କୋଭିଡ୍ ନିୟମକୁ ନମାନିଲେ ଲକଡାଉନ କିମ୍ବା ଶଟଡାଉନ ପରିସ୍ଥିତି ଉପୁଜିବ-ଜିଲ୍ଲାପାଳ

ଜିଲ୍ଲାକୁ ଆସିଲେ ନେଗେଟିଭ୍ ରିପୋର୍ଟ ଓ ଦ୍ୱିତୀୟ ଡୋଜ୍ ଟୀକା ନେଇଥିବା ଜରୁରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କରୋନାର ଦିତ୍ୱୀୟ ଲହରୀ ଗଜପତି ଜିଲ୍ଲାରେ ପ୍ରବେଶ କରିସାରିଛି । ଚଳିତ ମାସ ୩ତାରିଖରେ ଆରମ୍ଭ ହୋଇଥିବା ଏହି ଦ୍ୱିତୀୟ ଲହରୀରେ ଆଜି ସୁଦ୍ଧା ୧୯ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ସର୍ବାଧିକ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା କାର୍ଯ୍ୟକ୍ରମ ଅବଲମ୍ବନ କରାଯାଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଟିଏମ୍‌ସି, କୋଭିଡ୍ ହସ୍ପିଟାଲ ଆଦି ପୁନଃ ପ୍ରଚଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏ ସମ୍ପର୍କରେ ଆଜି ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ଭିଡିଓ ବାର୍ତ୍ତା ଜାରୀ କରି କହିଛନ୍ତି ଯେ, ଆସନ୍ତା ୧୨ ତାରିଖ ଠାରୁ ଜିଲ୍ଲାରେ ସମସ୍ତ ନାକା ପଏଣ୍ଟ କାର୍ଯ୍ୟକ୍ଷମ କରାଯାଇ ଜିଲ୍ଲାରେ ପ୍ରବେଶ କରୁଥିବା ଲୋକଙ୍କ ଉପରେ କଟକଣା ଜାରି କରାଯାଇଛି । ଯେଉଁମାନେ ପ୍ରବେଶ କରିବେ ସେମାନେ ୭୨ଘଣ୍ଟା ମଧ୍ୟରେ ଆର୍‌ଟିପିସିଆର୍ କୋଭିଡ୍ ନେଗେଟିଭ୍ ପ୍ରମାଣ ପତ୍ର ଓ ଦ୍ୱିତୀୟ ଡୋଜ୍ ନେଇଥିବା କୋଭିଡ୍ ଟିକାକରଣ ପ୍ରମାଣପତ୍ର ଦେଖାଇବା ଜରୁରୀ । ନଚେତ୍ ଜିଲ୍ଲାର ନାକା ପଏଣ୍ଟ ଗୁଡିକରୁ ଜିଲ୍ଲାକୁ ପ୍ରବେଶ ପାଇଁ ଅନୁମତି ଦିଆଯିବା ନାହିଁ । ଯଦି ଏହି ପ୍ରମାଣ ପତ୍ର ନାହିଁ ତାହାହେଲେ ୭ଦିନ ଘରୋଇ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ ବୋଲି କହିଛନ୍ତି । ଏହା ସହ ଜିଲ୍ଲାରେ ପ୍ରବେଶ କରୁଥିବା ବ୍ୟକ୍ତିବିଶେଷ ମାନେ ଏକ ଘୋଷଣାପତ୍ର ମାଧ୍ୟମରେ ନିଜର ବିବରଣୀ ସହ ରୋଗର ବିବରଣୀ ଆଦି ପ୍ରଦାନ କରିବା ବାଧ୍ୟ ବୋଲି କୁହାଯାଇଛି । ଏଥିସହ ଜିଲ୍ଲାର ସମସ୍ତ ଜନପ୍ରତିନିଧି ବା ନିର୍ବଚିତ ପ୍ରତିନିଧି ତଥା ସରପଞ୍ଚ, ସମିତି ସଭ୍ୟସଭ୍ୟା ମାନଙ୍କୁ ଅପିଲ କରିଛନ୍ତି ଯେ, ଗ୍ରାମକୁ କୌଣସି ବାହାର ରାଜ୍ୟ କିମ୍ବା ବାହାର ଜିଲ୍ଲାର ଲୋକେ ଆସିଲେ ତୁରନ୍ତ ଜଣାଇବେ ନଚେତ ସେମାନେଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦେଇପାରିବେ କିମ୍ବା ଟିଏମ୍‌ସିରେ ଭର୍ତ୍ତି କରିବେ । ଏହା ସହ ଜିଲ୍ଲାପାଳ ଶ୍ରୀ ସାହା ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ, କୌଣସି ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁ ନାହିଁ, ଯଦି ବାହାରିବେ ମାସ୍କ ପରିଧାନ ବାଧ୍ୟତା ମୂଳକ ଏବଂ ଜନଗହଳ ସ୍ଥାନକୁ ନଯିବା ପାଇଁ ନିବେଦନ କରିଛନ୍ତି । ଯଦି ଓ ଆମ୍ଭେ ଏହି କୋଭିଡ୍ ନିୟମକୁ ନ ମାନିବା ତେବେ ପୂର୍ବପରି ଲକ୍‌ଡାଉନ୍ ଓ ଶଟ୍‌ଡାଉନ୍ ପରିସ୍ଥିତ ଉପୁଜିପାରେ ବୋଲି ସୂଚାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ