କୋଭିଡ୍ କେୟାର ସେଣ୍ଟର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନୁଧ୍ୟାନ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା)- ଗଜପତି ଜିଲ୍ଲାପାଳ ଅନୁପମ ସାହା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିବାର ଦେଖିବାକୁ ମିଳିଥିଲା । ସେଠାରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବ୍ୟବସ୍ଥା ଉପରେ ଏବଂ ସେଠାକୁ କେତେ ରୋଗୀ ଦୈନିକ ଯାତାୟତ କରୁଛନ୍ତି ସେ ବିଷୟରେ ଅନୁଧ୍ୟାନ କରିବା ସହ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ପ୍ରଶାନ୍ତ କୁମାର ପାଢୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ଚିକିତ୍ସାଳୟ ପରିସରରେ ଯେଉଁ କୋଭିଡ କେୟାର ସେଣ୍ଟର ରହିଛି ସେଠାକୁ ଯାଇ ମଧ୍ୟ ସେଠାରେ ସମସ୍ତ ବିଷୟ ଉପରେ ଅନୁଧ୍ୟାନ କରିଥିଲେ । ବର୍ତ୍ତମାନ କରୋନା ସଂକ୍ରମଣ ଜିଲ୍ଲାରେ ବୃଦ୍ଧି ପାଇଥିବାବେଳେ ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କିପରି ବ୍ୟବସ୍ଥା କରାଯାଇଛି ଏବଂ କୋଭିଡ କେୟାର ସେଣ୍ଟରକୁ ଲୋକମାନେ କିଭଳି ସୁରକ୍ଷିତ ରହୁଛନ୍ତି ଏହି ସମସ୍ତ ବିଷୟ ଉପରେ ସେ ଅନୁଧ୍ୟାନ କରି ବିଭିନ୍ନ ଅଧିକାରୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଘରୋଇ ସୁରକ୍ଷା କର୍ମଚାରୀମାନଙ୍କୁ ଭେଟି ସେମାନଙ୍କ ଦରମା ସଠିକ୍ ଭାବେ ପାଉଛନ୍ତି କି ନାହିଁ ସେ ବିଷୟରେ ପଚାରି ବୁଝିଥିଲେ । ସେମାନେ ଦରମା ଠିକ୍ଠାକ ଭାବେ ପାଉଥିବାର ଜିଲ୍ଲାପାଳଙ୍କୁ କହିଥିଲେ । ତାଙ୍କ ପରିଦର୍ଶନ ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରକଳ୍ପ ଅଧିକାରିଣୀ ସୌମ୍ୟାରାଣୀ ଗୌଡ, ଡାକ୍ତର ସୁରେନ୍ଦ୍ର ନାଥ ରଥ ପ୍ରମୁଖ ଉପସ୍ଥିତଥିଲେ ।