କୋଭିଡ୍ ବେଳେ ଏଡ଼ସ ରୋଗୀଙ୍କ ପାଇଁ ଦେବଦୂତ ସାଜିଥିଲେ ମହିଳା ସ୍ୱାସ୍ଥ୍ୟ କର୍ମୀ ଗୀତାଞ୍ଜଳୀ
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ବିଶ୍ୱ ଏଡ଼ସ ଦିବସ । ଦେଶ ଏବଂ ରାଜ୍ୟରେ ଏଡ଼ସ ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସମୟରେ ଗାଁ ଗାଁ ବୁଲି ଲୋକଙ୍କୁ ଏଡ଼ସ ସଂକ୍ରମଣ ବିଷୟରେ ସଚେତନ କରାଯାଉଛି । ମହାମାରୀ କରୋନା ବିଶ୍ବକୁ ଘାଇଲା କରୁଥିବା ବେଳେ ଅତି ଆବଶ୍ୟକ ନହେଲେ କେହି ଘରୁ ବାହାରକୁ ନବାହାରିବା ପାଇଁ ଜନସାଧାରଣଙ୍କୁ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଥିଲା । କିନ୍ତୁ ଏଭଳି ବିପଦପୂର୍ଣ୍ଣ ସମୟରେ ମଧ୍ୟ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର ମହିଳା ଏଡ଼ସ କାଉନସିଲର ଗୀତାଞ୍ଜଳୀ ପଣ୍ଡା ନିଜକୁ ସମର୍ପିତ କରିଥିଲେ ସେବା କାର୍ଯ୍ୟରେ । ଦେବଦୂତ ସାଜି ରୋଗୀଙ୍କ ପାଖରେ ପହଁଞ୍ଚି ଯୋଗାଇଥିଲେ ଔଷଧ । ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା କନ୍ଧମାଳ ଜିଲ୍ଲାରେ ସମୁଦାୟ ୨୧୦ ଜଣ ଏଡ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି । ୨୧୦ ରୋଗୀଙ୍କ ମଧ୍ୟରୁ ବାଲିଗୁଡ଼ା ଅଞ୍ଚଳରୁ ୧୨ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ରୋଗୀ ଅନାଥ ହୋଇଥିବା ବେଳେ ଦୁଇଜଣ ବିଧବା ରୋଗୀ ହୋଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୨ଜଣ ରୋଗୀଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ବର୍ତ୍ତମାନ ବାଲିଗୁଡ଼ା ଅଞ୍ଚଳରେ ୧୦ଜଣ ରୋଗୀ ଥିବା ଜଣାପଡ଼ିଛି । ମହାମାରୀ କରୋନା କଟକଣା ସମୟରେ ଗୀତାଞ୍ଜଳୀ ବାଲିଗୁଡ଼ା ଅଞ୍ଚଳର ଏହି ରୋଗୀ ମାନଙ୍କ ଘରକୁ ଯାଇ ସେମାନଙ୍କୁ ଔଷଧ ଯୋଗାଇଥିଲେ । ଏଭଳି ସମୟରେ ରୋଗୀଙ୍କ ପାଖରେ ପହଁଞ୍ଚି ସେମାନଙ୍କୁ ଔଷଧ ଯୋଗାଇ ବେସ୍ ସନ୍ତୁଷ୍ଟି ଲାଭ କରିଥିବା କହିଛନ୍ତି ଗୀତାଞ୍ଜଳୀ । ସେପଟେ ଘରୁ ବାହାରକୁ ବାହାରି ପାରୁନଥିବା ସମୟରେ ଘର ପାଖରେ ଔଷଧ ପାଇଥିବାରୁ ଗୀତାଞ୍ଜଳୀଙ୍କୁ ସାଧୁବାଦ ଜଣାଇଛନ୍ତି ରୋଗୀ ।