କୋଣାର୍କ ମାଘମେଳା

ବିପିନ ବିହାରୀ ମହାନ୍ତି
ଆମ୍ଭମାନଙ୍କ ଭିତରୁ କେହି କେହି କୋଣାର୍କ ଦେଖିଛନ୍ତି । କୋଣାର୍କର ସୂର୍ଯ୍ୟମନ୍ଦିର ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ । ଏହାକୁ ଅର୍କକ୍ଷେତ୍ର ବୋଲି କୁହାଯାଏ । ଏହା ସୂର୍ଯ୍ୟଙ୍କର ପୂଜାସ୍ଥଳୀ ।
‘ଅର୍କ’ ନାମରେ ଗୋଟିଏ ଦୈତ୍ୟଥିଲା । ସେ ଅର୍କ ଦୈତ୍ୟକୁ ସୂର୍ଯ୍ୟ ଏହି ସ୍ଥାନରେ ବଧ କରିଥିଲେ । ଏହି ଦୃଷ୍ଟିରୁ ଏହାକୁ ଅର୍କକ୍ଷେତ୍ର ବାଲି ମଧ୍ୟ ଲୋକେ କୁହନ୍ତି । ହେଲେ, ଏହାକୁ କୋଣାର୍କ କାହିଁକି କୁହାଯାଏ?
ଏହି କ୍ଷେତ୍ରଟି ଏକ ପବିତ୍ର କ୍ଷେତ୍ର । ଆମେ ଯେଉଁ କ୍ଷେତ୍ର କଥା କହୁଛେ ତାହାର ଉତ୍ତରରେ ମହୋଦଧିବା ସମୁଦ୍ର । ଦକ୍ଷିଶରେ ଓଡ଼ିଶା ବିଖ୍ୟାତ ଚନ୍ଦ୍ରଭାଗା ନଦୀ । ଏମାନଙ୍କର ମଧ୍ୟବର୍ତ୍ତୀ ସ୍ଥାନହିଁ କୋଣାର୍କ । ଏହା ଜମ୍ବୁଦ୍ୱୀପର ଅଗ୍ନିକୋଣରେ ଅବସ୍ଥିତ । ଏଠାରେ ଗଙ୍ଗା କୋଟି ତୀର୍ଥ ଧରି ପ୍ରବାହିତ ହୁଅନ୍ତି । ଏଠାରେ ସ୍ନାନକରି ଯିଏ ସୂର୍ଯ୍ୟଙ୍କ ଦର୍ଶନ କରନ୍ତି, ସେମାନଙ୍କର କୋଟି ପାପ ନାଶହୁଏ । ମନସ୍କାମନା ପୂର୍ଣ୍ଣହୁଏ ।
ଚନ୍ଦ୍ରଙ୍କ ସହିତ ସମକକ୍ଷ ହୋଇପାରି ନଥିବରୁ ଜଳପତିଙ୍କର ମନକଷ୍ଟ ଥିଲା । ସେ ଏହି ସ୍ଥାନରେ ଥିବା ଏକ କଳ୍ପବଟ ମୂଳେ ନଅଲକ୍ଷ ବର୍ଷ ସୂର୍ଯ୍ୟଙ୍କୁ ନଦେଖି ତପସ୍ୟା କଲେ । ଏକଦା ଅର୍କଦୈତ୍ୟ ବୁଲୁବୁଲୁ ସେ ସ୍ଥାନରେ ପହଞ୍ôଚଲା ଏବଂ ଜଳପତିଙ୍କୁ ଖାଇବାକୁ ଉଦ୍ୟତ ହେଲା । ସୂର୍ଯ୍ୟ ଏହାକୁ ଦେଖି ତାକୁ ବାରଣ କଲେ । କିନ୍ତୁ ସେ ଶୁଣିଲା ନାହିଁ । ପ୍ରଥମେ ଏ ଯାଗାଟିର ଦାବୀଦାର ନେଇ ଯୁଦ୍ଧ ଆରମ୍ଭ ହେଲା । ତା’ପରେ ଅର୍କଦୈତ୍ୟର ଜଳପତିଙ୍କୁ ନେଇ ଖାଦ୍ୟ । ଏନେଇ ଘମାଘୋଟ ଯୁଦ୍ଧ ହେଲା । ଦୈତ୍ୟ ସହଜେ ମଲା ନାହିଁ । ଶେଷରେ ସେହି ଚନ୍ଦ୍ରଭାଗାର କଳ୍ପବଟ ସ୍ଥାନରେ ସୂର୍ଯ୍ୟଦେବତା ଅର୍କଦୈତ୍ୟର ଛାତିରେ ମାଡ଼ିବସି ପ୍ରାଣ ନେଲେ । ଏ ସ୍ଥାନଟି ଅଗ୍ନିକୋଣରେ ଅବସ୍ଥିତ । ଏଥିପାଇଁ ଅଗ୍ନିକୋଣର ସୂର୍ଯ୍ୟଦେବତା ଅର୍କ ଅର୍କଦୈତ୍ୟକୁ ମାରିଥିବାରୁ ଏହାର ନାମ କୋଣାର୍କରେ ନାମିତ ହୋଇଅଛି ।
ମହାଭାରତର ଶାନ୍ତି ପର୍ବରେ ଲେଖାଅଛି :
ପୃଥ୍ୱୀ ଅଗ୍ନିକୋଣେ ଯହୁଁ ଦୈତ୍ୟ ହେଲା ହତ
ତେଣୁ ସେ କୋଣାର୍କ ନାମେ ହୋଇଛି ବିଖ୍ୟାତ ।ା
ଏହା ଥିଲା ସେଦିନ ମାଘ ଶୁକ୍ଲପକ୍ଷ ସପ୍ତମୀ ଗୁରୁବାର ।
ସେହି ମହାଭାରତକୁ ଆଧାରକରି ଭିନ୍ନ କାହାଣୀ ଅଛି । ଏ ସ୍ଥାନକୁ କୀର୍ତ୍ତି ଆଉ ବାସ ବୋଲି ଦୁଇ ଭାଇ ଭୋଗ ଦଖଲ କରୁଥିଲେ । ଏଠାକୁ ବୁଡ଼ ପକାଇବାକୁ ଆସୁଥିବା ଲୋକଙ୍କୁ ସେମାନେ ହଇରାଣ କରୁଥିଲେ । ଋଷିମାନେ ଏକଥା ଶିବ ଓ ପାର୍ବତୀଙ୍କୁ ଜଣାଇବାରୁ, ପାର୍ବତୀ ଗଉରୁଣୀ ବେଶରେ ଆସି ସେମାନଙ୍କୁ ନିପାତ କଲେ । ସେଦେବେଳେ ସେ ଦୁହେଁ ସେ ଜାଗାର ନାମ ‘କୀର୍ତ୍ତି ଓ ବାସ’ ବୋଲି ରଖିବା ନିମନ୍ତେ ପାର୍ବତୀଙ୍କୁ ଅନୁରୋଧ କରିଥିଲେ : ମହାଭାରତ ବନପର୍ବ ।
ଲୋମ ନାମକ ଜଣେ ଋଷି ଯୁଧିଷ୍ଠିରଙ୍କୁ ଚନ୍ଦ୍ରଭାଗାର ମାହାତ୍ମ୍ୟ ସମ୍ପର୍କରେ କିଛି କହିଛନ୍ତି ଯେ, କଣୟ ନାମକ ଜଣେ ରାଜା ଏଠାରେ ରାଜୁତି କରୁଥିଲେ । ସେ ପ୍ରଜାମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିନପାରି ଦୁଃଖରେ ପୁତ୍ର ହସ୍ତରେ ରାଜ୍ୟଭାର ନ୍ୟସ୍ତକରି ଏଇଠି ସୂର୍ଯ୍ୟଦେବଙ୍କୁ ପଞ୍ଚଦଶ ବର୍ଷ ତପସ୍ୟା କଲେ । ସେଠାରେ ଦୈତ୍ୟ ଅର୍କାସୁରନାମକ ଜଣେ ଦୈତ୍ୟ ଟିଏ ତାଙ୍କୁ ହଇରାଣ କଲା । ଏଣୁ ରାଜା ସୂର୍ଯ୍ୟଙ୍କ ଶରଣ ପଶିଲେ । ସୂର୍ଯ୍ୟ ତାକୁ ମହୋଦଧିରେ ବୁଡ଼ାଇ ମାରିଲେ ।
ପୁତ୍ରକୁ ରାଜ୍ୟ ଦେଇଣ କଣୟ ରାଜନ
ଚନ୍ଦ୍ରଭାଗା ତୀର୍ଥେ ସେ ବସିଲେ ଯାଇଣ ।ା
ତହିଁ ବସି କରତାର (ସୂର୍ଯ୍ୟ) ଧ୍ୟାନ ସେହି କଲେ
ପଞ୍ଚଦଶ ବର୍ଷ ଏକ ଆସନ ବସିଲେ ।ା
ମକର, ଶୁକ୍ଲପକ୍ଷ ଚଉଠି ଯେ ଦିନ
ସେ ରାଜାଙ୍କୁ କଲେ ସୂର୍ଯ୍ୟ ଦରଶନ ।ା
ସୂର୍ଯ୍ୟଙ୍କୁ ଦେଖି ରାଜା ସତବାର ନମି
ସ୍ତବେ କହେ ଦୈତ୍ୟହାତୁ ରକ୍ଷା କର ସ୍ୱାମୀ ।
:ବନ ପର୍ବ (ମହାଭାରତ)
ଏଣୁ ‘କଣୟ’ ଏହି ‘ଅର୍କାସୁର’ ନାମକୁ ଧ୍ୟାନ ଦେଇ ଏହାର ନାମ କୋଣାର୍କ ରଖାଯାଇଅଛି ।
ଚଳିଗଲେ ବାରିଧି ଅଗ୍ନିକୋଣ ଆଡ଼େ
ଅର୍କଦୈତ୍ୟକୁ ଚାପିଲେ ମହୋଦଧି ଜଳେ ।
ଏହି ସ୍ଥାନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ୧୨ବର୍ଷ ତପସ୍ୟା କରିଥିଲେ । ଶେଷରେ ଏହି ମାଘ ଶୁକ୍ଲପକ୍ଷ ସପ୍ତମୀ ଦିନ ତାଙ୍କ ତପସ୍ୟାର ୨୧ଦିନର କଠିନ ସୂର୍ଯ୍ୟ ଉପାସନା ପରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ କୁଷ୍ଠ ରୋଗରୁ ମୁକ୍ତ ହେଲେ । ପୁରାଣ କୁହେ :
ନାରଦ କହିଲେ ଶାମ୍ବ ଚାଲ ଏହି କ୍ଷଣ
ଚନ୍ଦ୍ରଭାଗା କୂଳେ ସେବ ସୂର୍ଯ୍ୟ ନାରାୟଣ ।ା
ଭକ୍ତି ଛଳେ ଅର୍କ ଦୈତ୍ୟ ମାରି ନିରଞ୍ଜନ
ରଖିଲେ ସେହି ତୀର୍ଥର କୋଣାର୍କ ନାମ ।ା
ପୁନଶ୍ଚ ପଞ୍ଚୁପାଣ୍ଡବମାନେ ତାଙ୍କ ବନବାସ ବେଳେ ଓଡ଼ିଶାରେ ଅବସ୍ଥାନ କାଳରେ ଏହି ସ୍ଥାନରେ କିଛିଦିନ ଅବସ୍ଥାନ କରି ଚନ୍ଦ୍ରଭାଗାରେ ଏହି ମାଘ ସପ୍ତମୀ ଦିନ ବୁଡ଼ ପକାଇ ପାପ ମୁକ୍ତ କାମନା କରିବା ସହିିତ ଜୀବନ ଯାତ୍ରାରେ ଜୟ ମନାସିଥିଲେ । ଏକଥା ମଧ୍ୟ ସାରଳାଦାସଙ୍କ ମହାଭାରତରେ ଉଲ୍ଲେଖ ଅଛି ।
ମାଘ ସପ୍ତମୀ ଦିନଟି ସୂର୍ଯ୍ୟ ଦେବତାଙ୍କର ଜନ୍ମତିଥି ଦୃଷ୍ଟିରୁ ମଧ୍ୟ ଏକ ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ଦିବସ ଅଟେ ।
ସୂର୍ଯ୍ୟ ପୂଜା ଉଦ୍ଦେଶ୍ୟର ଲାଙ୍ଗୁଳା ନରସିଂହ ଦେବ ୧୨ବର୍ଷ କାଳ ୧୨ଶହ ବଢ଼େଇ ଲଗେଇ ୧୨୫୬ ମସିହାରେ ସେ ସମୟରେ ୪୦କୋଟି ରାଜସ୍ୱ ବ୍ୟୟରେ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ । ଏହି ପ୍ରତିଷ୍ଠା ଦିବସଟି ଥିଲା ମାଘ ଶୁକ୍ଲ ସପ୍ତମୀ ତିଥି । ଏହାମଧ୍ୟ ବହୁ ପୁରାଣ ସିଦ୍ଧ ।
ମୂଳ ସୂର୍ଯ୍ୟ ମନ୍ଦିର ୧୬୨୧-୧୬୨୭ ମସିହା ମଧ୍ୟରେ ସାମୁଦ୍ରିକ ଝଡ଼ ପ୍ରଭାବରୁ ଭାଙ୍ଗି ଯାଇଥିଲା । କେତେକ ଏøତିହାସିକମାନଙ୍କ ମତରେ ଏହାକୁ କଳାପାହାଡ଼ ଷୋଡଶ ଶତାବ୍ଦୀରେ ଭାଙ୍ଗି ଦେଇଥିଲା । ଆଉ କେହି କୁହନ୍ତି ବ୍ରିଟିଶ ପଣ୍ୟବାହୀ ଜାହଜର ଚୁମ୍ବକୀୟ ପ୍ରଭାବରୁ ଏହା ଭାଙ୍ଗିପଡ଼ିଥିଲା । ତେବେ ଯାହା ହେଉ କୋଉ ଦୂର ଅତୀତରୁ ଏଠାରେ ମାଘମେଳା ଚାଲିଛି; ବୁଡ଼ ପଡ଼ୁଛି ଏବଂ ସେହି ଧାର୍ମିକ ବିଶ୍ୱାସରେ ପାପ କ୍ଷୟ ହେଉଛି ।
ମହାଭାରତରେ ବର୍ଣ୍ଣିତ ଅଛି ଯେ ଏଠାରେ ମାଘ ସପ୍ତମୀ ତିଥିରେ ରାତ୍ରୀ ଉଜାଗର ରହି ସକାଳୁ ସୂର୍ଯ ଦର୍ଶନ ପୂର୍ବକ ସ୍ନାନ,ଦାନ ଓ ଧର୍ମ ଯିଏ କରେ ତା’ଠୁ ବଳି ପୂଣ୍ୟାତ୍ମା ସଂସାରେ କେହି ନାହିଁ ।
ସପ୍ତମୀର ସ୍ନାନ, ଦାନ, ଧର୍ମ ଯେହୁ କରେ
ତାହା ସମ ପୁଣ୍ୟାତ୍ମା କେହି ନାହିଁ ଏ ସଂସାରେ
କୋଣାର୍କ ବୋଲିଣ ଯେହୁ ଅଟେ ତୀର୍ଥ ଗୋଟି
ତାହାକୁ ସମାନ ନୁହେଁ ତୀର୍ଥ କୋଟି କୋଟି
କୋଟି କୋଟି ଗୋରୁଦାନ କୋଟି ଅଶ୍ୱଗଜ
କୋଟି ଏକ କନ୍ୟା ପୁଣି କୋଟି ଏକ ରାଜ୍ୟ ।
କୋଟି ପର୍ବତ ସମ ଦାନ ଦେଲେ ହିରା
ତଥାପି ସମ ନୋହିବେ ଅର୍କତୀର୍ଥ ପର!
କୋଣାର୍କ ସୂର୍ଯ୍ୟ ଉପାସନାର ପୌରାଣିକ ମତେ ଏକ ଶ୍ରେଷ୍ଠସ୍ଥାନ । ଓଡ଼ିଆମାନଙ୍କର ଧର୍ମ-ଧାରଣା ଓ ବିଶ୍ୱାସର ପରମ୍ପରାକୁ ନେଇ ବୋଧହୁଏ ତ୍ରୟୋଦଶ ଶତାବ୍ଦୀରେ ଲାଙ୍ଗୁଳା ନରସିଂହଦେବ ଏଠାରେ ସୂର୍ଯ୍ୟମନ୍ଦିର ସ୍ଥାପନ କରିବାର ଏକ ମୁଖ୍ୟ କାରଣ ହୋଇପାରେ ।

ବିକାଶ ନଗର, ଜଟଣୀ, ଖୋର୍ଦ୍ଧା ।
ମୋ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ