କୋଭିଡ-୧୯ର ମୁକାବିଲାରେ ସମନ୍ୱିତ କାଜ୍ୟକୁ ଡ. ହର୍ଷବର୍ଦ୍ଧନଙ୍କ ପ୍ରଶଂସା

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ସଂକ୍ରାନ୍ତ ତ୍ରୟୋଦଶ ଉଚ୍ଚସ୍ତରୀୟ ମନ୍ତ୍ରୀମଣ୍ଡଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀର ନିର୍ମାଣଭବନଠାରେ ଅନୁଷ୍ଠିତ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ, ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଜାହାଜ ଚଳାଚଳ, ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ, ନୀତି ଆୟୋଗର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ, କ୍ଷମତାପ୍ରାପ୍ତ ଗ୍ରୁପ-୬ ଅଧ୍ୟକ୍ଷ ସି କେ ମିଶ୍ର, କ୍ଷମତାପ୍ରାପ୍ତ ଗ୍ରୁପ-୨ ଅଧ୍ୟକ୍ଷ ଅରୁଣ କୁମାର ପଣ୍ଡା, କ୍ଷମତାପ୍ରାପ୍ତ ଗ୍ରୁପ-୪ର ପି ଡି ବାଘେଲା ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ-୧୯ର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରମାନେ କୋଭିଡ ମହାମାରୀର ପ୍ରଶମନ ଦିଗରେ କଣ ସବୁ ପଦକ୍ଷେପ ନେଇଛନ୍ତି ସେ ବିଷୟରେ ମନ୍ତ୍ରୀମଣ୍ଡଳୀୟ ସଦସ୍ୟମାନେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବୈଠକରେ ସୂଚନା ଦିଆଯାଇଥିଲା ଯେ କୋଭିଡ-୧୯ର ପ୍ରତିକାର ଲାଗି ସମସ୍ତ ଜିଲ୍ଲାଗୁଡିକୁ ନିଜର ଜରୁରୀ ଯୋଜନାକୁ ଚୂଡାନ୍ତ ରୂପ ଦେବାକୁ କୁହାଯାଇଛି । ବିଭିନ୍ନ ରାଜ୍ୟରେ ଥିବା ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲଗୁଡିକର ବିବରଣୀ, ସେଥିରେ ଥିବା ଏକାନ୍ତବାସ ଶଯ୍ୟା, ପ୍ରକୋଷ୍ଠ, ଜରୁରୀ ସୁରକ୍ଷା ଉପକରଣ, ଏନ-୯୫ ମାସ୍କ, ଭେଣ୍ଟିଲେଟର, ଅକ୍ସିଜେନ ସିଲିଣ୍ଡର, ଔଷଧ ପତ୍ର ଇତ୍ୟାଦି ନେଇ ବିସ୍ତୃତ ଆଲୋଚନା ହୋଇ ଏସବୁ ଜିନିଷ ପତ୍ର ଯଥେଷ୍ଟ ମହଜୁଦ ଅଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଦେଶରେ ବର୍ତ୍ତମାନ ୧୦୪ଟି ନିଜସ୍ୱ ପ୍ରସ୍ତୁତକାରୀ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଉତ୍ପାଦନ କରୁଥିବା ବେଳେ ୩ଟି କମ୍ପାନୀ ଏନ-୯୫ ମାସ୍କ ତିଆରି କରୁଛନ୍ତି । ଏଥି ସହିତ ଘରୋଇ କମ୍ପାନୀମାନେ ଭେଣ୍ଟିଲେଟର ମଧ୍ୟ ତିଆରି କରୁଛନ୍ତି ଓ ୫୯ ହଜାରରୁ ଅଧିକ ଭେଣ୍ଟିଲେଟର ତିଆରି କରିବା ପାଇଁ ୯ଟି କମ୍ପାନୀକୁ ଅର୍ଡର ଦିଆଯାଇଛି । ମନ୍ତ୍ରୀସ୍ତରୀୟ ବୈଠକରେ ନମୂନା ପରୀକ୍ଷଣ ଓ ଏଥିପାଇଁ ଆବଶ୍ୟକ କିଟ ଏବଂ ହଟସ୍ପଟ ଅଞ୍ଚଳର ପରିଚାଳନା ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା । ଦେଶରେ କୋଭିଡ-୧୯ ନମୂନା ପରୀକ୍ଷା କରୁଥିବା ସରକାରୀ ଓ ଘରୋଇ ପରୀକ୍ଷାଗାରଗୁଡିକର ତାଲିକା ସହ ଏହି ପରୀକ୍ଷଣର ସଂଖ୍ୟା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ବିଭିନ୍ନ କ୍ଷମତା ସମ୍ପନ୍ନ କମିଟିକୁ ଦିଆଯାଇଥିବା କାର‌୍ୟ୍ୟ ସମ୍ପର୍କରେ ଡ. ଅମିତାଭ କାନ୍ତ, ଡ. ଅରୁଣ କୁମାର ପଣ୍ଡା ଓ ଡ. ପ୍ରଦୀପ କରୋଲା ସୂଚନା ଦେଇଥିଲେ । ପ୍ରାୟ ୯୨ ହଜାର ସ୍ୱେଚ୍ଛାସେବୀ ସଂଗଠନ, ସ୍ୱୟଂସହାୟକ ଗୋଷ୍ଠୀ ଓ ବେସାମରିକ ସଂଗଠନ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଫସିରହିଥିବା ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ସ୍ୱେଚ୍ଛାସେବୀ ସଂଗଠନଗୁଡିକୁ ରାଜ୍ୟ ସରକାର ରାଜ୍ୟ ବିପର‌୍ୟ୍ୟୟ ପ୍ରଶମନ ପାଣ୍ଠିରୁ ଏଥିପାଇଁ ଅର୍ଥ ଯୋଗାଉଥିବାବେଳେ ଭାରତୀୟ ଖାଦ୍ୟ ନିଗମ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇ ଦେଉଛି ବୋଲି ବୈଠକରେ ଅବଗତ କରାଯାଇଥିଲା ।
ଦେଶବ୍ୟାପୀ ୟୁନିସେଫ, ସମର ଶିକ୍ଷାର୍ଥୀ, ନେହରୁ ଯୁବକେନ୍ଦ୍ର ଓ ଚିକିତ୍ସକମାନେ ବିଭିନ୍ନ ସ୍ଥାନରେ ରହି କୋଭିଡ ଯୋଦ୍ଧାର ଭୂମିକା ତୁଲାଉଛନ୍ତି । ବର୍ତ୍ତମାନ ପ୍ରାୟ ୧ କୋଟି ୨୪ ଲକ୍ଷ ଲୋକ ଏଥିପାଇଁ ସହାୟତା କରୁଥିବା ବେଳେ, ଯେତେ ଅଧିକ ଲୋକ ଏଥିରେ ଯୋଡି ହେଉଛନ୍ତି ସେମାନଙ୍କର ସବିଶେଷ ତଥ୍ୟ ମଧ୍ୟ ଦିଆଯାଉଛି । ଏଥିପାଇଁ ତିଆରି ହୋଇଥିବା ଡାସବୋର୍ଡରେ ରାଜ୍ୟ ଓ ଜିଲ୍ଲାୱାରୀ ସହାୟତାର ହାତ ବଢ଼ାଇଥିବା ଲୋକମାନଙ୍କର ତାଲିକା ଏବଂ ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସମ୍ପୃକ୍ତ ରାଜ୍ୟ ଓ ଜିଲ୍ଲା ନୋଡାଲ ଅଧିକାରୀମାନଙ୍କୁ ଦିଆଯାଇଛି । କୋଭିଡ ଯୋଦ୍ଧାମାନଙ୍କୁ ଅନଲାଇନ ତାଲିମ ଦିଆଯାଉଛି । ଏଥିରେ ୧୪ଟି ପାଠ୍ୟକ୍ରମ ସହ ୫୩ଟି ମଡ୍ୟୁଲ, ୧୧୩ ଟି ଭିଡିଓ ଓ ୨୯ଟି ସନନ୍ଦ ରହିଛି । ଏ ପର‌୍ୟ୍ୟନ୍ତ ୧୦ ଲକ୍ଷ ବ୍ୟକ୍ତିଙ୍କୁ ତାଲିମ ଦିଆଯାଇସାରିଛି । ଏପରି ଘଡିସନ୍ଧି ମୁହୂର୍ତ୍ତରେ ଦାୟିତ୍ୱ ତୁଲାଇଥିବାରୁ ଡ. ହର୍ଷବର୍ଦ୍ଧନ ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବ ଓ କଠିନ ପରିଶ୍ରମର ଭୂୟଂଶୀ ପ୍ରଶଂସା କରିଛନ୍ତି । ଏହି କୋଭିଡ-୧୯ ମୁକାବିଲା ପାଇଁ ସମ୍ମୁଖ ଯୋଦ୍ଧା ଭାବେ କାର‌୍ୟ୍ୟରତ ଏହି ସ୍ୱାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷା ପାଇଁ ମହାମାରୀ ରୋଗ ଆଇନ- ୧୮୯୭ରେ ସଂଶୋଧନ କରାଯାଇ ଅଧ୍ୟାଦେଶ ଅଣାଯାଇଛି । ଦେଶର ଏହି ସମ୍ମୁଖ ଯୋଦ୍ଧାମାନଙ୍କୁ ଆମେ ସମ୍ମାନ ଦେବା ସହ ସେମାନଙ୍କ ସୁରକ୍ଷା ଓ ଗରିମାର ସୁରକ୍ଷା ଆମର କର୍ତ୍ତବ୍ୟ ବୋଲି ଡ. ହର୍ଷବର୍ଦ୍ଧନ କହିଛନ୍ତି । ବର୍ତ୍ତମାନ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁସଂଖ୍ୟା ଦେଶରେ ୩.୧ ଭାଗ ଥିବାବେଳେ ଏଥିରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ଶତକଡା ୨୦ ଭାଗ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଏହି ସଂଖ୍ୟା ଅନ୍ୟାନ୍ୟ ଦେଶ ତୁଳନାରେ ବେଶ ଭଲ ଓ ଲକଡାଉନ ସଂକ୍ରମଣ ପ୍ରତିହତ କରିବାରେ ଏହା ସହାୟକ ହୋଇଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏ ପର‌୍ୟ୍ୟନ୍ତ ୫୦୬୨ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଗତକାଲି ସୁଦ୍ଧା ୧୪୨୯ଟି ନୂଆ ମାମଲା ସାମ୍ନାକୁ ଆସିଛି ଓ ୨୪,୫୦୬ ଜଣ କରୋନା ପଜିଟିଭ ବାହାରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀମତୀ ପ୍ରୀତି ସୂଦନ, ବୈଦେଶିକ ବ୍ୟାପାର ସଚିବ ଶ୍ରୀ ହର୍ଷବର୍ଦ୍ଧନ ସିମଲା, ବୟନ ସଚିବ ରବି କାପୁର, ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ କରୋଲା, ଫାର୍ମସ୍ୟୁଟିକାଲ ସଚିବ ପି ଡି ବାଘେଲା, ବାଣିଜ୍ୟ ସଚିବ ଅରୁଣ ୱାଧବନ, ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ ସଞ୍ଜିବ କୁମାର, ଆଇସିଏମଆରର ସଂକ୍ରାମକ ରୋଗ ମୁଖ୍ୟ ଡ. ରମଣ ଗଙ୍ଗା ଖେଡକର ପ୍ରମୁଖ ଏଥିରେ ଯୋଗଦେଇଥିଲେ । କୋଭିଡ-୧୯ ସଂକ୍ରାନ୍ତରେ ବିଷୟରେ ଯେ କୌଣସି ସୂଚନା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନମ୍ବର +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟମୁକ୍ତ) ନମ୍ବରରେ ଯୋଗାଯୋଗ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ