟକ, ଵିଦ୍ୟୁଲତା ମିଶ୍ର, ଅର୍ଜ୍ଜୁନ ସାମନ୍ତରା, ଅଶୋକ ଚନ୍ଦ୍ର ଦଳେଇ ଓ ଡଃ ଅଶ୍ୱିନୀ ଆଚାର୍ଯ୍ୟଙ୍କୁ କୃଷ୍ଣଚନ୍ଦ୍ର ଦାଶ ସ୍ମୃତି ସମ୍ମାନ; ଗୁରୁ ଵାନାମ୍ଵର ସ୍ୱାଇଁଙ୍କୁ କଳାକାର ସମ୍ମାନ ଏଵଂ ଅମରେନ୍ଦ୍ର ପଟ୍ଟନାୟକ, ଅଜୟ ଦୀକ୍ଷିତ, ବାଉରୀବନ୍ଧୁ ସାହୁ, ଗଙ୍ଗାଧର ଵେଜ, ଗଗନ ବିହାରୀ ସାହୁ, ଉପେନ୍ଦ୍ରନାଥ ସ୍ୱାଇଁ ଓ ଅଧ୍ୟାପକ ମନୋଜ କୁମାର ସାହୁଙ୍କୁ କଵି ସୁରଭାରତୀ ସ୍ମୃତି ସମ୍ମାନ ପ୍ରଦାନପୂର୍ଵକ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଗାୟକ ବାଚସ୍ପତି ଵନଵିହାରୀ ଗ୍ରହାଚାର୍ଯ୍ୟ, ଅଭିମନ୍ୟୁ ନାୟକ ଓ ଅରୁଣ କୁମାର ଦାସ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ