କୋଭିଡ୍‌ ନିୟମ ଉଲ୍ଲଂଘନ: ୨ ଚା’ ଦୋକାନ ସିଲ୍‌, ପରିବାରବର୍ଗଙ୍କୁ ୨୮ ଦିନ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଧିନସ୍ଥ ସିମନବାଡ଼ି ଠାରେ ୨ଟି ଚା’ଦୋକାନ ଖୋଲାଯିବା ଏବଂ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରାଯିବା ଅଭିଯୋଗରେ ଦାରିଙ୍ଗବାଡ଼ି ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ନିତୀଶ କୁମାର ତ୍ରିପାଠୀ ସିଲ୍‌ କରିଦେଇଛନ୍ତି।ପ୍ରକାଶଯେ, ଉକ୍ତ ୨ ଚା’ ଦୋକାନ ଭୋର୍‌ ୫ଟାରୁ ଖୋଲା ରହିଥିବା ବେଳେ ପ୍ରବାସୀ ଓଡ଼ିଆମାନେ ତାମିଲନାଡୁ ଏବଂ ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଏଠାରୁ ଚା’ ପିଉଥିଲେ। ସେମାନେ ଏହି ଦୁଇ ଚା’ ଦୋକାନରେ ଚା’ ପିଇବା ସହ ରୁଟି,ବିସ୍କୁଟ୍‌, ଗୁଟ୍‌ଖା ଆଦି ଖାଇଥିଲେ। ଖାଇବା ସମୟରେ କୌଣସି ସାମାଜିକ ଦୂରତ୍ୱକୁ ମାନି ନ ଥିଲେ ଏବଂ ଦୋକାନ ଭିତରେ ପଶି ନିଜେ ପ୍ରବାସୀମାନେ ପ୍ଳାଷ୍ଟିକ ଜାର୍‌ ମଧ୍ୟରୁ ବିସ୍କୁଟ ଆଣି ଖାଇଥିଲେ। ସ୍ଥାନୀୟ ଲୋକେ ଏନେଇ ବାରଣ କରିବା ସହ ଆଇଆଇସି କୌଶିକ ମାଝି ଏବଂ ତହସିଲଦାରଙ୍କୁ ସୂଚନା ଦେଇଥିଲେ। ପରେ ଘଟଣାସ୍ଥଳରେ ଆଇଆଇସି ଏବଂ ତହସିଲଦାର ପହଞ୍ଚି ତଦନ୍ତ କରିବା ସହ ସତ୍ୟତା ଜାଣି ଚା’ ଦୋକାନ ଦୁଇଟିକୁ ସିଲ କରିଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ଚା’ ଦୋକାନ ମାଲିକଙ୍କ ପରିବାର ଲୋକଙ୍କୁ ଆସନ୍ତା ୨୮ ଦିନ ପର୍ଯ୍ୟନ୍ତ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ମାଜିଷ୍ଟ୍ରେଟ୍‌ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଘର ସମ୍ମୁଖରେ ବୋର୍ଡ ଲଗାଯାଇଛି। ସ୍ଥାନୀୟ ଆଶା, ଅଙ୍ଗନୱାଡ଼ି, ଏନ୍‌ଏମ୍‌ଙ୍କୁ ପ୍ରତିଦିନ ଉକ୍ତ ୨ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ କଡ଼ା ନଜର ରଖିବା ଏବଂ ସେମାନେ ବାହାରେ ବୁଲିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ