କୋଭିଡ-୧୯ ସମ୍ପର୍କିତ ସଦ୍ୟତମ ସୂଚନା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ସମ୍ମିଳନୀ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ମତ ବିନିମୟ କରିଛନ୍ତି । ରାଜ୍ୟର ଯେଉଁ ଜିଲ୍ଲାଗୁଡିକ ରେଡ ଓ ଅରେଞ୍ଜ ଜୋନ ମଧ୍ୟରେ ଆସୁଛି, ସେସବୁ ସ୍ଥାନରୁ କରୋନା ସଂକ୍ରମଣ ଦୂର କରିବାକୁ ହେବ ବୋଲି ସେ ମତ ଦେଇଛନ୍ତି । ହଟ ସ୍ପଟ ତଥା ରେଡ ଜୋନରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଲକଡାଉନକୁ କଡାକଡି ଭାବେ ପାଳନ କରିଥିବାରୁ ସେ ତାର ପ୍ରଶଂସା କରିଛନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ରେଡ ଜୋନକୁ ଅରେଞ୍ଜ ଜୋନରେ ଏବଂ ଅରେଞ୍ଜ ଜୋନକୁ ଗ୍ରୀନ ଜୋନରେ ପରିଣତ କରାଯିବା ଦିଗରେ ଚେଷ୍ଟା କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ଭୂତାଣୁକୁ ନେଇ କୌଣସି ବାଛବିଚାର ନକରି କୋଭିଡ-୧୯ ପରିବର୍ତ୍ତେ ଅନ୍ୟାନ୍ୟ ରୋଗଗୁଡିକୁ ମଧ୍ୟ ସମାନ ଦୃଷ୍ଟି ଦିଆଯିବା ଆବଶ୍ୟକ । ପାରମ୍ପରିକ ଭେଷଜ ପଦ୍ଧତି ମଧ୍ୟ ଏଥିସହିତ ଅନୁସରଣ କରାଯାଇପାରିବ । ପୂର୍ବରୁ କରୋନା ସଂକ୍ରମଣ ଥିବା ୧୬ ଜିଲ୍ଲାରୁ ଗତ ୨୮ ଦିନ ମଧ୍ୟରେ କୌଣସି ମାମଲା ଦୃଷ୍ଟିକୁ ଆସିନାହିଁ । ୩ଟି ନୂଆ ଜିଲା ଗତ ୨୪ ତାରିଖରୁ ଏଥିରେ ସାମିଲ ହୋଇଛି । ସେଗୁଡିକ ହେଲା – ମହାରାଷ୍ଟ୍ରର ଗୋନ୍ଦିଆ, କର୍ଣ୍ଣାଟକର ଦେବଙ୍ଗିରି ଓ ବିହାରର ଲଖିସରାଇ । ଗତ ୨୮ଦିନ ମଧ୍ୟରେ କୌଣସି ମାମଲା ଦେଖାଦେଇନଥିବା ୨ଟି ଜିଲ୍ଲାରୁ ବର୍ତ୍ତମାନ ସଂକ୍ରମଣ ଦେଖାଦେଇଛି । ସେହି ଦୁଇ ଜିଲ୍ଲା ହେଉଛି ଉତ୍ତରପ୍ରଦେଶର ପିଲଭିତ ଏବଂ ପଞ୍ଜାବର ସହିଦ ଭଗତ ସିଂହ ନଗର । ଏତଦବ୍ୟତୀତ ୨୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୮୫ ଜିଲ୍ଲାରେ ଗତ ୧୪ ଦିନ ମଧ୍ୟରେ କୌଣସି ମାମଲା ଦୃଷ୍ଟିଗୋଚର ହୋଇନାହିଁ । ସରକାରଙ୍କର କ୍ଷମତାପ୍ରାପ୍ତ ଗୋଷ୍ଠୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଆବଶ୍ୟକ ଚିକିତ୍ସା ଉପକରଣ ପର୍ୟ୍ୟାପ୍ତ ଭାବେ ରହିଛି । ଏହାର ଯୋଗାଣ ମଧ୍ୟ ନିର୍ବିଘ୍ନରେ ଚାଲିଛି । କ୍ଷମତାସୀନ ଗୋଷ୍ଠୀର ଆବାହକ ତଥା ପାନୀୟ ଜଳ ଓ ପରିମଳ ସଚିବ ଶ୍ରୀ ପରମେଶ୍ଵର ଆୟାର କହିଛନ୍ତି ଯେ, ୪ଟି ଗୁରୁତ୍ଵପୂର୍ଣ୍ଣ ବିଭାଗ ଉପରେ ସରକାର ଗୁରୁତ୍ଵାରୋପ କରୁଛନ୍ତି । ସେଗୁଡିକ ହେଲା – କୃଷି, ଉତ୍ପାଦନ, ଲଜିଷ୍ଟିକ ଏବଂ ଆବଶ୍ୟକ କରୁଥିବା ଲୋକମାନଙ୍କୁ ଖାଦ୍ୟ । ସେ କହିଛନ୍ତି ଯେ, ଖାଦ୍ୟ ପଦାର୍ଥ ଓ ଔଷଧପତ୍ର ପରିବହନ କରୁଥିବା ଟ୍ରକଗୁଡିକର ସଂଖ୍ୟା ମାର୍ଚ୍ଚ ୩୦ ସୁଦ୍ଧା ଶତକଡା ୪୬ ଭାଗ ଥିବା ବେଳେ ଏପ୍ରିଲ ୨୫ ସୁଦ୍ଧା ଶତକଡା ୭୬ ଭାଗକୁ ବୃଦ୍ଧି କରାଯାଇଛି । ସେହିପରି ଏହିସମୟ ମଧ୍ୟରେ ରେଳବାଇ ରେକ ସଂଖ୍ୟା ଶତକଡା ୬୭ ରୁ ୭୬କୁ ବୃଦ୍ଧି କରାଯାଇଛି । ଜାହାଜ ପରିବହନ ଶତକଡା ୭୦ ରୁ ୮୭କୁ ବୃଦ୍ଧି ପାଇଥିବା ବେଳେ ବଡ ବଡ ମଣ୍ଡିରେ ମାଲ ପରିବହନ ଶତକଡା ୬୧ ରୁ ୭୯କୁ ବୃଦ୍ଧି ପାଇଛି । ବିଭିନ୍ନ ସରକାରୀ ସଂସ୍ଥା, ସ୍ଵେଚ୍ଛାସେବୀ ସଂଗଠନ ଓ ଶିଳ୍ପାନୁଷ୍ଠାନ ଦ୍ଵାରା ପ୍ରତିଦିନ ୧.୫ କୋଟିରୁ ଅଧିକ ଲୋକଙ୍କୁ ଖାଇବା ଯୋଗାଇ ଦିଆଯାଉଛି । କ୍ଷମତାସୀନ ୫ ଜଣିଆ ଗ୍ରୁପର ଭୂମିକା ସମ୍ପର୍କରେ ସୂଚନା ଦେବାକୁ ଯାଇ ସେ କହିଛନ୍ତି ଯେ, ନିତ୍ୟବ୍ୟବହାର୍ୟ୍ୟ ସାମଗ୍ରୀର ଯୋଗାଣଗୁଡିକ କ୍ଷେତ୍ରରେ ଥିବା ପ୍ରତିବନ୍ଧକଗୁଡିକୁ ଦୂର କରାଯାଇଛି । ଏହି ଗ୍ରୁପ ଅନ୍ୟାନ୍ୟ ବିଭାଗ ସମେତ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ, ବିଭିନ୍ନ ମଣ୍ଡି, ପାଇକାରୀ ଖୁଚୁରା ବ୍ୟବସାୟୀ, ପରିବାହନକାରୀ ସଂସ୍ଥାମାନଙ୍କ ସହ ଉତ୍ତମ ସମନ୍ଵୟ ରକ୍ଷା କରିଛନ୍ତି । ଏପର୍ୟ୍ୟନ୍ତ ଶତକଡା ୨୨.୧୭ ପ୍ରତିଶତ ଅର୍ଥାତ ୬୩୬୧ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି । ଗତକାଲି ସୁଦ୍ଧା ୧,୩୯୬ଟି ନୂତନ ମାମଲା ନଜରକୁ ଆସିଛି । ଦେଶରେ ଏପର୍ୟ୍ୟନ୍ତ ୨୮୩୮୦ ଜଣ କୋଭିଡ-୧୯ ସଂକ୍ରମିତ ହୋଇଥିବା ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୮ ଜଣଙ୍କ ମୃତ୍ୟୁକୁ ମିଶାଇ ଏପର୍ୟ୍ୟନ୍ତ ୮୮୬ ଜଣକ ପ୍ରାଣହାନୀ ଘଟିଛି ।