କୋରୋନା କାରଣରୁ ଚୀନ୍ରେ ଦମ୍ପତିଙ୍କ ମଧ୍ୟରେ ବଢ଼ୁଛି ଫାଟ
ବେଜିଂ: ଗତ ବର୍ଷ ଶେଷ ଭାଗରେ ଚୀନ୍ର ହୁବେଇ ପ୍ରଦେଶର ଉହାନ୍ ସହରରୁ ବ୍ୟାପିବା ଆରମ୍ଭ କରିଥିବା ଘାତକ କୋରୋନା ଭୂତାଣୁର ପ୍ରଭାବ ଇତିମଧ୍ୟରେ ୧୫୦ରୁ ଊର୍ଦ୍ଧ୍ବ ଦେଶରେ ଅନୁଭୂତ ହୋଇଥିବା ବେଳେ କେବଳ ଚୀନ୍ରେ ୪ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି। ଏହାଛଡ଼ା ଲକ୍ଷେରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। ତେବେ ଏହି ଭୂତାଣୁ ବ୍ୟାପିବାର ପାଖାପାଖି ୪ ମାସ ପରେ ଚୀନ୍ରେ ଏହାର ପ୍ରଭାବ ଅପେକ୍ଷାକୃତ ହ୍ରାସ ପାଇଛି। ତେଣୁ ନିକଟରେ ଉହାନ୍ରେ ଗୋଟିଏ ଦିନରେ ମାତ୍ର ଜଣେ ବ୍ୟକ୍ତି ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବାର ରିପୋର୍ଟ ଆସିଛି। କିନ୍ତୁ କୋରୋନାର ବ୍ୟାପକତା ଚୀନ୍ରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲେ ମଧ୍ୟ ଏହି ଭୂତାଣୁ ସ୍ବାମୀ-ସ୍ତ୍ରୀ ସମ୍ପର୍କ ଭିତରେ ଫାଟ ସୃଷ୍ଟି କରାଇବାରେ ସକ୍ଷମ ହୋଇଛି। ତେଣୁ ଦେଶରେ ଦିନକୁ ଦିନ ଛାଡ଼ପତ୍ର ସଂଖ୍ୟା ବଢ଼ିଚାଲିଛି ବୋଲି ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଏକ ଖବରରେ କୁହାଯାଇଛି।
ଏହି ରିପୋର୍ଟରେ ଗୋଟିଏ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟର ମୁଖ୍ୟଙ୍କ ମତାମତକୁ ଆଧାର କରି କୁହାଯାଇଛି ଯେ ଗତ ଫେବ୍ରୁଆରୀ ୨୪ରୁ ଅଦ୍ୟାବଧି କେବଳ ଚୀନ୍ର ଦକ୍ଷିଣ-ପଶ୍ଚିମ ପ୍ରଦେଶ ସିଚୁଆନ୍ରେ ୩ ଶହ ଦମ୍ପତି ପରସ୍ପରଠାରୁ ଅଲଗା ହେବା ସକାଶେ ଛାଡ଼ପତ୍ର ମାମଲା ଦାଏର୍ କରିଛନ୍ତି। କୋରୋନା ଭୂତାଣୁ ବ୍ୟାପିବା ପୂର୍ବରୁ କଦାପି ଏତେ ଅଧିକ ସଂଖ୍ୟାରେ ଛାଡ଼ପତ୍ର ମାମଲା ଦରଜ ହୋଇ ନ ଥିଲା। କୋରୋନା ବ୍ୟାପିବା ପରେ ଦମ୍ପତି ନିଜ ନିଜ ଘରେ ନିଃସଙ୍ଗବାସରେ ରହିଆସିଥିବାରୁ ଅଧିକ ସଂଖ୍ୟାରେ ଛାଡ଼ପତ୍ର ଆବେଦନ କରାଯାଇଥିବାର ଏହା ଏକ ପ୍ରମୁଖ କାରଣ ହୋଇପାରେ ବୋଲି ଉକ୍ତ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟ ମୁଖ୍ୟ ଲୁ ଶିଜୁନ୍ କହିଛନ୍ତି। ତାଙ୍କ କହିବାନୁସାରେ, ନିଃସଙ୍ଗବାସରେ ରହିବା କାରଣରୁ ସ୍ବାମୀ-ସ୍ତ୍ରୀ ପରସ୍ପରଠାରୁ ଅଲଗା ହୋଇପାରିନାହାନ୍ତି। ନିୟମିତ ଭାବେ ଘରେ ରହୁଥିବାରୁ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ବାକ୍ବିତଣ୍ଡାର ସମ୍ଭାବନା ରହିଛି। ତେଣୁ ପରସ୍ପର ସହ ବାକ୍ବିତଣ୍ଡା ଓ ମତମତାନ୍ତର କାରଣରୁ ଆଜି ଏତେ ଅଧିକ ସଂଖ୍ୟାରେ ଛାଡ଼ପତ୍ର ମାମଲା ଦରଜ ହୋଇଛି ବୋଲି ଶିଜୁନ୍ କହିଛନ୍ତି।


