କୋଭିଡରେ ସଂକ୍ରମିତ କନ୍ଧମାଳ ପ୍ରମେୟର ପ୍ରତିନିଧିଙ୍କ ଦେହାନ୍ତ

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଳ ଜିଲ୍ଲା ପ୍ରମେୟ ଖବର କାଗଜ ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପାଢୀଙ୍କର ଆଜି ଭୁବନଶ୍ୱେର କିମସ କୋଭିଡ କେୟାର ହସପିଟାଲରେ ଦେହାନ୍ତ ଘଟିଛି । ଆଜି ସକାଳ ପ୍ରାୟ ୭ ଟାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ କିମସ ହସପିଟାଲ ପକ୍ଷରୁ ଜଣାପଡଛି । ଏହି ଖବର ପାଇବାପରେ ତାଙ୍କ ପରିବାର ଓ ଗଣମାଧ୍ୟମ ପ୍ରତିନିଧି ମହଲରେ ଶୋକର ଛାୟା ଖେଳିଯାଇଛି । ଗତ ୨୦ ତାରିଖରେ ସେ ତାଙ୍କ ପରିବାର ସମେତ ତାଙ୍କର ସମ୍ପର୍କିୟ ନାନୀଙ୍କ ଘରକୁ ଭୋଜନ ନିମନ୍ତେ ଯାଇଥିଲେ । ସେଠାରୁ ଫେରିବାପରେ ତାଙ୍କର ଝିଅମାନଙ୍କୁ ଜ୍ୱର ହୋଇଥିଲା । ସେମାନଙ୍କୁ କୋଭିଡ ପରୀକ୍ଷା କରାଯିବାରୁ ସେମାନେ କୋଭିଡ ପଜିଟିଭ ଭାବରେ ଚିହ୍ନଟ ହୋଇଥିଲେ । ଏହାପରେ ଶ୍ରୀ ପାଢୀ ମଧ୍ୟ ତାଙ୍କର ପତ୍ନୀଙ୍କ ସମେତ ପରୀକ୍ଷା କରାଇଥିଲେ । ହେଲେ ଉଭୟଙ୍କର ନେଗେଟିଭ ରିପୋର୍ଟ ଆସିଥିଲା । ସେହି ଦିନ ସଂନ୍ଧ୍ୟାରେ ତାରିଣୀଙ୍କୁ ଜ୍ୱର ହୋଇଥିଲା  ଫଳରେ ସେ ମଧ୍ୟ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁମଧ୍ୟ କୋଭିଡ ହୋଇଥିବା ସନ୍ଦେହରେ ସେ ଘରେ ହୋମ କ୍ୱାରେଣ୍ଟାଇନରେ ରହି ଚିକିତ୍ସିତ ହେବାସହିତ ନିୟମିତ ଔଷଧ ଖାଉଥିଲେ । ଗତ ୨୪ ତାରିଖରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଫୁଲବାଣୀ କୋଭିଡ ହସପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର କୋଭିଡ ପରୀକ୍ଷା କରାଯିବାପରେ ସେ କୋଭିଡ ପଜିଟିଭ ଭାବରେ ଚିହ୍ନଟ ହୋଇଥିଲେ । ୪ଦିନ ପରେ ସେଠାରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ଭୁବନେଶ୍ୱର କିମସ ହସପିଟାଲକୁ ୨୮ ତାରିଖ ଅପରାହ୍ନରେ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ଶ୍ରୀ ପାଢୀ ଗତ ପ୍ରାୟ ଦେଢ ବର୍ଷ ହେଲା କନ୍ଧମାଳ ଜିଲ୍ଲାରେ ପ୍ରମେୟ ର ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟ କରି ଆସୁଥିଲେ । ସେ ପେଷାରେ ଜଣେ ସାମ୍ବାଦିକ ହୋଇଥିଲେ ହେଁ କବିତା,ସଙ୍ଗୀତ ଓ ଚିତ୍ର କଳା ଆଦିରେ ମଧ୍ୟ ରୁଚି ରଖିଥିଲେ । ସମାଜରେ ସେ ଜଣେ ମେଳାପି,ମିଷ୍ଟଭାଷି ଓ ସମାଜସେବୀ ବ୍ୟକ୍ତି ଭାବରେ କନ୍ଧମାଳ ଜିଲ୍ଲାରେ ସୁପରିଚିତ ହୋଇ ପାରିଥିଲେ । । ତାଙ୍କ ପରିବାରେ ତାଙ୍କର ଦୁଇ ଝିଅଙ୍କ ସମେତ ତାଙ୍କ ପତ୍ନୀ ଅଛନ୍ତି । ତାଙ୍କର ଝିଅ ମାନଙ୍କ ମଧ୍ୟରୁ ବଡ ଝିଅ ଯୁକ୍ତ ୩ରେ ପଢୁଥିବାବେଳେ ସାନ ଝିଅ ହାଇସ୍କୁଲ ପାଠପଢା ଶେଷ କରିଛନ୍ତି । ଏହି ଅକାଳ ବିୟୋଗରେ ତାଙ୍କ ପରିବାର ସମେତ ବନ୍ଧୁ ପରିଜନ ମାନଙ୍କ ମଧ୍ୟରେ ଏବଂ ସମଗ୍ର ଫୁଲବାଣୀ ଅଂଚଳରେ ଶୋକରଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ