କୋଭିଡ୍ ପ୍ରଭାବିତ ଶିଶୁମାନଙ୍କ ପାଇଁ ସମ୍ପର୍କ ହେଲ୍ପଡେକ୍ସର ଶୁଭାରମ୍ଭ
ଭୁବନେଶ୍ୱର, (ୱାଇଏନ୍ଏସ୍): ବିଗତ ଦିନମାନଙ୍କରେ କୋଭିଡ୍-୧୯ ମହାମାରୀ ସମଗ୍ର ବିଶ୍ୱରେ ମାନବସମାଜକୁ ଭୀଷଣ ଭାବରେ କ୍ଷତିଗ୍ରସ୍ତ କରିଛି । ଏହାର ଗଭୀର ପ୍ରଭାବ ଶିଶୁମାନଙ୍କ ଉପରେ ମଧ୍ୟ ପଡ଼ିଛି । ଶିଶୁମାନଙ୍କୁ ସେମାନଙ୍କର ଅଧିକାର ତଥା ଆବଶ୍ୟକତା ଯେପରିକି ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ସୁରକ୍ଷା, ସାଙ୍ଗସାଥୀ- ପରିବାର ପରିଜନ ଆଦିଙ୍କ ସହିତ ଭାବ ବିନିମୟରେ ମଧ୍ୟ ବ୍ୟାଘାତ ସୃଷ୍ଟି କରିଛି । ଏହି ମହାମାରୀର ଦୁଇଟି ଲହରକୁ ଆମେ ସମ୍ମୁଖୀନ ହୋଇ ସାରିଥିଲାବେଳେ ପୁନଶ୍ଚ ତୃତୀୟ ଲହର ଆସିପାରେ ଏବଂ ଏହା ବିଶେଷ କରି ଶିଶୁମାନଙ୍କୁ ଅଧିକ କ୍ଷତିଗ୍ରସ୍ତ କରିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ତେଣୁ ଆମ ଶିଶୁମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା, ସେମାନଙ୍କ ମାନସିକ ଓ ସାମାଜିକ ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୟୁନିସେଫ୍ର ମିଳିତ ସହଯୋଗରେ ଶିଶୁମାନଙ୍କ ପାଇଁ ସମ୍ପର୍କ ହେଲ୍ପଡେସ୍କ ଶୁଭାରମ୍ଭ କରିଛନ୍ତି । ଏହା ନିଶ୍ଚିତ ଭାବରେ ରାଜ୍ୟର ଶିଶୁମାନଙ୍କ ମନୋବଳ ବୃଦ୍ଧି ଦିଗରେ ଯଥେଷ୍ଟ ସହାୟକ ହେବ ବୋଲି ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମତବ୍ୟକ୍ତ କରିଛନ୍ତି । ଆଜି ଅପରାହ୍ନରେ ଆଭାସୀ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ହେଲ୍ପଲାଇନ୍ ଏବଂ ପ୍ରଚାର ପୁସ୍ତିକାର ଲୋକାର୍ପଣ କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ, ମହାମାରୀ କାଳରେ ଶିଶୁମାନଙ୍କୁ ଉପଯୁକ୍ତ ମାନସିକ ପରାମର୍ଶ ପାଇଁ ଏକ ପୁସ୍ତିକା ପ୍ରକାଶ ସହିତ ସେବା ପ୍ରଦାନକାରୀମାନଙ୍କୁ ତାଲିମ ଦିଆଯାଇଛି । ତେବେ ଏହି ପରିସ୍ଥିତିରେ ଅଧିକରୁ ଅଧିକ ଶିଶୁମାନଙ୍କୁ ତ୍ୱରିତ ମାନସିକ ପରାମର୍ଶ ପ୍ରଦାନ ଏକ ଜରୁରୀ ଆବଶ୍ୟକତା ଅଟେ । ଏତଦ୍ବ୍ୟତୀତ କୋଭିଡ୍ କାଳରେ କ୍ଷତିଗ୍ରସ୍ତ ଏବଂ କୋଭିଡ୍ ପରବର୍ତୀ କଠିନ ସ୍ଥିତିରେ ସମ୍ମୁଖୀନ ହେଉଥିବା ଶିଶୁମାନଙ୍କୁ ସେମାନଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା ଓ ସହାୟତା ସମ୍ପର୍କରେ ଉପଯୁକ୍ତ ସୂଚନା ପ୍ରଦାନର ମଧ୍ୟ ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଜି ସମ୍ପର୍କ ହେଲ୍ପଡେସ୍କର ଶୁଭାରମ୍ଭ ହେଉଛି । ଏହି ହେଲ୍ପଡେସ୍କର ବ୍ୟାପକ ପ୍ରସାର ସହିତ ଏହା ଅଧିକରୁ ଅଧିକ ଶିଶୁମାନଙ୍କୁ ସାମାଜିକ-ମନସ୍ତାତ୍ୱିକ ପରାମର୍ଶ ପ୍ରଦାନ ସହିତ ଶିଶୁମାନଙ୍କୁ ସରକାରୀ ବ୍ୟବସ୍ଥାରେ ଉପଲବ୍ଧ ସହାୟତା ହାସଲ କରାଇବାରେ ସହାୟକ ହେବ । ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ଶାସନ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା କହିଲେ, ମହାମାରୀ କାଳରେ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ରାଜ୍ୟ ସରକାର ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ନିଜର ପିତାମାତା ଅବା ରୋଜଗାରକ୍ଷମ ଅଭିଭାବକମାନଙ୍କୁ ହରାଇଥିବା ପିଲାମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଯୋଜନାର ପ୍ରଚଳନ କରିଛନ୍ତି । ବିଭାଗ ପକ୍ଷରୁ ୧୦୯୮-ଚାଇଲ୍ଡଲାଇନ୍, ୧୦୪-ରାଜ୍ୟ କୋଭିଡ୍ ହେଲ୍ପଲାଇନ୍କୁ ଜନାଦୃତ କରାଇବା ସହ ପ୍ରତ୍ୟେକ ଶିଶୁଙ୍କ ନିକଟରେ ପହଂଚାଇବା ନିମନ୍ତେ ପ୍ରୟାସ କରାଯାଉଛି । ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସେବା ଓ ସହାୟତା ଯୋଗାଇଦେବା ଦିଗରେ ଟେଲି ଯୋଗାଯୋଗ ପାଇଁ ବୈଷୟିକ ଜ୍ଞାନ ପ୍ରୟୋଗ କରି ଏହି ଉତ୍ସର୍ଗୀକୃତ ହେଲ୍ପଲାଇନ୍ ସମ୍ପର୍କକୁ ବ୍ୟାପକ ଏବଂ କ୍ରିୟାଶୀଳ କରାଯିବ । ଏହାଦ୍ୱାରା ରାଜ୍ୟର ପ୍ରତ୍ୟେକ କୋଣ-ଅନୁକୋଣରୁ ଶିଶୁମାନେ ଉପକୃତ ହୋଇପାରିବେ । ୟୁନିସେଫ୍, ଓଡ଼ିଶାର ମୁଖ୍ୟ କ୍ଷେତ୍ର ଅଧିକାରୀ ଡ. ମୋନିକା ନିଲେସନ୍ କହିଥିଲେ କୋଭିଡ୍ ସମୟରେ ଶିଶୁମାନଙ୍କ ଶାରୀରିକ, ମାନସିକ ଏବଂ ସାମାଜିକ ବିକାଶ ପାଇଁ ଓଡ଼ିଶା ସରକାରଙ୍କ ବହୁବିଧ କୌଶଳରେ ୟୁନିସେଫ୍ ସହଯୋଗ କରିଆସିଛି ଏବଂ ଆଗାମୀ ଦିନରେ ମଧ୍ୟ ଏହା ଜାରିରହିବ । ପ୍ରାରମ୍ଭରେ ନିର୍ଦ୍ଦେଶକ ସମନ୍ୱିତ ଶିଶୁ ବିକାଶ ତଥା ନିର୍ଦ୍ଦେଶକ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଡ. ଅରବିନ୍ଦ ଅଗ୍ରୱାଲ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଏହି ହେଲ୍ପଡେସ୍କର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ବିକାଶ କରାଯାଇଥିବା ସମ୍ପର୍କ ରାଜ୍ୟ ହେଲ୍ପଡେସ୍କକୁ ମନ୍ତ୍ରୀ ଶ୍ରୀମତୀ ସାହୁ ଲୋକାର୍ପଣ କରିଥିଲେ । ଏ ସମ୍ପର୍କିତ ସଚେତନତା ପୋଷ୍ଟର ଏବଂ ଟିକି ମାଉସୀ ଭିଡ଼ିଓ ମଧ୍ୟ ଉନ୍ମୋଚନ କରାଯାଇଥିଲା । ଏହି ହେଲ୍ପଡେସ୍କ ସକାଳ ୮ଟାରୁ ରାତ୍ରି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଶିଶୁମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଜଣେ କାଉନ୍ସିଲର ଏବଂ ଜଣେ ପ୍ରକଳ୍ପ ଅଧିକାରୀ ନିୟୋଜିତ ହେବେ, ସାମାଜିକ ଗଣମାଧ୍ୟମ ଏବଂ ଗୋଷ୍ଠୀ ମାଧ୍ୟମରେ ଏହି ହେଲ୍ପଡେସ୍କର ବ୍ୟାପକ ପ୍ରଚାର ପ୍ରସାର କରାଯିବ । ହେଲ୍ପଡେସ୍କର ଟୋଲ୍ ଫ୍ରି ନମ୍ବର ରହିଛି-୧୮୦୦୪୧୯୧୮୧୩ । ଆଜିର ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷା, ଡିସିପିଓ, ଶିଶୁ କଲ୍ୟାଣ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ସମିତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନେ ଉପସ୍ଥିତ ଥିଲେ । ଶିଶୁ ସୁରକ୍ଷା କାର୍ଯ୍ୟକ୍ରମର ପ୍ରବନ୍ଧକ ପ୍ରୀତିକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଏବଂ ୟୁନିସେଫ୍ର ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ ଧନ୍ୟବାଦ ଅର୍ପଣ କରିଥିଲେ ।