କୋଭିଡ କଟକଣାରୁ ଫିକା ମକର ସଂକ୍ରାନ୍ତି
ବାଲେଶ୍ୱର, (ସରୋଜ ପଣ୍ଡା) :ସାମ୍ପ୍ରତିକ ସ୍ଥିତରେ ବଢ଼ୁଥିବା ତୃତୀୟ ଲହର କରୋନା ସଂକ୍ରମଣ ସରକାରଙ୍କ ପକ୍ଷରୁ ଜାରି କୋଭିଡ କଟକଣା ଯୋଗୁଁ ଓଡ଼ିଶାର ଅନ୍ୟତମ ଗଣପର୍ବ ମକର ସଂକ୍ରାନ୍ତ ଚଳିତବର୍ଷ ଫିକା ପଡ଼ିବାକୁ ଯାଉଛି । କୃଷି ଭିତ୍ତିକ ଏହି ଗଣପର୍ବର ଗୁରୁତ୍ୱ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ଅଧିକ ରହିଆସିଛି । ଏହି ପର୍ବକୁ ସବୁବର୍ଗର ଲୋକେ ବେଶ ହର୍ଷଉଲ୍ଲାସରେ ପ୍ରତିବର୍ଷ ପାଳନ କରିଥା’ନ୍ତି । ଏହି ଦିନରେ ଘରେ ଘରେ ପିଠାପଣା, ଫଳମୂଳର ସାଙ୍ଗକୁ ସୁସ୍ୱାଦୁ ଖାଦର ମଜା ନିଅନ୍ତି ସମସ୍ତେ । ବିଭିନ୍ନ ସ୍ଥାନରେ ୭ ଦିନରୁ ୧୫ ଦିନ ପର୍ଯ୍ୟନ୍ତ ମକର ମେଳା ବି ବସିଥାଏ । ମେଳାରେ ଦୋକାନବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ମନୋରଂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ମାତ୍ର ମହାମାରୀ କରୋନା ପାଇଁ ସବୁକିଛି ଫିକା ପଡ଼ିଯାଇଛି । ଜୀବନର ମୂଲ୍ୟକୁ ଦୃଷ୍ଟିରେ ରଖି ସମସ୍ତେ ସଚେତନ ହୋଇଛନ୍ତି । ଏଥି ସହିତ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନ (ଏସଆରସି)ଙ୍କ ମାର୍ଗଦର୍ଶିକା ଅନୁସରଣ ପୂର୍ବକ ସବୁଠି ଘରେ ଘରେ କେବଳ ବିଧିରକ୍ଷାରେ ଏହି ପର୍ବକୁ ପାଳନ କରିବାକୁ ଯାଉଥିବା ଲୋକେ ପ୍ରକାଶ କରିଛନ୍ତି । ଖାସ ସେଇଥି ପାଇଁ ପ୍ରତିବର୍ଷ ସଂକ୍ରାନ୍ତି ଆଗଦିନ ବାଲେଶ୍ୱର ସହରରେ ମକର ମାର୍କେଟିଂର ମାହଲ ଦେଖିବାକୁ ମିଳିନାହିଁ । ଆଗଭଳି ମିଠା ଦୋକାନ କିମ୍ବା ଫଳମୂଳ ଦୋକାନରେ ଲୋକଙ୍କର ଭିଡ଼ ବି ଦେଖାଯାଇ ନାହିିଁ । ପରିବାର ସହ ମକର ସଂକ୍ରାନ୍ତି ପାଳନ ପାଇଁ ଲୋକେ ବଜାରରୁ ଆବଶ୍ୟକ ସାମଗ୍ରୀ ସଂଗ୍ରହ କରୁଥିବା ଲକ୍ଷ୍ୟ କରାଯାଇଛି । ଏ ସ୍ଥିତି ରହିବ ନାହିଁ, ପୁଣି ସଂକ୍ରାନ୍ତି ଆସିବ ଓ ଲୋକେ ଏହାର ମଜା ଉଠାଇବେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।