କୋଭିଡ୍ କଟକଣା ଉଲଂଘନ: ଅବାଧରେ ଚାଲିଛି ଘରୋଇ ଟିଉସନ୍‌, କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ

ବନ୍ତ, (ଚାନ୍ଦିନୀ ମହାନ୍ତି) : କେନ୍ଦ୍ର ଓ ରାଜ୍ୟ ସରକାର କରୋନା ମହାମାରୀକୁ ରୋକିବା ନେଇ ନାନାଦି କଟକଣା ଲାଗୁ କରିଛନ୍ତି । ଗତ ମାର୍ଚ୍ଚ ମାସ ଠାରୁ ସମସ୍ତ ସ୍କୁଲ, କଲେଜକୁ ବନ୍ଦ ରଖାଯାଇଛି । ଏପରିସ୍ଥଳେ ବନ୍ତ ବ୍ଲକରେ କୋଭିଡ୍ କଟକଣାକୁ ଉଲଂଘନ କରି ବିଭିନ୍ନ ସ୍ଥାନରେ ଘରୋଇ ଟିଉସନ୍ ଓ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଚାଲିଥିବାର ଦେଖାଯାଇଛି । ଯେଉଁଠାରେ ସାମାଜିକ ଦୂରତାକୁ ସଂପୂର୍ଣ୍ଣ ଉଲଂଘନ କରାଯାଉଛି । ଯାହାଫଳରେ ପିଲା ମାନଙ୍କ ଜୀବନ ସହ ଖେଳ ଖେଳାଯାଇ କରୋନା ସଂକ୍ରମଣକୁ ଆବାହନ କରାଯାଉଥିବା ଦେଖାଯାଇଛି । ବ୍ଲକର ଗଣିଜାଙ୍ଗ, ଛୟାଳସିଂ, ରାମପୁର, ରାମକୃଷ୍ଣପୁର, ଓଡଙ୍ଗ ସମେତ ବିଭିନ୍ନ ପଞ୍ଚାୟତରେ ଘରୋଇ ଟିଉସନ ମନମାନୀରେ ଚାଲୁଥିବା ଦେଖାଯାଇଛି । ସରକାରଙ୍କ ପକ୍ଷରୁ ଘରୋଇ ଟିଉସନ୍ ଉପରେ ରୋକ ଲଗାଯାଇଥିବା ବେଳେ ଏହି ନିୟମକୁ ଟିଉସନ୍ ଶିକ୍ଷକ ମାନେ ମାନୁ ନଥିବା ଦେଖାଯାଇଛି । ଏପରିକି ସରକାରୀ ଶିକ୍ଷକ ମାନେ ଘରୋଇ ଟିଉସନ କରୁଥିବାର ଦେଖିବାକୁ ମିଳିଛି । ପ୍ରତ୍ୟେକ ଟିଉସନ୍ କେନ୍ଦ୍ରରେ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୋଟିଏ ରୁମ୍‌ରେ ବସି ପାଠ ପଢୁଥିବା ଦେଖାଯାଉଛି । ଟଙ୍କା ଲୋଭରେ ଶିକ୍ଷକ ମାନେ ଏଭଳି କାର୍ଯ୍ୟ କରୁଥିବା ଜଣାଯାଇଛି । ସେହିପରି ବ୍ଲକର ବିଭିନ୍ନ ସ୍ଥାନରେ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଖୋଲା ଯାଇ ପିଲା ମାନଙ୍କୁ ପାଠ ପଢାଯାଉଛି । ଯେଉଁଠାରେ ଆଦୌ ସାମାଜିକ ଦୂରତା ଅବଲମ୍ବନ କରାଯାଉନାହିଁ । ଏନେଇ ଅଭିଭାବକ ମାନେ ପ୍ରଶାସନକୁ ଅବଗତ କରାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ