କୋରୋନାକୁ ‘ନକ୍ଡାଉନ୍’ କରିବା ପାଇଁ ଏହି ‘ଲକ୍ଡାଉନ୍’
ଭୁବନେଶ୍ବର: କୋରୋନା ଭୂତାଣୁ ବା କୋଭିଡ୍-୧୯ ସମ୍ପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ। ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ବାଗ୍ଚୀ କହିଛନ୍ତି, ରାଜ୍ୟରେ କୋରୋନା ଭାଇରସକୁ ‘ନକ୍ଡାଉନ୍’ (ଧୂଳି ଚଟାଇବା) ପାଇଁ ଏହି ‘ଲକ୍ଡାଉନ୍’( ତାଲା ବନ୍ଦ) ନିଷ୍ପତ୍ତି ନିଆଯାଇଛି। ନିଜକୁ, ପରିବାରକୁ ଓ ଜାତିକୁ ବଞ୍ଚାଇବା ସବୁ ନାଗରିକଙ୍କ ଦାୟିତ୍ୱ। ଆମେ ନିଜ କଥା ଚିନ୍ତା କରିବା ପୂର୍ବରୁ ପରିବାର ଲୋକଙ୍କ କଥା ବୁଝିବା ଦରକାର। ତେଣୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ବାଗ୍ଚୀ ଜନତା କର୍ଫ୍ୟୁ ଓ ଲକ୍ଡାଉନ୍ ମଧ୍ୟରେ ପାର୍ଥକ୍ୟ କ’ଣ ତାହା ସରଳତାର ସହିତ ବୁଝାଇ ଦେଇଛନ୍ତି। ଜନତା କର୍ଫ୍ୟୁ ୧୪ ଘଣ୍ଟା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି। ଏହି ସମୟ ମଧ୍ୟରେ ଟ୍ରେନ୍, ବସ୍ ଓ ବିମାନ ସେବା ବନ୍ଦ ରହିବ। କିନ୍ତୁ ଲକ୍ ଡାଉନ୍ ୧୮୨ ଘଣ୍ଟା ପାଇଁ ବଳବର୍ତ୍ତର ରହିବ। ଏହି ସମୟ ମଧ୍ୟରେ ରେଳ, ବିମାନ, ବସ ଚାଲିବ। ଓଡ଼ିଶାରେ ଲକ୍ଡାଉନ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ଯଥାର୍ଥ ବୋଲି ଦର୍ଶାଇ ବାଗ୍ଚୀ କହିଛନ୍ତି ଯେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଆମେରିକାର ଆର୍ଥିକ ପ୍ରଦେଶ କାଲିଫର୍ଣ୍ଣିଆରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ଯେଉଁଥିପାଇଁ ପ୍ରାୟ ସେହି ପ୍ରଦେଶର ୪ କୋଟି ଲୋକେ ପ୍ରଭାବିତ ହେବେ।
କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ନିଆଯାଇଥିବା ବିଭିନ୍ନ ପଦକ୍ଷେପ
ଶନିବାର ଦିନ ୧୨ଟା ସୁଦ୍ଧା ଓଡ଼ିଶାରେ ୭୦ଟି ନମୂନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସେଥିରୁ ୬୯ଟି ରିପୋର୍ଟ ହସ୍ତଗତ ହୋଇଛି। ସେଥିରୁ ୨ଟି ପଜିଟିଭ୍ ଚିହ୍ନଟ ହୋଇଛି। ଗୋଟିଏ ରିପୋର୍ଟ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ।
ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣଙ୍କ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି।
ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୬ ଜଣ ଆସିଥିବା ତଥ୍ୟ ମିଳିଛି। ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ସହ ଯୋଗାଯୋଗ ହୋଇଛି। ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛି।
୯ଟି ମନିଟରିଂ ଟିମ୍ ଏଥି ପାଇଁ କାର୍ଯ୍ୟ କରୁଛନ୍ତି।
ବର୍ତ୍ତମାନ ସୁଦ୍ଧା ୩୨୩୬ ଜଣ ପଞ୍ଜୀକରଣ କରିଛନ୍ତି।
କୋଭିଡ୍-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୩ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍ରେ ରଖାଯାଇଛି।
କୋଭିଡ୍-୧୯ ସ୍ଥିତିରେ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ୫ ଲକ୍ଷ ଗରିବ, ଦୁସ୍ଥ ଓ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ୍ କରି ଖାଦ୍ୟ ନିରାପତ୍ତା ଯୋଗାଇ ଦେବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏହି ହିତାଧିକାରୀମାନେ ମାସିକ କିଲୋଗ୍ରାମ ପ୍ରତି ୧ ଟଙ୍କା ମୂଲ୍ୟରେ ମୁଣ୍ଡପିଛା ୫ କିଲୋଗ୍ରାମ ଲେଖାଏଁ ଚାଉଳ ପାଇବେ। ଆସନ୍ତା ତିନିମାସ ଅପ୍ରେଲ୍, ମେ’ ଓ ଜୁନ୍ ନିମନ୍ତେ ଆସନ୍ତା ମାର୍ଚ୍ଚ ୨୪ ତାରିଖଠାରୁ ହିତାଧିକାରୀମାନଙ୍କୁ ବଣ୍ଟନ କରାଯିବ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ସମସ୍ତ ଛାତ୍ରାବାସ ବନ୍ଦ ରହିବ। କିନ୍ତୁ ଯେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ପିତାମାତା ବା ଅଭିଭାବକମାନେ ସେମାନଙ୍କୁ ଛାତ୍ରାବାସରୁ ନେଇ ନାହାନ୍ତି, ସେ ପର୍ଯ୍ୟନ୍ତ ସେମାନେ ଛାତ୍ରାବାସରେ ରହିପାରିବେ।
ମଧ୍ୟାହ୍ନ ଭୋଜନ ବାବଦକୁ ଛାତ୍ରଛାତ୍ରୀମାନଙ୍କୁ ଏକକାଳୀନ ଆଗୁଆ ୩ ମାସର ଶୁଖିଲା ରାସନ୍ ଦିଆଯିବ। ପ୍ରଧାନ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ପିତାମାତାଙ୍କୁ କୁପନ୍ ଦେବେ। ଏହି କୁପନ୍କୁ ଦେଖାଇ ସେମାନେ ସ୍କୁଲ୍ ଅନୁବନ୍ଧିତ ହୋଇଥିବା ନିକଟସ୍ଥ ସାଧାରଣ ବଣ୍ଟନ କେନ୍ଦ୍ରରୁ ଏହି ଆଗୁଆ ରାସନ୍ ଉଠାଇ ପାରିବେ। ଏଥିପାଇଁ ସମ୍ପୃକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନ ଓ ଥେରାପି ସେଣ୍ଟର୍ର ହଷ୍ଟେଲ୍ଗୁଡ଼ିକୁ ଆସନ୍ତା ଜୁନ୍ ମାସ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ପ୍ରତି ଅନ୍ତେବାସୀଙ୍କୁ ମାସିକ ୧୨୦୦ ଟଙ୍କା ହିସାବରେ ତିନିମାସ ନିମନ୍ତେ ଖାଦ୍ୟପେୟ ଓ ଅନ୍ୟାନ୍ୟ ବାବଦକୁ ସହାୟତା ଅଗ୍ରୀମ ପ୍ରଦାନ କରାଯିବ। ଏହା ବ୍ୟତୀତ, ଅନ୍ତେବସୀଙ୍କୁ ଜଣେ ସହଯୋଗୀ ସାହାର୍ଯ୍ୟକାରୀଙ୍କ ସହିତ ଘରକୁ ଫେରିବା ସକାଶେ ଯାତାୟତ ଖର୍ଚ୍ଚ ବାବଦକୁ ସର୍ବୋଚ୍ଚ ୫୦୦ ଟଙ୍କା ପ୍ରଦାନ କରାଯିବ।
ଗ୍ରାମାଞ୍ଚଳରେ କୋଭିଡ୍-୧୯ ସମ୍ପର୍କିତ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ୧୯ ତାରିଖରୁ ଆରମ୍ଭ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନଙ୍କ ସଚେତନତା ବୈଠକର ତୃତୀୟ ଦିନରେ ଆଜି ରାଜ୍ୟରେ ଜିଲ୍ଲା ପରିଷଦ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।
ପୌରାଞ୍ଚଳ ତରଫରୁ ନିଜ ଅଞ୍ଚଳକୁ ସ୍ବଚ୍ଛ ରଖିବା ନିମନ୍ତେ ସ୍ବଚ୍ଛସାଥିମାନଙ୍କୁ ସଚେତନତା କାର୍ଯ୍ୟକ୍ରମର ଦାୟିତ୍ୱ ଅର୍ପଣ କରାଯାଇଛି।


