କୋଦଳାରେ କେନ୍ଦ୍ର ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ୍, ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହ ସାଂଗଠନିକ ଆଲୋଚନା
କୋଦଳା, (ଗୁଲସନ କୁମାର କର) :-ଗଞ୍ଜାମ ଜିଲ୍ଲା ଆସିକା ସଂସଦୀୟ କ୍ଷେତ୍ର ଗସ୍ତରେ ଆସିଛନ୍ତି କେନ୍ଦ୍ର ସରକାରଙ୍କ ରେଳ ଓ ଟେକ୍ସଟାଇଲ ମନ୍ତ୍ରୀ (ସ୍ୱାଧୀନ) ଦର୍ଶନା ଜର୍ଦ୍ଦୋସ୍ । ମନ୍ତ୍ରୀ ଖଲ୍ଲିକୋଟ ରେଲୱେ ଷ୍ଟେସନରେ ପହଞ୍ଚିବା ପରେ ବିଜେପି ନେତା ଓ କର୍ମୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ସେଠାରୁ ମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୋଦଳାରେ ପହଞ୍ଚିଥିଲେ । କୋଦଳା ଦଣ୍ଡିଶ୍ୱର ମନ୍ଦିର ଛକରେ ବରିଷ୍ଠ ନେତା ରଞ୍ଜନ ପଲେଇ, କୋଦଳା ନଗରପାଳ ସୂର୍ଯ୍ୟ ନାରାୟଣ ନାୟକ, ପ୍ରମୋଦ କୁମାର ପଣ୍ଡା, ନୀଳ ବିଷୋୟୀଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ଏହାପରେ ମନ୍ତ୍ରୀ କୋଦଳା ଡାକବଙ୍ଗଳା ଠାରେ ପହଞ୍ଚି କୋର୍ କମିଟି ବୈଠକ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଛନ୍ତି । ସଂଧ୍ୟାରେ କୋଦଳା ଏନଏସି ଠାରେ ଏକ ସମୀକ୍ଷା ବୈଠକ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀ ମାନଙ୍କୁ ନେଇ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଶିକ୍ଷା, ସ୍ୱାସ୍ଥ୍ୟ, ଆବାସ ଗୃହ, ସ୍ୱଚ୍ଛ ଭାରତ ମିଶନ୍ ସହ ବିଭିନ୍ନ ଯୋଜନା ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ମନ୍ତ୍ରୀ । ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏଥି ନିମନ୍ତେ ଯଥା ସମ୍ଭବ ପଦକ୍ଷେପ ନେବାକୁ କହିଛନ୍ତି ମନ୍ତ୍ରୀ । କିଛି ଅଧିକାରୀଙ୍କ ଅନୁପସ୍ଥିତ ରହିବାକୁ ନେଇ ମଧ୍ୟ ଅସନ୍ତୋଷ କରି ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି । କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ନବଜାତ ଶିଶୁ ମାନଙ୍କର ସୁବିଧା ଅସୁବିଧା, ମେଡିକାଲରେ ସୁବିଧା ସୁଯୋଗ ବିଷୟରେ କର୍ତୃପକ୍ଷଙ୍କ ଠାରୁ ବୁଝିଥିଲେ । ମନ୍ତ୍ରୀ କୋଦଳା ଡାକବଙ୍ଗଳାରେ ରାତ୍ରି ରହଣି କରିବା ସହ ଆସନ୍ତା କାଲି ସକାଳେ ପୋଲସରା ନିର୍ବାଚନ ମଣ୍ଡଳୀର ମାରଦା ଶରଣ ଶ୍ରୀକ୍ଷେତ୍ର ଯିବାର କାର୍ଯ୍ୟକ୍ରମ ରହିଛି । ଅପରପକ୍ଷେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଏବଂ ତାରାତାରିଣୀ ମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଆସିକା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଂଗଠନିକ କାର୍ଯ୍ୟ ବୁଝିବା ସହ ୩ ଦିନିଆ ଗସ୍ତରେ ଅଛନ୍ତି ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ୍ । ମନ୍ତ୍ରୀଙ୍କ ସହ ଆସିକା ଲୋକସଭା ପ୍ରାର୍ଥୀ ଅନୀତା ଶୁଭଦର୍ଶୀନି, ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଅରୁଣ ପଣ୍ଡା, ଅନୀଲ ପଣ୍ଡା, ପୂର୍ବତନ ଆସିକା ଲୋକସଭା ପ୍ରାର୍ଥୀ ତଥା ବିଜେପି ବରିଷ୍ଠ ନେତା ମହେଶ୍ୱର ମହାନ୍ତି ପ୍ରମୁଖ ରହିଛନ୍ତି ।