କୋଭିଡ୍‍ ନିୟମ ଯୋଗୁଁ ନିରାଡମ୍ବର ଭାବେ ପାଳିତ ହେଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବ୍ରହ୍ମଲୀନ ଦିବସ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ହିନ୍ଦୁଧର୍ମ ଗୁରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦ୍ୱାଦଶତମ ବ୍ରହ୍ମଲୀନ ଦିବସ ମଙ୍ଗଳବାର ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇ ଯାଇଛି। ୨୦୦୮ ମସିହା ଜନ୍ମାଷ୍ଟମୀ ତିଥିରେ ସ୍ୱାମୀଜୀଙ୍କୁ ତାଙ୍କ ତୁମୁଡିବନ୍ଧ ସ୍ଥିତ ଜଳେଶପଟା ଆଶ୍ରମରେ ଦୁର୍ବୃତ ମାନେ ଗୁଳି କରି ହତ୍ୟା କରିଥିଲେ। ତେଣୁ ସେବେ ଠାରୁ ଜନ୍ମାଷ୍ଟମୀ ତିଥିରେ ସ୍ୱାମୀଜୀଙ୍କ ବ୍ରହ୍ମଲୀନ ଦିବସ ଭାବେ ପାଳନ କରାଯାଇ ଆସୁଛି। ଚକାପାଦ ସ୍ଥିତ ସ୍ୱାମୀଜୀଙ୍କ ମୁଖ୍ୟ ଆଶ୍ରମ ତଥା ସଂସ୍କୃତ ମହାବିଦ୍ୟାଳୟ ଆଜି ନିରାଡମ୍ବର ଭାବେ ଏହି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l କୋଭିଡ୍‍ ଯୋଗୁଁ ଏ ବର୍ଷ କେହି ବାହାରୁ କେହି ସନ୍ଥ ଆସି ପାରିନଥିବା ବେଳେ ଜନସମାଗମ ପାଇଁ ମଧ୍ୟ ପ୍ରଶାସନ ଅନୁମତି ଦେଇ ନଥିଲା। ତେଣୁ ଆଶ୍ରମର ସ୍ୱାମୀ ସଚିଦାନନ୍ଦ ସରସ୍ୱତୀଙ୍କ ତତ୍ୱବଧାନରେ ସୀମିତ ଅନ୍ତେବାସୀଙ୍କ ଦ୍ୱାରା ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା। ସାକଳୁ ହୋମ, ଯଜ୍ଞାଦି କାର୍ଯ୍ୟକ୍ରମ ସହ ନାମ ସଂକିର୍ତନ ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। କୋଭିଡ୍‍ ନିୟମ ଅନୁଯାୟୀ ମାସ୍କ ପରିଧାନ କରି ଓ ସାମାଜିକ ଦୁରତା ରକ୍ଷା କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାମ୍ଭାବ୍ୟ ଶାନ୍ତି ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ୨ ପ୍ଲାଟୁନ ପୁଲିସ୍‍ ଫୋର୍ସ ସହ ଅତିରିକ୍ତ ଏସପି, ଏସଡିପିଓ, ଥାନାଧିକାରୀ ପ୍ରମୁଖ ଆଶ୍ରମ ନିକଟରେ ଉପସ୍ଥିତ ରହିଥିଲେ। ଚକାପାଦର ସମସ୍ତ ପ୍ରବେଶ ପଥରେ ନାକା ପଏଣ୍ଟ କରି ସମସ୍ତ ଯିବା ଆସିବା ଲୋକ ଓ ଗାଡି ଯାଂଚ କରାଯାଇଥିଲା। ସେହିପରି ଜଳେଶପଟା ଆଶ୍ରମରେ ମଧ୍ୟ ନିରାଡମ୍ବର ଭାବେ କେବଳ ଆଶ୍ରମ ଅନ୍ତେବାସୀଙ୍କ ଦ୍ୱାରା ଉତ୍ସବ ପାଳିତ ହୋଇଥିବା ଜଣା ପଡିଛି। ସେହିଭଳି ସମଗ୍ର ଜିଲାରେ ମଧ୍ୟ ଜନ୍ମାଷ୍ଟମି ଉତ୍ସବ ନିରାଡ଼ମ୍ବର ସହିତ ପାଳିତ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ