କୋଭିଡ଼-୧୯ରେ ନିଯୁକ୍ତ ଶିକ୍ଷକ, ଆଶା ଆଶଙ୍କାରେ ୧୦ମ ଶ୍ରେଣୀ ଶିକ୍ଷାର୍ଥୀ : ଅନଲାଇନ ପାଠପଢା ଯଥେଷ୍ଟ ନୁହେଁ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଥିବାରୁ ମାର୍ଚ୍ଚ ମାସରୁ ଲକଡ଼ାଉନ, ସଟଡ଼ାଉନ କଟକଣା ଜାରି ରହିଛି । ଅଧିକାଂଶ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସଙ୍ଗରୋଧ କେନ୍ଦ୍ର ଭାବରେ ବ୍ୟବହାର କରାଯାଇଥିବା ବେଳେ ସେଗୁଡ଼ିକର ସଠିକ୍ ପରିଚାଳନା ସକାଶେ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ନିୟୋଜିତ କରାଯାଇଛି । କିଛି ବିଦ୍ୟାଳୟରେ କେତେକ ଶ୍ରେଣୀର ଅଧା ବିଷୟବସ୍ତୁର ପରୀକ୍ଷା ହୋଇଥିବା ବେଳେ କେତେକ ଶ୍ରେଣୀର ପରୀକ୍ଷା ହୋଇନଥିଲା । ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ପ୍ରଥମ ଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାର୍ଥୀଙ୍କୁ ପରବର୍ତି ଶ୍ରେଣୀକୁ ଉନ୍ନୀତ କରାଯାଇଛି । ଏହି କ୍ରମରେ ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକରେ ଥିବା ୨୪ଟି ଉଚ୍ଚ ବିଦ୍ୟାଳୟର ପ୍ରାୟ ୧୭ଶହ ଶିକ୍ଷାର୍ଥୀ ନବମ ଶ୍ରେଣୀରୁ ୧୦ ମ ଶ୍ରେଣୀକୁ ଉନ୍ନୀତ ହୋଇଛନ୍ତି । ଚଳିତ ଶିକ୍ଷାବର୍ଷରେ ସେମାନେ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ବୋର୍ଡ଼ ପରୀକ୍ଷା ଦେବେ, ଯାହାକି ସେମାନଙ୍କ ଭବିଷ୍ୟତ ଗଠନ ସକାଶେ ବେଶ୍ ଗୁରୁତ୍ୱପୁର୍ଣ୍ଣ ଅଟେ । ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରଖିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନର୍ଦ୍ଦେଶ ଜାରି କରାଯାଇଛି । ତେବେ ଚଳିତ ବର୍ଷର ଅଧ୍ୟୟନକୁ ନେଇ ବେଶ୍ ଚିନ୍ତାରେ ରହିଛନ୍ତି ଉଭୟ ଶିକ୍ଷାର୍ଥୀ ଓ ଅଭିଭାବକ ।
ଶିକ୍ଷାର୍ଥୀ ମାନଙ୍କୁ ଶିକ୍ଷାଦାନ କରିବା ନେଇ ବିକଳ୍ପ ବ୍ୟବସ୍ଥା ରୂପେ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଏଣ୍ଡ୍ରଏଡ଼ ମୋବାଇଲ (ସ୍ମ୍ରାଟ୍ଫୋନ) ମାଧ୍ୟମରେ ଇଂଟରନେଟ ଉପଯୋଗ କରି ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରାଯାଉଥିବା ଦେଖିବାକୁ ମିଳୁଛି । ଶିକ୍ଷାର୍ଥୀ ମାନଙ୍କ ନିକଟକୁ ବିଭିନ୍ନ ବିଷୟବସ୍ତୁ ଆଧାରିତ ନୋଟ୍, ରେକର୍ଡ଼େଡ଼ ଭିଡ଼ିଓକ୍ଳିପ୍ ଆଦି ୱାଟସଅପ ମାଧ୍ୟମରେ ପଠାଯାଉଛି । କିନ୍ତୁ ଏହା ଶିକ୍ଷା ଅଧ୍ୟୟନ ସକାଶେ ଯଥେଷ୍ଟ ନୁହେଁ ବୋଲି ଅଭିଭାବକ ମାନେ ଅଭିଯୋଗ କରିବା ସହ ପିଲାମାନଙ୍କ ଭବିଷ୍ୟତ ନେଇ ଚିନ୍ତାରେ ରହିଥିବା ଜଣାପଡ଼ିଛି । ଏପରିକି ଅନଲାଇନ ମାଧ୍ୟମରେ ଶିକ୍ଷ।।ଦାନ କରାଯାଉଥିବା ବେଳେ କିଛି ବିଷୟବସ୍ତୁ ଶିକ୍ଷାର୍ଥୀ ମାନେ ବୁଝି ପାରୁନଥିବା ମଧ୍ୟ ଅଭିଯୋଗ ହୋଇଛି । ବହୁ ସମୟରେ ନେଟୱାର୍କରେ ସମସ୍ୟା ରହୁଥିବା ବେଳେ କିଛି ଆର୍ଥୀକ ଅନଗ୍ରସର ଅଭିଭାବକ ସ୍ମ୍ରାଟଫୋନ କିଣି ପାରୁନଥିବା ବେଳେ ସେମାନଙ୍କ ଶିଶୁ ମାନେ ଅନଲାଇନ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି । ବିଦ୍ୟାଳୟ ପାଠପଢାର କୌଣସି ବିକଳ୍ପ ନାହିଁ । ଅନ୍ୟପକ୍ଷରେ କେଳ ୧୦ମ ଶ୍ରେଣୀ ଶିକ୍ଷାର୍ଥୀ ମାନଙ୍କୁ କିଛି ଗୃପରେ ବିଭକ୍ତ କରାଯାଇ ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ପରିଧାନ ପୂର୍ବକ ଶିକ୍ଷାଦାନ କଲେ ଶିକ୍ଷାର୍ଥୀ ମାନେ ବେଶ ଉପକୃତ ହୋଇ ପାରିଥାନ୍ତେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।