କୋଣାର୍କ ଭଗବତୀ ମହାବିଦ୍ୟାଳୟ କିରାଣୀଙ୍କ ଅଭିନବ ଅର୍ଥ ଆତ୍ମସାତ ଘଟଣା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଭଗବତୀ ମହାବିଦ୍ୟାଳୟରେ ଗତ ୨୦୧୭ ମସିହା ଠାରୁ ୨୦୨୨ ମସିହା କାର୍ଯ୍ୟରତ ଜୈନିକା କିରାଣୀଙ୍କ ଦ୍ବାରା ନକଲି ରସିଦ ମାଧ୍ୟମରେ ୬ଲକ୍ଷ ଟଙ୍କା ଆତ୍ମସାତ କରିବା ଘଟଣାରେ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ଗଣମାଧ୍ୟମରେ ପ୍ରକାଶିତ ଖବର ଆଧାରରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ପାଇଁ ଟ୍ବିଟ କରିବାର ଦୁଇ ମିନିଟ ମଧ୍ୟରେ ମୁଖ୍ୟ ଶାସନ ସଚିବ ଉଚ୍ଚଶିକ୍ଷା ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଖବରରୁ ପ୍ରକାଶ ଯେ ୧୯୭୮ ମସିହାରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ ଓ ଶିକ୍ଷାପ୍ରେମୀ ମାନଙ୍କ ପକ୍ଷରୁ ଭଗବତୀ ମହାବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ହେବାର ୪୬ ବର୍ଷ ବିତିଗଲାଣି ତଥାପି ମହାବିଦ୍ୟାଳୟ ନାମରେ ସ୍ଥାୟୀ ଜମି ରେକର୍ଡ ଭୁକ୍ତ ହୋଇପାରି ନାହିଁ। ଫଳରେ ମହାବିଦ୍ୟାଳୟକୁ ବିଶ୍ବ ବିଦ୍ୟାଳୟ ଅନୁଦାନ ଆୟୋଗ ମଂଜୁରୀ ମିଳି ପାରି ନ ଥିବା ବେଳେ ଏହାର ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଭଗବତୀ ମହାବିଦ୍ୟାଳୟର ତତ୍କାଳୀନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ସମୟରେ ମହାବିଦ୍ୟାଳୟରେ କାର୍ଯ୍ୟରତ ଜୈନିକା କିରାଣୀଙ୍କ ଦ୍ବାରା ନକଲି ରସିଦ ମାଧ୍ୟମରେ ୬ଲକ୍ଷ ଟଙ୍କା ଆତ୍ମସାତ ହେବା ଘଟଣା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ କିଭଳି ଭାବେ ଜାଣି ପାରି ନ ଥିଲେ ଅଥବା ଜାଣିଶୁଣି ଘଟଣାକୁ ଚପେଇ ଦେବା ପାଇଁ ଉଦ୍ୟମ କରିଥିଲେ ତାହା ତଦନ୍ତ କଲେ ଅସଲ ରହସ୍ୟ ପଦାରେ ପଡିବା ସହ ମହାଘୋଟାଲା ସତ୍ଯତା ଲୋକଲୋଚନକୁ ଆସି ପାରିବ ବୋଲି କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ ଓ ଅଂଚଳର ଜନସାଧାରଣ ମାନଙ୍କ ପକ୍ଷରୁ ଦାବି ହେଉଛି ।ମହାବିଦ୍ୟାଳୟରେ ୨୦୧୭ ମସିହା ଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ଜୈନିକା କିରାଣୀ ନକଲି ରସିଦ ମାଧ୍ୟମରେ ମହାବିଦ୍ୟାଳୟର ୬ଲକ୍ଷ ଟଙ୍କା ଆତ୍ମସାତ କରିବା ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଅଭିଯୋଗ ଆଧାରରେ ବିଭିନ୍ନ ଗଣମାଧ୍ୟମରେ ଖବରମାନ ପ୍ରକାଶ ପାଇଛି। ଏହି ଖବର ଆଧାରରେ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ଅର୍ଥ ଆତ୍ମସାତ କରିଥିବା କିରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିଲମ୍ବିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫ଟିସଚିବ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ, ପୁରୀ ଜିଲ୍ଲାପାଳ ପ୍ରମୁଖଙ୍କୁ ରବିବାର ସକାଳେ ଟ୍ୱିଟ଼ ଯୋଗେ ଅଭିଯୋଗ କରିଥିଲେ ।ଟ୍ବିଟ କରିବାର ଦୁଇ ମିନିଟ ମଧ୍ୟରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ଘଟଣାକୁ ଗୁରୁତ୍ବ ଆରୋପ କରି ଉଚ୍ଚଶିକ୍ଷା ବିଭାଗ ଓ ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ଏହି ଘଟଣାର ତଦନ୍ତ କରି ଏଥିରେ ସଂପୃକ୍ତ ଅର୍ଥ ଆତ୍ମସାତ କରିଥିବା କିରାଣୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ସାମାଜିକ କର୍ମୀ ଭାଗୀରଥୀ ସ୍ଵାଇଁ ପ୍ରକାଶ କରିଛନ୍ତି।


