କୋରୋନା ନେଲା ହଲିଉଡ ସୁପରଷ୍ଟାର ମାର୍କ ବ୍ଲୁମଙ୍କ ଜୀବନ
ୱାଶିଂଟନ: ହଲିଉଡରୁ ଆସିଛି ଏକ ଦୁଃଖଦ ଖବର। ହଲିଉଡ଼ ସୁପରଷ୍ଟାର ମାର୍କ ବ୍ଲୁମ୍ କୋରୋନାରେ ଆକ୍ରାନ୍ତ ହୋଇ ୬୯ ବର୍ଷ ବୟସରେ ଆଖିବୁଜିଛନ୍ତି। କିଛିଦିନ ପୂର୍ବରୁ ସେ କୋରୋନା ଭାତାଣୁରେ ସଂକ୍ରମିତ ହେବା ପରେ ତାଙ୍କୁ ନ୍ୟୁୟର୍କସ୍ଥିତ ଏକ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତେବେ ସେ କୋରୋନା ଦାଉରୁ ବର୍ତ୍ତି ପାରି ନ ଥିଲେ। ବ୍ଲୁମଙ୍କ ମ୍ତ୍ୟୁଖବର ତାଙ୍କ ପତ୍ନୀ ଜାନେକ ଜରିଶ ଇମେଲ ମାଧ୍ୟମରେ ଜଣାଇଛନ୍ତି। ବ୍ଲୁମଙ୍କ ବିୟୋଗରେ କେବଳ ତାଙ୍କ ପରିବାର ସଦସ୍ୟ ନୁହନ୍ତି, ସମଗ୍ର ହଲିଉଡ ଇଣ୍ଡଷ୍ଟ୍ରି ଓ ତାଙ୍କ ପ୍ରଶଂସକଙ୍କ ଗହଣରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଖବର ମଧ୍ୟ ନ୍ୟୁୟର୍କର ପ୍ରଖ୍ୟାତ ଥିଏଟର କମ୍ପାନୀ ‘ପ୍ଲେରାଇଟ୍ସ ହରିଜନସ’ ପୁଷ୍ଟ କରିଛି। ଏଥିସହ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ହଲିଉଡ ଇଣ୍ଡଷ୍ଟ୍ରି ଓ ଥିଏଟର ଇଣ୍ଡଷ୍ଟ୍ରି ଜଣେ ପ୍ରକ୍ତ ବନ୍ଧୁ ଓ ଜଣେ ମହାନ୍ କଳାକାରଙ୍କୁ ହରାଇଛି। ମାର୍କ ବ୍ଲୁମ ତାଙ୍କ କ୍ୟାରିଅରରେ ପାଖାପାଖ ୨୫ଟି ଫିଲ୍ମରେ ଅଭିନୟ କରିବା ସହ ଥିଏଟର ଇଣ୍ଡଷ୍ଟ୍ରିରେ ମଧ୍ୟ ବେଶ୍ ସକ୍ରିୟ ଥିଲେ। ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ କ୍ରୋକୋଡାଇଲ ଡୁଣ୍ଡି, ଦ ସୋପ୍ରାନସ, ବ୍ଲାଇଣ୍ଡ ଡେଟ୍, ଷ୍ଟେପଅପ୍ ଥ୍ରୀଡି ଆଦି ବେଶ୍ ଲୋକପ୍ରିୟ। ଏହାଛଡ଼ା ଲୋକପ୍ରିୟ ନେଟଫ୍ଲିକ୍ସ ସିରିଜ ‘ୟୁ’ରେ ମଧ୍ୟ ସେ ଅଭିନୟ କରିଥିଲେ। ଏହା ବ୍ୟତୀତ ନ୍ୟୁୟର୍କ ଥିଏଟର ଇଣ୍ଡଷ୍ଟ୍ରିର ମାନ ବୃଦ୍ଧି ପାଇଁ ଅନେକ ମହତ କାର୍ଯ୍ୟ କରିଛନ୍ତି।


