କୋଭାକ୍ସିନକୁ ମିଳିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ର ମାନ୍ୟତା
ନୂଆଦିଲ୍ଲୀ: ଭାରତ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ମାନ୍ୟତା ମିଳିବ। ଚଳିତ ମାସରେ ହିଁ ହୁ’ କୋଭାକ୍ସିନକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବ। କୋଭାକ୍ସିନକୁ ନେଇ ହୁ’ ପଚାରିଥିବା ସମସ୍ତ ପ୍ରଶ୍ନର ଉତ୍ତର ଭାରତ ବାୟୋଟେକ ଦେଇଛି।
କୋଭାକ୍ସିନକୁ ହୁ’ ମାନ୍ୟତା ଦେଇ ନଥିବାରୁ ଏକାଧିକ ରାଷ୍ଟ୍ର ଏହାକୁ କରୋନା ବିରୋଧରେ ବୈଧ ଟିକା ଭାବେ ଅନୁମୋଦନ କରୁନାହାନ୍ତି। ତେଣୁ ଏହି ଟିକା ନେଇଥିବା ଭାରତୀୟଙ୍କୁ ବିଦେଶ ଗସ୍ତ ସମୟରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
କାରଣ ଅନେକ ରାଷ୍ଟ୍ର ହୁ କିମ୍ବା ୟୁରୋପୀୟ ୟୁନିୟନ ପକ୍ଷରୁ ମାନ୍ୟତା ଲାଭ କରିଥିବା ଟିକାକୁ ହିଁ ବୈଧ ବବେଚନା କରୁଛନ୍ତି। ଏବେ ହୁ’ର ମାନ୍ୟତା ପରେ କୋଭାକ୍ସିନକୁ ମଧ୍ୟ ସବୁ ରାଷ୍ଟ୍ର ବୈଧ ବିବେଚନା କରିବେ। କୋଭାକ୍ସିନ ସଂପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନକୌଶଳରେ ତିଆରି ହୋଇଛି। ଜାନୁଆରୀ ୩ରୁ ଏହାକୁ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଏହା କରୋନା କରୋନା ବିରୋଧରେ ୭୮% ଫଳପ୍ରଦ ବୋଲି ବିଭିନ୍ନ ପରୀକ୍ଷାରୁ ସାମ୍ନାକୁ ଆସିଛି।