କୋଭିଡ ଶ୍ମଶାନ ପାଇଁ ଚିହ୍ନଟ ଜମିକୁ ଗ୍ରୀନବାଡ଼ି ଗ୍ରାମବାସୀଙ୍କ ବିରୋଧ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିରେ କୋଭିଡ ଆକ୍ରାନ୍ତଙ୍କ ଶବ ଦାହ କରିବା ପାଇଁ ହୋଇଥିବା ଜମି ଚିହ୍ନଟକୁ ନେଇ ଗ୍ରୀନବାଡି ପଞ୍ଚାୟତ ବାସୀ ତୀବ୍ର ନିନ୍ଦା କରିବା ସହ ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଗ୍ରୀନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ଜରୁରୀ ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଗ୍ରୀନବାଡ଼ି ପଞ୍ଚାୟତ ଅନ୍ତର୍ଗତ କୁତୁବାଡି ନିକଟସ୍ଥ ଜଙ୍ଗଲରେ କରୋନା ଆକ୍ରାନ୍ତଙ୍କ ଶବଦାହ କରିବା ପାଇଁ ଗତ ଅପ୍ରେଲ ମାସ ୧୩ ତାରିଖ ଦିନ ଜମି ଚିହ୍ନଟ ବାବଦରେ ଆଲୋଚନା ହୋଇଥିବା ବେଳେ ଜମି ଚିହ୍ନଟ ହୋଇଥିଲେ ସୁଦ୍ଧା ଅଞ୍ଚଳ ବାସୀଙ୍କ ସହିତ ପ୍ରଶାସନ ତରଫରୁ କୈାଣସି ପ୍ରକାର ଯୋଗାଯୋଗ ନ କରି ଜମି ଚିହ୍ନଟ କରାଯାଇଥିବା ନେଇ ଅଞ୍ଚଳ ବାସୀ ଅଭିଯୋଗ କରିଥିଲେ। ଚିହ୍ନଟ ହୋଇଥିବା ସ୍ଥାନରେ ଗ୍ରାମବାସୀମାନେ ହଳଦୀ ଚାଷ ପାଇଁ ଡାଳ କାଟିବା କାମ, ଜଙ୍ଗଲକୁ ଯିବା ଆସିବା କରିବା, ବିଭିନ୍ନ ଚାଷ କାମ ଭଳି ଅନ୍ୟାନ୍ୟ କାମ କରୁଥିବା ବେଳେ ଉକ୍ତ ସ୍ଥାନରେ କରୋନା ଆକ୍ରାନ୍ତଙ୍କ ଶବ ଦାହ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବୈଠକରେ ଗ୍ରୀନବାଡ଼ି ସରପଞ୍ଚ ସଂଜୟ ପ୍ରଧାନ, ପୁର୍ବତନ ବ୍ଲକ ଅଧକ୍ଷ ଯୁନସ ପ୍ରଧାନ, ଓାର୍ଡମେମ୍ବର ବାସନ୍ତି ଦିଗାଳ, ସେବିକା ପ୍ରଧାନ, କାନ୍ତିମା ପ୍ରଧାନ, ଲୁସିମା ପ୍ରଧାନ ସମେତ ଗ୍ରାମବାସୀ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଏଭଳିକି ଏଠି ଶବ ଦାହ କରାଗଲେ ଆଖପାଖ ଅଂଚଳ ତଗାପାଙ୍ଗା, କୁତୁବାଡି, ସାଙ୍ଗୁଡୁମାହା ଓ ଗ୍ରୀନବାଡି ଗ୍ରାମକୁ ଏହାର ପ୍ରଭାବ ପଡିବ ବୋଲି ଲୋକେ ଅଭିଯୋଗ କରିଛନ୍ତି l ଅନ୍ୟ ପକ୍ଷରେ ଚିହ୍ନଟ ସ୍ଥାନଟି କିଛି ଲୋକଙ୍କ ନିଜସ୍ୱ ଜମିପଟା ଥିବା ବେଳେ ଆଉ କିଛି ଗ୍ରାମ୍ୟ ଜଙ୍ଗଲ ରହିଛି। ଏଣୁ ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନରେ ଆକ୍ରାନ୍ତ ଙ୍କ ଶବ ଦାହ କରାନଯାଇ ଅନ୍ୟତ୍ର ଜମି ଚିହ୍ନଟ କରାଯାଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି। ସୂଚନା ପ୍ରକାରେ ଗତ ୬ ତାରିଖ ଦିନ ଦାରିଙ୍ଗବାଡ଼ି ଅଞ୍ଚଳର ଜନୈକ ବ୍ୟକ୍ତିର ମୃତ୍ୟୁ ହୋଇଥିଲା। ତେବେ କରୋନା ସଂକ୍ରମଣ ହୋଇଥିବା ନେଇ ସନ୍ଦେହ କରି କୋଭିଡ ଶ୍ମଶାନ ଚିହ୍ନଟ ଜମିରେ ପ୍ରଶାସନ ଓ ପରିବାର ପକ୍ଷରୁ ଗ୍ରୀନବାଡ଼ି ଗ୍ରାମବାସୀ ଙ୍କ ଅଜାଣତରେ ରାତ୍ର ସମୟରେ ଶବ ଦାହ କରିଥିଲେ। ଏଥିସହିତ ଶବଦାହ ରାସ୍ତା କଡ଼ରେ କରିବା ଯୋଗୁଁ ଶବଟି ସକାଳୁ ଅଧା ପୋଡ଼ିଥିବା ଯୋଗୁଁ ଗ୍ରୀନବାଡ଼ି ଅଞ୍ଚଳରେ ଏହାକୁ ନେଇ ସେବେଠାରୁ ତୀବ୍ର ବିରୋଧ ଆରମ୍ଭ ହୋଇଛି। ଅଂଚଳବାସୀ ମାନେ କହିଛନ୍ତି କିଯେ, ସେମାନେ ଆଦିବାସୀ ଲୋକ ଆମର ବିନା ପରାମର୍ଶରେ ପ୍ରଶାସନ ତରପରୁ କିଭଳି ଆମ ପଞ୍ଚାୟତରେ ମନଇଚ୍ଛାରେ ଏହିଭଳି କାର୍ଯ୍ୟ କରିବା କେତେଦୂର ଯୁକ୍ତିଯୁକ୍ତ। ସ୍ଥାନୀୟ ପ୍ରଶାସନ ସେମାନଙ୍କ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ନୁହନ୍ତି କ୍ଷମତାର ଅପବ୍ୟବହାର କରି ଆମଅଂଚଳରେ ଶବଦାହ କରି ଆମମାନଙ୍କୁ ମୃତ୍ୟମୁଖକୁ ଠେଲିଦେବାକୁ ବସିଛନ୍ତି।ବର୍ତମାନ ଗୋଷ୍ଠୀସଂକ୍ରମଣ ଭଳି ପରିସ୍ଥିତି ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଅଂଚଳବାସୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ତେଣୁ ଗ୍ରାମଠାରୁ ଯଥେଷ୍ଟ ଦୂରରେ ଶବ ପୋଡ଼ିବା ପାଇଁ ସ୍ଥାନ ନିରୂପଣ କରିବା ସହିତ ସ୍ଥାନ ଚିୁହ୍ନଟ ପରେ ମାଇକ ଏବଂ ଧେଣ୍ଡୁରା ଦ୍ୱାରା ଜନସାଧାରଣଙ୍କୁ ଅବଗତ କରିବାପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ଏଣୁ ପ୍ରଶାସନ ଯଦି ସ୍ଥାନ ପରିବର୍ତନ ନକରନ୍ତି ତାହାହେଲେ ଅଂଚଳବାସୀ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଗ୍ରାମର ସୁଲୋଚନା ପ୍ରଧାନ, ଅମିତ କୁମାର ପ୍ରଧାନ, ହରିଦାସ ପ୍ରଧାନ, ରତିରଂଜନ ପ୍ରଧାନ, ରାନୁ ପ୍ରଧାନ, ଝିଲି ପ୍ରଧାନ, ସବିତା ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି।


