କୋଣାର୍କ ଯାତ୍ରୀ ନିବାସ ଓ ମା ଭଗବତୀ ଙ୍କ ପୀଠରେ ରଜ ଉତ୍ସବ ଆରମ୍ଭ , ରଜ ଦୋଳିର ମଜାନେଲେ ପର୍ଯ୍ୟଟକ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ଵାରା ପରିଚାଳିତ କୋଣାର୍କ ଯାତ୍ରୀ ନିବାସ ଠାରେ ଓଡିଶାର ଗଣ ପର୍ବ ରଜ ଉତ୍ସବ ଶୁଭାରମ୍ଭ ହୋଇଛି। ଖବରରୁ ପ୍ରକାଶ ଯେ ଓଡିଆ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତୀକ ଭାବରେ ଗଣ ପର୍ବ ରଜ ଓଡ଼ିଶାର ପୁରପଲ୍ଲୀରେ କାହିଁ କେଉଁ ଅବାହମାନ କାଳରୁ ପାଳିତ ହୋଇ ଆସୁଛି। ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ କୋଣାର୍କ ଯାତ୍ରୀ ନିବାସ ଠାରେ ଚାରି ଦିନିଆ ରଜ ଉତ୍ସବ ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଯାତ୍ରୀ ନିବାସ ପରିସରରେ ପର୍ଯ୍ୟଟକ ଓ ଜନସାଧାରଣ ମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାରର ପୁଷ୍ପ ରେ ସୁସଜ୍ଜିତ ଦୋଳିର ସୁବ୍ୟବସ୍ଥା କରାଯାଇଛି। କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ରଜ ଉତ୍ସବ ପାଳିତ ହେଉଛି। ରଜର ପ୍ରଥମ ଦିନ ପହିଲି ରଜ ଅବସରରେ ଯାତ୍ରୀ ନିବାସ ଠାରେ ଆରିଷା, କାକରା, ଚକୁଳି, ମଣ୍ଡା ପିଠା, ପୋଡ ପିଠା ଓ ମୁଆଁ ପିଠା ସମେତ ୨୦ ପ୍ରକାରର ପିଠା ସହ ବିଭିନ୍ନ ପ୍ରକାରର ବ୍ଯଞ୍ଜନ ପ୍ରସ୍ତୁତ କରାଯାଇ ଏକ ଷ୍ଟଲ ମାଧ୍ୟମରେ ପର୍ଯ୍ୟଟକମାନଙ୍କ ପାଇଁ ପ୍ରଦର୍ଶୀତ ହୋଇଥିଲା। ଏହି ଅବସରରେ ପର୍ଯ୍ୟଟକ ମାନେ ବିଭିନ୍ନ ପ୍ରକାରର ପିଠା ଓ ବ୍ଯଞ୍ଜନର ମଜା ନେଇଥିଲେ। ଏହି ରଜ ଉତ୍ସବ ୪ଦିନ ଧରି ଚାଲିବ। କୋଣାର୍କ ଯାତ୍ରୀ ନିବାସ ଠାରେ ରଜ ଉତ୍ସବ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ପିଠା ଓ ବ୍ଯଞ୍ଜନର ମଜା ନେବା ସହିତ ରଜ ଦୋଳିର ନିଆରା ଅନୁଭୂତି ସାଁଉଣ୍ଟିବା ପାଇଁ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ ପର୍ଯ୍ୟଟକ ଓ ଜନସାଧାରଣ ମାନଙ୍କୁ ନିବେଦନ କରିଛନ୍ତି। ସେହି ପରି ଭାବେ ଆଜି କୋଣାର୍କ ର ଆରାଧ୍ୟା ଦେବୀ ମା ଭଗବତୀ ଙ୍କ ପୀଠରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ୨୫ ତମ ରଜ ଉତ୍ସବ ସକାଳୁ ଆରଂଭ ହୋଇଥିଲା। ମା ଙ୍କ ପୀଠରେ ଥିବା ବରଗଛରେ ଲଗାଯାଇଥିବା ୩୦ ରୁ ଉର୍ଦ୍ଧ ଦୋଳିରେ କାହିଁ ଦୂର ଦୁରାନ୍ତ୍ରରୁ ଆସିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଦୋଳି ଖେଳି ମଜା ନେଉଥିବା ଦେଖିବାକୁ ମିଳିଥିଲା। ଅର୍କର୍ଶ୍ରି ପକ୍ଷରୁ ଆୟୋଜିତ ହେଇଥିବା ରଜ ପ୍ରତିଯୋଗିତା ରେ ଝିଅ ଓ ବୋହୁ ମାନେ ପୁରୁଣା ପରମ୍ପରାକୁ ଉଦ୍ଜିବିତ ରଖିବା ପାଇଁ ଦୋଳି ଖେଳୁଥିବା ପର୍ଯ୍ୟଟକ ମାନଙ୍କୁ ଅଳତା ଲଗାଇ ଦେବା ସହ ରଜ ପାନ ଓ ପୋଡ ପିଠା ଖୁଆଉ ଥିବା ଦେଖିବାକୁ ମିଳିଥିଲା । ଅପରାହ୍ନରେ ୨୫ ତମ ରଜ ଉତ୍ସବକୁ ଉଦ୍ଘାଟିତ ଉତ୍ସବ ରେ କାକଟପୁରୁ ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ବାଧିନ କୁମାର ନାୟକ ,କୋଣାର୍କ ନଗର ବିଜେଡ଼ି ସଭାପତି ଗୋପାଳ ଚନ୍ଦ୍ର ବେହେରା, କୋଣାର୍କ ଏନ୍ ଏ ସି ନିର୍ବାହୀ ଅଧିକାରୀଣି ଶ୍ୱତପଦ୍ମା ଧଳ, ଅର୍କଶ୍ରୀ ର ସମ୍ପାଦକ ଉମେଶ ଚନ୍ଦ୍ର ସ୍ଵାଇଁ, ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ସତ୍ରୁଜିତ୍ ନାୟକ, ୩ ନଂ ୱାର୍ଡ଼ କାଉନସିଲର ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ପରେ ମଞ୍ଚରେ ବିଭିନ୍ନ ପ୍ରକାର ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆସନ୍ତା କାଲି ଠାରୁ ବିଭିନ୍ନ ପ୍ରତିଯୋଗିତା ଯଥା, ଝୋଟି, ପୁଚି, କାନ୍ଦଣା, ତାସ, ଲୁଡୁ, ହୁଳହୁଳି, ରଜ ଗୀତ, କବାଡି, ନଡ଼ିଆ ଲଢେ଼ଇ ପ୍ରତିଯୋଗିତା କରାଯିବ । ଏହି କାର୍ଯ୍ୟକ୍ରମ କୁ ପ୍ରତାପ ଚନ୍ଦ୍ର ରାଉତ, ରାମକୃଷ୍ଣ ମାହାନ୍ତି, ଗନ୍ଧର୍ବ ସେନାପତି ଓ ଅର୍କଶ୍ରୀ ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ