କୋରୋନା ଝଟ୍କା: ଏୟାର ଡେକାନ ବନ୍ଦ
କୋରୋନା ଭୂତାଣୁଜନିତ ମହାମାରୀ କାରଣରୁ ଆମେରିକାରେ ୧୧ ଲକ୍ଷ ଲୋକଙ୍କ ଜୀବିକା ଯାଇଛି। ଭାରତର ସବୁଠୁ ବଡ଼ ଆଇଟି କମ୍ପାନୀ ଟିସିଏସ, ଇନଫୋସିସ ଓ ବଡ଼ ଘରୋଇ ବ୍ୟାଙ୍କ ଏଚଡିଏଫସି ସମେତ ଆଇସିଆଇସିଆଇର ଲକ୍ଷ ଲକ୍ଷ ଟଙ୍କା ଡୁବିଯାଇଛି। ସାରା ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି ବୋଲି ବିଶେଷଜ୍ଞମାନେ ସୂଚାଇଥିବା ବେଳେ ଲକଡାଉନ କାରଣରୁ କମ୍ପାନୀଗୁଡ଼ିକ ଉପରେ ଭୟଙ୍କର ପ୍ରଭାବ ପଡ଼ିଛି। ଏୟାର ଡେକାନ ନିଜର ପରିଚାଳନାକୁ ବନ୍ଦ ଘୋଷଣା କରିବା ସହିତ କର୍ମଚାରୀମାନଙ୍କୁ ନୋ ୱାର୍କ ନୋ ପେ’ରେ ଯିବାକୁ କହିଛି। ଲକଡାଉନ କାରଣରୁ ବିମାନଗୁଡ଼ିକର ଆଉ ଉଡ଼ାଣ ହେଉ ନାହିଁ। ଦିନକୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଥିବା ଏୟାର ଡେକାନ ପ୍ରଥମ ବିମାନ ସଂସ୍ଥା ଭାବେ ନିଜ ପରିଚାଳନାକୁ ବନ୍ଦ ଘୋଷଣା କରିଛି। ଲକଡାଉନରେ ବନ୍ଦ ହୋଇଥିବା ପ୍ରଥମ ବିମାନ କମ୍ପାନୀ
ଏୟାର ଡେକାନ ପ୍ରଥମ ବିମାନ କମ୍ପାନୀ ଯିଏ କୋରୋନା ଭୂତାଣୁ ଆଗରେ ତିଷ୍ଠିପାରିଲା ନାହିଁ। ୨୧ ଦିନିଆ ଲକଡାଉନର ପ୍ରଥମ ସପ୍ତାହରେ କମ୍ପାନୀର ଆର୍ଥିକ ମେରୁଦଣ୍ଡ ଦୋହଲିଗଲା। ବିମାନବନ୍ଦରରେ ଠିଆହୋଇ ରହିବାରେ ଲକ୍ଷ ଲକ୍ଷ ଟଙ୍କା ଅଯଥା ବ୍ୟୟ ହେଉଥିବାରୁ କମ୍ପାନୀକୁ ଏଭଳି ଦୃଢ଼ ନିଷ୍ପତ୍ତି ନେବାକୁ ପଡ଼ିଲା ବୋଲି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ କୁମାର ସିଂ ସୂଚାଇଛନ୍ତି। ଏପ୍ରିଲ ୧୪ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ପାଇଁ ଡିଜିସିଏ ନିଷ୍ପତ୍ତି ନେଇଥିବାରୁ ଏୟାର ଡେକାନ ନିକଟରେ ଆଉ କୌଣସି ବିକଳ୍ପ ନ ଥିବା ଅରୁଣ କହିଛନ୍ତି। ଦୁଃଖର ସହିତ ମୋତେ ଏଭଳି କହିବାକୁ ପଡ଼ୁଛି ବୋଲି ସେ ଦୋହରାଇଛନ୍ତି।
ଏୟାର ଡେକାନର ସମସ୍ତ ସ୍ଥାୟୀ, ଅସ୍ଥାୟୀ ଓ ଠିକା କର୍ମଚାରୀଙ୍କ ପ୍ରତି ଏଭଳି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି। ବିନା ବେତନରେ ଛୁଟିରେ ରହିବାକୁ କୁହାଯାଇଛି। ଏୟାରଡେକାନ ପରିଚାଳନାରେ ବର୍ତ୍ତମାନ ୧୮ ସିଟ ଯୁକ୍ତ ଚାରୋଟି ଏୟାରକ୍ରାଫ୍ଟ ରହିଛି। ପଶ୍ଚିମ ଭାରତର କିଛି ଅଞ୍ଚଳରେ ଏହାର ବିମାନ ଉଡ଼ାଣ ଭରୁଥିଲା। ଏହାର କେନ୍ଦ୍ରସ୍ଥଳ ଗୁଜରାଟ ଥିଲା। ଆଗାମୀ ସପ୍ତାହରେ ସ୍ଥିତି ସ୍ବାଭାବିକ ହେଲେ ଏହି କମ୍ପାନୀ ଏହାର ପ୍ରମୁଖ କର୍ମଚାରୀମାନଙ୍କ ସହିତ ଆଲୋଚନା କରିବ। ଯଦି ଅନୁକୂଳ ସ୍ଥିତି ଉତ୍ପନ୍ନ ହୁଏ, ତେବେ ପୁଣି ଥରେ ଏହାର ବିମାନ ଉଡ଼ାଣ ଭରିବ ବୋଲି ଅରୁଣ କହିଛନ୍ତି। ଅନୁକୂଳ ପରିସ୍ଥିତି ସୃଷ୍ଟି ହେଲେ ଏୟାର ଡେକାନ ପୁଣି ଥରେ ଡେଣା ମେଲିବ ଏବଂ ଏଥିରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ନିଜ ନିଜର ପଦବୀ ସହିତ କାମରେ ଯୋଗଦେବାର ସୁଯୋଗ ପ୍ରଦାନ କରିବ।