କୋରୋନା ପ୍ରଭାବ: ୨.୯ ଲକ୍ଷ ଆକ୍ରାନ୍ତ, ୯୩ ହଜାର ଡିସ୍ଚାର୍ଜ, ୧୧,୯୬୩ ମୃତ
ନୂଆଦିଲ୍ଲୀ: କୋରୋନା ମହାମାରୀରେ ସାରା ବିଶ୍ବକୁ ପ୍ରଭାବିତ କରିସାରିଛି। ଚୀନ୍ରୁ ଆରମ୍ଭ ହୋଇଥିବା ଏହି ମହାମାରୀରେ ପାଖାପାଖି ୩ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ଆକଳନ କରାଯାଉଛି। ବିଶ୍ବର ଜଣାଶୁଣା ସର୍ଭେ ସଂସ୍ଥା ୱାର୍ଲ୍ଡୋମିଟର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଶନିବାର ସୁଦ୍ଧା ସାରା ବିଶ୍ବରେ ୨ ଲକ୍ଷ ୯୦ ହଜାର ୩୮୮ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ହଜାର ୯୬୩ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୯୩ ହଜାର ୬୧୮ ଜଣ ଆରୋଗ୍ୟ ଲାଭ କରି ବିଭିନ୍ନ ହସ୍ପିଟାଲ ଓ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ଡିସଚାର୍ଜ ହୋଇଥିବା କୁହାଯାଉଛି। ୱାର୍ଲ୍ଡୋମିଟର ତଥ୍ୟ ଅନୁସାରେ ଶନିବାର ସୁଦ୍ଧା ୧ ଲକ୍ଷ ୮୪ ହଜାର ୮୦୭ ଆକ୍ରାନ୍ତ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି। ଆଉ ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧ ଲକ୍ଷ ୭୬ ହଜାର ୫୪୧ ଜଣ ସାମାନ୍ୟ ଆକ୍ରାନ୍ତ ହୋଇଥିଲା ବେଳେ ୮ ହଜାର ୨୬୬ ଗୁରୁତର ବୋଲି କୁହାଯାଉଛି। ମାତ୍ର ଆକ୍ରାନ୍ତଙ୍କ ମଧ୍ୟରୁ ଆରୋଗ୍ୟଙ୍କ ହାର ପ୍ରାୟ ୮୯ ପ୍ରତିଶତ ରହିଛି। ତେଣୁ ଆକ୍ରାନ୍ତ ହେବା ମାତ୍ରେ ତୁରନ୍ତ ଚିକିତ୍ସା କରିବା ନିହାତି ଦରକାର ବୋଲି କୁହାଯାଉଛି। ସାମାଜିକ ଦୂରତ୍ବ ଓ ପରିଚ୍ଛନ୍ନତା ମଧ୍ୟ ବେଶୀ ଗରୁତ୍ବପୂର୍ଣ୍ଣ ବୋଲି ବିଭିନ୍ନ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି।


