କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ତିନିଜଣ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପଦ୍ମଶ୍ରୀ ସ୍ୱର୍ଗତ ଗୁରୁ ଡ଼ଃ ଗଙ୍ଗାଧର ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଗୋଟିପୁଅ ନୃତ୍ୟ ଗୁରୁ ଜୟକୃଷ୍ଣ ନାୟକ, ଓଡ଼ିଶୀ ନୃତ୍ୟ ଗୁରୁ ବିଚିତ୍ରାନନ୍ଦ ସ୍ବାଇଁ ଓ ଓଡ଼ିଶୀ ନୃତ୍ୟ ଗୁରୁ ଡ଼ଃ ମନୋରଞ୍ଜନ ପ୍ରଧାନଙ୍କୁ କୋଣାର୍କ ନାଟ୍ୟ ମଣ୍ଡପ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଚଳିତ ମାସ ୧୯ ତାରିଖରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୨ ମସିହା ପାଇଁ ଓଡ଼ିଶାର ବରିଷ୍ଠ ଗୋଟିପୁଅ ନୃତ୍ୟ ଗୁରୁ ଜୟକୃଷ୍ଣ ନାୟକ, ୨୦୨୧ ମସିହା ପାଇଁ ଓଡ଼ିଶୀ ନୃତ୍ୟ ଗୁରୁ ବିଚିତ୍ରାନନ୍ଦ ସ୍ବାଇଁ, ୨୦୨୨ ମସିହା ପାଇଁ ଓଡ଼ିଶୀ ନୃତ୍ୟ ଗୁରୁ ମନୋରଞ୍ଜନ ପ୍ରଧାନଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ରାଜ୍ୟ ଗୃହ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ରହି କଳାକାରମାନଙ୍କୁ ସମ୍ମାନିତ କରିଥିଲେ। କୋଣାର୍କ ନାଟ୍ୟ ମଣ୍ଡପର ଗୋଟିପୁଅ ନୃତ୍ୟ ଗୁରୁ ଜୟକୃଷ୍ଣ ନାୟକଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ମିଳିବାପରେ ଦେଶବିଦେଶରୁ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ଏହି ଅବସରରେ ବଡ଼ଦିନ ଡିସେମ୍ବର ୨୫ ରବିବାର ମଧ୍ୟାହ୍ନରେ କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ନାଟ୍ୟ ମଣ୍ଡପ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଞ୍ଜୁକ୍ତା ତ୍ରିପାଠୀ, ବରିଷ୍ଠ ଆଇନଜୀବି ଅଶୋକ ଦାସ, ପ୍ରତାପ ମହାନ୍ତି, ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଭଗବାନ ଗୁରୁ, କୋଣାର୍କ ସାହିତ୍ୟ ସଂସଦ ସମ୍ପାଦକ ରବିଦ୍ରନାଥ ବାହିନୀପତି, ଗୋଟିପୁଅ ନୃତ୍ୟ ଗୁରୁ ଲିଙ୍ଗରାଜ ବାରିକ, ସେବେନ୍ଦ୍ର ଦାସ, ପାଲା ଗାୟକ ବସନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ତିନିଜଣ ପ୍ରତିଭାଙ୍କୁ ସ୍ମୃତି ଫଳକ, ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ନାଟ୍ୟ ମଣ୍ଡପ ପକ୍ଷରୁ ପୃଥକ୍ ପୃଥକ୍ ଭାବେ କେକ୍ କଟାଯାଇ ଖୁସି ମରାଯାଇଥିଲା। ଏହି ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ତିନିଜଣ ଗୁରୁଙ୍କ ଛାତ୍ର ଓ ଛାତ୍ରୀଙ୍କ ଦ୍ଵାରା ଓଡ଼ିଶୀ ଓ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବକୁ ସ୍ବର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସହଧର୍ମିଣୀ ସୁଲୋଚନା ପ୍ରଧାନ, କୋଣାର୍କ ନାଟ୍ୟ ମଣ୍ଡପର କାର୍ଯ୍ୟନିର୍ବାହୀ ସଭାପତି ଡ଼ଃ ରମଣୀ ରଞ୍ଜନ ଜେନା, ଉପସଭାପତି ପ୍ରସନ୍ନ କୁମାର ବେଉରିଆ, ସମ୍ପାଦକ ଶିବାଶିଷ ପ୍ରଧାନ, ଯୁଗ୍ମ ସମ୍ପାଦକ ଗୁରୁପଦ ଵଳିଆରସିଂହ ଓ ବରିଷ୍ଠ ସଦସ୍ୟ ଉମେଶ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ।