କୋଭିଡ ଟୀକା ଯୋଜନାର ପ୍ରସ୍ତୁତି, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେସମୀକ୍ଷା ବୈଠକ
ନୂଆଦିଲ୍ଲୀ : କୋଭିଡ-୧୯ ଟୀକାକରଣ ନେଇ ଯୋଜନା ଓ ପ୍ରସ୍ତୁତି ଉପରେ ଏକ ସମୀକ୍ଷା ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭାରତ ବିଶାଳତା ଓ ବିବିଦ୍ଧତା ଦୃଷ୍ଟିରୁ ଟୀକାକରଣ ବେଳେ କେତେକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି । ସେଗୁଡିକ ମଧ୍ୟରେ ଯେଉଁଠି ଅଧିକ ବିପଦ ଆଶଙ୍କା ରହିଛି ସେ ସ୍ଥାନ ଉପରେ ଗୁରୁତ୍ଵ ଦେବା ଓ ସେଥିପାଇଁ ସଂଶ୍ଳିଷ୍ଟ ବିଭିନ୍ନ ସଂସ୍ଥା ସହ ସମନ୍ଵୟ ରକ୍ଷା ତଥା ଏହି ଜାତୀୟ ପ୍ରଚେଷ୍ଟାରେ ନାଗରିକ ସମାଜ ଓ ଘରୋଇ କ୍ଷେତ୍ରର ସହଯୋଗ ଉପରେ ଗୁରୁତ୍ଵାରୋପ କରାଯିବ । ପ୍ରଧାନମନ୍ତ୍ରୀ ଚାରୋଟି ମୁଖ୍ୟ ମାର୍ଗଦର୍ଶିକା ଉପରେ ଜୋର ଦେଇଛନ୍ତି ଯାହାକି ଏହି ଜାତୀୟ ଉଦ୍ୟମର ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ । ପ୍ରଥମରେ କରୋନା ସଂକ୍ରମଣର ଅଧିକ ଆଶଙ୍କା ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଟୀକାକରଣ କରାଯିବ । ଉଦାହରଣ ସ୍ୱରୂପ ଡାକ୍ତର, ନର୍ସ, ସ୍ଵାସ୍ଥ୍ୟକର୍ମୀ, ଅଣମେଡିକାଲ କରୋନା ସମ୍ମୁଖ ଯୋଦ୍ଧା । ଦ୍ଵିତୀୟତଃ ଟୀକାକରଣରେ ଯେଉଁଠି ଯେକୌଣସି ବ୍ୟକ୍ତିଙ୍କୁ ମଧ୍ୟ ସାମିଲ କରାଯାଇପାରିବ । ଏଥିରେ ତାଙ୍କର ବାସସ୍ଥାନ ନେଇ କୌଣସି କଟକଣା ରହିବ ନାହିଁ । ତୃତୀୟ ଟୀକାକରଣ ସୁଲଭ ଓ ସାର୍ବଜନୀନ ହେବା ଆବଶ୍ୟକ । ଏଥିରୁ କେହି ଯେପରି ବାଦ ପଡିବେ ନାହିଁ । ଚତୁର୍ଥ ଟୀକା ଉତ୍ପାଦନଠାରୁ ଆରମ୍ଭ କରି ଟୀକାକରଣ ପର୍ଯ୍ୟନ୍ତ ସମସ୍ତ ତର୍ଜମା ଓ ଯାଞ୍ଚ ଇତ୍ୟାଦି ପ୍ରଯୁକ୍ତି ବିଦ୍ୟା ବଳରେ କରାଯିବ । ପ୍ରଧାନମନ୍ତ୍ରୀ ଏଥିସହ ସଂଶ୍ଳିଷ୍ଟ ଅଧିକାରୀମାନଙ୍କୁ ସମ୍ଭାବ୍ୟ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି, ଯାହାଫଳରେ ଏହା ଏହି ଟୀକାକରଣ ଭଳି ଜାତୀୟ ଉଦ୍ୟମର ମେରୁଦଣ୍ଡ ଭାବେ କାର୍ଯ୍ୟ କରିବ । ଏହାସହିତ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଯୋଜନା ଓ ରୂପରେଖକୁ ତୁରନ୍ତ ହାତକୁ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନର ଟୀକା ପ୍ରସ୍ତୁତିକରଣ ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା । ପ୍ରଧାନମନ୍ତ୍ରୀ କୋଭିଡ ବୈଶ୍ଵିକ ମହାମାରୀର ମୁକାବିଲା ଦିଗରେ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଥିଲେ ।