କୋଭିଡ କଟକଣା କୋହଳ ପରେ ପ୍ରଥମ ସାମୂହିକ ଉତ୍ସବ
ମନ୍ଦିରମାନଙ୍କରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିଲେ ଜନ୍ମାଷ୍ଟମୀ
ବାଲେଶ୍ୱର, (ସରୋଜ ପଣ୍ଡା): କୋଭିଡ କଟକଣା କହୋଳ ପରେ ପ୍ରଥମ କରି ସାମୂହିକ ଉତ୍ସବ ଭାବେ ସହର ସମେତ ବାଲେଶ୍ୱର ଜିଲାର ପୁରପଲୀରେ ସୋମବାର ପାଳିତ ହୋଇଛି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପବିତ୍ର ଜନ୍ମାଷ୍ଟମୀ । ଏହି ଅବସରରେ ସକାଳଠାରୁ ବିଭିନ୍ନ ମନ୍ଦିରକୁ ଯାଇ ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ରେମୁଣାର କ୍ଷୀରଚୋରା ଗୋପୀନାଥ ମନ୍ଦିର, ଓଟି ରୋଡ଼ର ଲକ୍ଷ୍ମୀନାରାୟଣ ମନ୍ଦିର, ରାଜାବଗିଚାର ରାଧାକୃଷ୍ଣ ମନ୍ଦିର ସମେତ ମୋତିଗଞ୍ଜ, ମଣ୍ଡଳବଜାର ପ୍ରଭୃତି ଅଞ୍ଚଳର ଶ୍ରୀରାଧାକୃଷ୍ଣ ମନ୍ଦିରମାନଙ୍କରେ ଦେବାଦେବୀ ଦର୍ଶନ ସାଙ୍ଗକୁ ପୂଜାର୍ଚ୍ଚନା କରିଥିଲେ । ବ୍ରତଧାରୀମାନେ ଉପବାସ ରହି ନିଷ୍ଠାର ସହ ଭଗବାନ ଶ୍ରୀକୃଷ୍ଣଙ୍କୁ ଉପାସନା କରିଥିଲେ । କେତେକ ମନ୍ଦିରରେ ସଂଧ୍ୟାଠାରୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମକାଳୀନ ବିଶେଷ ନୀତିପୂଜା ଆରମ୍ଭ ହୋଇ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ଭକ୍ତମାନଙ୍କ ସାମୂହିକ ଭଜନ କୀର୍ତ୍ତନରେ ମନ୍ଦିରମାନଙ୍କରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । କରୋନା ସଂକ୍ରମଣ ଯୋଗୁଁ ଦୀର୍ଘ ଦୁଇ ବର୍ଷଧରି ମନ୍ଦିରକୁ ଆସି ପାରିନଥିବା ଭକ୍ତମାନେ ଏଥର ଜନ୍ମାଷ୍ଟମୀ ପୂଜା କରିବାକୁ ଆସି ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ । ଅନ୍ୟପକ୍ଷରେ ମନ୍ଦିରରେ ଭକ୍ତଙ୍କ ଆଗମନକୁ ନେଇ ପୂଜକମାନେ ବେଶ ପ୍ରଫୁଲ ଥିବା ଦେଖିବାକୁ ମିଳିଥିଲା । ତେବେ ମନ୍ଦିର ପରିଚାଳନା କମିଟି ପକ୍ଷରୁ କରୋନା ସଂକ୍ରମଣକୁ ଗୁରୁତ୍ୱ ଦେଇ ସାମାଜିକ ଦୂରତା ବଜାୟ ରଖି ପର୍ଯ୍ୟାୟ କ୍ରମେ ଭକ୍ତମାନଙ୍କୁ ମନ୍ଦିରକୁ ଛାଡିଥିଲେ । ଜନ୍ମଷ୍ଟମୀ ପରଦିନ ନନ୍ଦଉତ୍ସବ ପାଳନର କାର୍ଯ୍ୟକ୍ରମ ରହିଛି ବୋଲି ବିଭିନ୍ନ ଅନୁଷ୍ଠାନ ଓ ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ମଧ୍ୟ ଭୋଭିଡ ନିୟମ ମଧ୍ୟରେ ସତର୍କତା ଅବଲମ୍ବନ କରାଯିବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି ।


