କୋଭିଡ୍ ଟିକା ନେଲେ ଆଗଧାଡ଼ିର ଯୋଦ୍ଧା
ଛତ୍ରପୁର (ପ୍ରଶାନ୍ତ ମହାରଣା): ସ୍ଥାନୀୟ ବ୍ଲକ ପରିସରରେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଦ୍ୱିତୀୟ ଡୋଜ୍ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ ହୋଇଯାଇଛି ।ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଥମେ ଜଣେ ଆଗଧାଡିର ମହିଳା କୋଭିଡ ଯୋଦ୍ଧା ଟିକା ନେଇ ଏହାର ଶୁଭାରମ୍ଭ କରିଛନ୍ତି । ପରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଅତିରିକ୍ତ ଉପଜିଲ୍ଲାପାଳ ସରୋଜ କୁମାର ଦାଶ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ ପ୍ରମୁଖ ଟିକା ନେଇ ଅନ୍ୟମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକା ନେବା ନିମନ୍ତେ କହିଛନ୍ତି । ଏହି କ୍ରମେ ଆଜି ପ୍ରଥମ ଦିନରେ ୭୦ରୁ ଉର୍ଦ୍ଧ୍ୱ ଆଗ ଧାଡ଼ିର କୋଭିଡ୍ ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରାଯାଇଛି । ଏହି ଟିକାଦାନ କାର୍ଯ୍ୟକ୍ରମରେ ମୁନିଷିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀଙ୍କ ସମେତ ଏକ ୬ ଜଣିଆ ଟିମ୍ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଟିକା ଦେବା କାର୍ଯ୍ୟରେ ସହାୟତା ପ୍ରଦାନ କରିଛନ୍ତି । ଆଜି ମୁଖ୍ୟତଃ ଆଗଧାଡିର କୋଭିଡ୍ ଯୋଦ୍ଧାମାନେ ଟିକା ନେବା ପରେ ସେଲଫି ପଏଂଟରେ ମୁଁ ଟିକା ନେଲି ବୋଲି ଫଟୋ ଉଠାଇ ମଜା ନେଇଥିବା ଦେଖିବାକୁ ମିଳିଥିଲା ।