କୋଭିଡ୍ କଟକଣା,ଘରେ ଘରେ ପୂଜା ପାଇଲେ ଶ୍ରୀଗଣପତି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା);କୋଭିଡ୍-୧୯ କଟକଣା ଯୋଗୁଁ ଗଜପତି ଜିଲ୍ଲାରେ ସାର୍ବଜନୀନ ଶ୍ରୀଗଣେଷ ପୂଜା ପାଇଁ ପ୍ରଶାସନ ତରଫରୁ କଟକଣା ଜାରି କରାଯାଇଛି । ତେଣୁ ଜିଲ୍ଲାର କୌଣସି ଠାରେ ସାର୍ବଜନୀନ ଭାବେ ଶ୍ରୀଗଣେଷ ପୂଜା ପାଳନ କରାଯାଇନାହିଁ । ସମଗ୍ର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜନସାଧାରଣ ନିଜ ନିଜ ଘରେ ବିଘ୍ନବିନାଶାୟ ଶ୍ରୀଗଣପତିଙ୍କୁ ଅତ୍ୟନ୍ତ ଭକ୍ତିପୁତ ଭାବେ ପୂଜାର୍ଚନା କରିଛନ୍ତି । ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ପ୍ରତ୍ୟେକ ବର୍ଷ ଅତ୍ୟନ୍ତ ଜାକ ଜମକରେ ଶ୍ରୀଗଣେଷ ପୂଜା ପାଳିତ ହୋଇ ଆସୁଥିଲା । ତେବେ ଚଳିତ ବର୍ଷର କଟକଣା ଯୋଗୁଁ ସମସ୍ତ ଶିକ୍ଷନୁଷ୍ଠାନ ଦୀର୍ଘ ଦିନ ଧରି ବନ୍ଦ ରହିଛି । ତେଣୁ ଶିକ୍ଷାନଷ୍ଠାନ ଗୁଡିକରେ ଶ୍ରୀଗଣେଷ ପୂଜା ବନ୍ଦ ହେବା ସ୍ୱାଭାବିକ । ଗଜପତି ଜିଲ୍ଲାର କାଶୀନଗର ଠାରେ ୨୧ଦିନ ବ୍ୟାପୀ ଅତ୍ୟନ୍ତ ଜାକଜମକରେ ଶ୍ରୀଗଣେଷ ପୂଜା ପାଳିତ ହୋଇ ଆସୁଥିଲା । ଏହି ପୂଜା ଗଜପତି ଜିଲ୍ଲା ସମେତ ପୋଡଶୀ ଆନ୍ଧ୍ରରେ ବେଶ ଲୋକପ୍ରିୟ ଥିବା ଯୋଗୁଁ ଏଠାରେ ବେଶ ଜନ ସମାଗମ ହୋଇ ଶ୍ରୀଗଣେଷ ପୂଜା ୨୧ଦିନ ଧରି ଉତ୍ସବ ମୁଖରିତ ହୋଇ ଆସୁଥିଲା । ବର୍ତ୍ତମାନ ଏହି ଅଞ୍ଚଳଟି ଜନଶୂନ୍ୟ ହୋଇ ଖାଁ ଖାଁ ଦେଖା ଯାଉଛି ।